ଖୁଣ୍ଟବନ୍ଧ ଗ୍ରାମବାସୀଙ୍କୁ କେବେ ମିଳିବ ସ୍ୱଚ୍ଛ ପାନୀୟ ଜଳ


ତରଭା: ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।ଏଥି ସକାଶେ ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତ ସ୍ତରରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାନ ନିର୍ମାଣ କରାଯାଉଛି । ହେଲେ ଏହା କେଉଁଠି ଅଧପନ୍ତରିଆ ଓ କେଉଁଠି ଅଚଳ ହୋଇ ପଡିଛି। ଏହାର ଜ୍ୱଳନ୍ତ ଉଦାହରଣ ତରଭା ବ୍ଲକ ଅନ୍ତର୍ଗତ ବଘିଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଖୁଣ୍ଟବନ୍ଧ ଗ୍ରାମରରେ ଦେଖିବାକୁ ମିଳିଛି । ଏହି ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ୦୧.୦୧.୨୦୧୯ ରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସୁବର୍ଣ୍ଣପୁରଙ୍କ ଦ୍ୱାରା ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାରଙ୍କ ଅନୁଦାନ ୭୬ଲକ୍ଷ ୧୮ ହଜାର ଟଙ୍କା ବ୍ୟୟ ଅଟକଳରେ ଓଭରହେଡ ଟ୍ୟାଙ୍କ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା । ଓଭରହେଡ ଟ୍ୟାଙ୍କ ନିର୍ମାଣ ସରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମକୁ ପାଇପ ବିଛାଯାଇ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଛି ହେଲେ ଜଳ ଯୋଗାଣ ହେଉନାହିଁ । ତାହା କେବେ କାର୍ଯ୍ୟକ୍ଷମ ହେବ ତାହା ଜନସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ୨ଟି ୱାର୍ଡ ବିଶିଷ୍ଟ ଏହି ଗ୍ରାମରେ ପ୍ରାୟ ୧୨୦୦ ରୁ ଉର୍ଦ୍ଧ ଜନସାଧାରଣ ବସବାସ କରୁଛନ୍ତି । ଗ୍ରାମରେ ୮ଟି ନଳକୂପ ରହିଥିବା ବେଳେ କେବଳ ଗ୍ରାମ ସ୍କୁଲ ପାଖରେ ଥିବା ନଳକୂପରୁ ପିଇବା ଉପଯୋଗୀ ପାନୀୟ ଜଳ ବାହାରୁଛି । ଯାହାଫଳରେ ଗ୍ରାମବାସୀ ମାନେ ବାଧ୍ୟ ହୋଇ ଖରାରେ ଦୀର୍ଘ ସମୟ ଛିଡା ହୋଇ ପାଣି ନେଉଛନ୍ତି । ଜଳାଭାବରୁ ଗ୍ରାମବାସୀ ଡହକ ବିକଳ ହେଉଛନ୍ତି । ତରଭା ବ୍ଲକ ଆରଡବ୍ଲୁଏସଏସ କନିଷ୍ଟ ଯନ୍ତ୍ରୀ ରବିନ୍ଦ୍ର ସାହୁଙ୍କୁ ପଚାରିବାରୁ ଖୋଲା ଯାଇଥିବା ବୋ୍ରୱେଲରୁ ପାଣି ଠିକ ଭାବେ ନବାହାରିବାରୁ ନଦୀରୁ ପାଣି ଆଣିବା ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି l ମାସେ ମଧ୍ୟରେ ପାନୀୟ ଜଳ ସମସ୍ୟା ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଜଳ ସଂକଟ ସମସ୍ୟାର ଶୀଘ୍ର ସମାଧନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।