ବରଗଡ଼ ରୁ ନୁଆଁପଡା ରେଳ ଲାଇନକୁ ନୋଟିଫିକେସନ ଜାରି କଲା ରେଳ ମନ୍ତ୍ରାଳୟ


ଅତାବିରା / ବରଗଡ଼ -ପଶ୍ଚିମ ଓଡିଶାକୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ବିଧିବଦ୍ଧ ଭାବେ ବରଗଡ଼ ରୁ ନୁଆଁପଡା ରେଳ ଲାଇନକୁ ସ୍ୱତନ୍ତ୍ର ରେଳ ପ୍ରକଳ୍ପ ନେଇ ବିଧିବଦ୍ଧ ଭାବେ ରେଳ ମନ୍ତ୍ରାଳୟ ପକ୍ଷରୁ ଗେଜେଟ ନୋଟିଫିକେସନ ଜାରି ହୋଇଛି ।ବରଗଡରୁ ନୂଆପଡାକୁ ପ୍ରସ୍ତାବିତ ୧୪୨ କିମି ଦୀର୍ଘ ରେଳ ଲାଇନରେ ୧୪ଟି ଷ୍ଟେସନ ରହିବ ।
ସୂଚନାଯୋଗ୍ୟ ବରଗଡରୁ ନୂଆପଡାକୁ ପ୍ରସ୍ତାବିତ ରେଳ ଲାଇନ ପ୍ରକଳ୍ପ ସଂକ୍ରାନ୍ତୀୟ ବିଧାନସଭାରେ ଆଲୋଚନା ହୋଇଥିଲା । ଏହି ଅବସରରେ ଉକ୍ତ ପ୍ରକଳ୍ପ ପାଇଁ ଆବଶ୍ୟକ ଜମିର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଥିଲେ । ୧୪୨ କିମି ଦୈର୍ଘ୍ୟ ଏହି ରେଳ ଲାଇନ ପାଇଁ ଓଡିଶା ରେଳ ଇନଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ ଏହାର ସର୍ଭେ ଚୂଡାନ୍ତ କରିସାରିଥିବା ନେଇ ମନ୍ତ୍ରୀ ସୂଚନା ଦେଇଥିଲେ । ଓଡ଼ିଶା ବିଧାନସଭା ଶୀତକାଳୀନ ଅଧିବେଶନରେ ବହୁ ପ୍ରତୀକ୍ଷିତ ବରଗଡ– ନୂଆପଡା ରେଳ ଲାଇନ୍‌ର ବର୍ତ୍ତମାନ ସ୍ଥିତି ନେଇ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରଶ୍ନ ଉତଥାପନ କରିଥିଲେ । ୧୪୨ କିଲୋମିଟର ଦୈର୍ଘ୍ୟ ବରଗଡ଼ –ନୂଆପଡ଼ା ପ୍ରସ୍ତାବିତ ରେଳ ଲାଇନ୍ ପାଇଁ ଓଡ଼ିଶା ସରକାର ଅଧୁଗୃହୀତ ହେବାକୁ ଥିବା ସମସ୍ତ ଜମିର ଖର୍ଚ୍ଚ ବହନ କରିବାକୁ ଦେଇଥିବା ପ୍ରତିଶ୍ରୁତିର ବର୍ତ୍ତମାନ ସ୍ଥିତି କ’ଣ ବୋଲି ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରଶ୍ନ ଉତଥାପନ କରିଥିଲେ ।
ପଦ୍ମପୁର ଉପନିର୍ବାଚନ ସମୟରେ ବରଗଡ଼-ନୂଆପଡା ରେଳ ଲାଇନ ପାଇଁ ଉଠିଥିଲା ଦାବି। ପଦ୍ମପୁର ଦେଇ ବରଗଡ଼-ନୂଆପଡ଼ା ପାଇଁ ନୂଆ ରେଳଲାଇନ୍‌ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ଏହି ପ୍ରକଳ୍ପକୁ ନେଇ ଇଷ୍ଟକୋଷ୍ଟ ରେଳବାଇ ଅନୁଧ୍ୟାନ କରିଥିଲା। ରେଳବାଇ ମନ୍ତ୍ରାଳୟକୁ ୨୦୧୯ ଜାନୁଆରୀ ମାସରେ ଚିଠି ଲେଖି, ପ୍ରକଳ୍ପର ରେଟ୍‌ ଅଫ ରିଟର୍ଣ୍ଣ ୧୭.୩୧% ବୋଲି ଉଲ୍ଲେଖ କରିଥିଲା। କିନ୍ତୁ ଅର୍ଥନୈତିକ ଦୃଷ୍ଟିରୁ ଲାଭଦାୟକ ନଥିବାରୁ ପ୍ରକଳ୍ପ କାମ ଆଗକୁ ନ ବଢାଇବାକୁ ୨୦୧୯ ଜୁଲାଇ ମାସରେ ରେଳମନ୍ତ୍ରାଳୟ ଇଷ୍ଟକୋଷ୍ଟକୁ ଚିଠି ଲେଖି ଜଣାଇଥିଲା। ପରେ ୨୦୧୯ ଅକ୍ଟୋବର ମାସରେ ପ୍ରକଳ୍ପ ଲାଗି ରେଳବାଇ ବୋର୍ଡ ମାଗଣା ଜମି ସହ ବିସ୍ଥାପନ ଓ ଥଇଥାନ ଖର୍ଚ୍ଚ ବହନ ପାଇଁ ରାଜ୍ୟ ସରକାରଙ୍କୁ ଲେଖିଥିଲା ଚିଠି। ମୁଖ୍ୟମନ୍ତ୍ରୀ ମାଗଣ ଜମି ପାଇଁ ଅନୁମୋଦନ କରିଥିଲେ। ଏହାସହ ପ୍ରକଳ୍ପ ପାଇଁ ୩୦୦ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର ।
ଅନ୍ୟପଟେ ତାଳଚେର-ଅନୁଗୁଳ ମଧ୍ୟରେ ୧୬.୫ କିଲୋମିଟର ନୂଆ ରେଳ ଲାଇନ ପାଇଁ ମଧ୍ୟ ସ୍ୱତନ୍ତ୍ର ରେଳ ପ୍ରକଳ୍ପ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଗେଜେଟ ନୋଟିଫିକେସନ ଜାରି କରିଛନ୍ତି ।