ଆଜି ଗୁରୁବାର ଛାଡଖାଇ ; ଆମିଷ ମାର୍କେଟ ଖାଁ ଖାଁ
ଭୁବନେଶ୍ବର: ସରିଲା କାର୍ତ୍ତିକ ମାସ । ମାର୍ଗଶିର ମାସ ଆରମ୍ଭ ହେଲା | ଆଜି ସାରା ଓଡିଶା ପାଳୁଛି ଛାଡଖାଇ । କିନ୍ତୁ ବିନା ଆମିଷରେ | ଆଜ୍ଞା ହଁ ଆଶ୍ଚଯ୍ୟ ଲାଗିଲା ନା ? ଆଜି ଛାଡଖାଇ ସ୍ଵତ୍ତ୍ୱେ ଆମିଷ ବଜାର ଆଜି ଖାଁ ଖାଁ ରହିଛି | ଲୋକେ ମାଛ ନ କିଣି ଆଜି ସାଧା ଖାଇବାରେ କାମ ଚଳାଉଛନ୍ତି | ଯେହେତୁ ଏତେ ଦିନ ହେବ ଆମିଷ ମୁହଁରେ ବାଜିନାହିଁ ତେବେ ଏହି ପରିସ୍ଥିତିରେ ଲୋକେ ଆମିଷ କିଣିବାକୁ ତ ଇଛା ରଖିଛନ୍ତି କିନ୍ତୁ ଦୁର୍ଭାଗ୍ୟ ବଶତଃ ଆଜି ଗୁରୁବାର ମା’ ଲକ୍ଷ୍ମୀଙ୍କ ବାର ହୋଇଥିବାରୁ ସମସ୍ତେ ଆଜି ଆମିଷ ଖାଇବା ଛାଡିଛନ୍ତି | ଲୋକଙ୍କ ବିଶ୍ୱାସ ରହିଛି ଯେ, ଗୁରୁବାର ଦିନ ଆମିଷ ଭକ୍ଷଣ କଲେ ମା’ ଲକ୍ଷ୍ମୀ ଅଭିମାନ କରିବେ |
କିନ୍ତୁ ପ୍ରଶ୍ନ ଉଠେ ଯେ ଛାଡଖାଇର ପ୍ରକୃତ ଅର୍ଥ କଣ ଏବଂ ଆମେ କାହିଁକି ଛାଡଖାଇ ମନାଇଥାଉ ? ସେ ପ୍ରଶ୍ନ ମଧ୍ୟ ଉପୁଜୁଛି |
କିଛି ପୌରାଣିକ ତଥ୍ୟ ଅନୁଯାୟୀ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରିବା ପାଇଁ ଏବଂ ମତ୍ସ୍ୟଜିବୀ ମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ । ସେମାନଙ୍କୁ ମେଲାଣି ଦେବାପାଇଁ ଆୟୋଜନ କରାଯାଉଥିବା ଭୋଜିରେ ଆମିଷ ଖାଦ୍ୟ ରହୁଥିଲା । ଛାଡ଼ଖାଇ ଏହିପରି ଭାବରେ ଆରମ୍ଭ ହୋଇଥାଇପାରେ ବୋଲି ଲୋକମତ ରହିଛି । ବର୍ଷର ଏହି ସମୟରେ ମାଛମାନେ ସମୁଦ୍ର ତଟକୁ ଆସନ୍ତି, ତେଣୁ ମାଛ ଅମଳ ମଧ୍ୟ ଭଲ ହୋଇଥାଏ । କିଛି ମତରେ, ଛାଡ଼ଖାଇରୁ ଶୀତ ଋତୁର ଆରମ୍ଭ ହୋଇଥାଏ । ଶୀତ ଦିନରେ ମାଂସରେ ସ୍ନେହସାର ଓ ଆଦ୍ରତାର ଅନୁପାତ ଭଲ ରହୁଥିବାରୁ, ଶୀତ ଦିନ ଆମିଷ ଖାଇବା ସବୁଠାରୁ ଭଲ ।

