ନୌଗାମ ଥାନାରେ ବିସ୍ଫୋରଣକୁ ନେଇ ଜାମ୍ମୁ କାଶ୍ମୀରର ଡିଜିପିଙ୍କ ବଡ ବୟାନ ; କହିଲେ ବିସ୍ଫୋରଣଟି ‘ଦୁର୍ଘଟଣାଜନିତ’
ନୂଆଦିଲ୍ଲୀ;୧୫|୧୧: ଦିଲ୍ଲୀର ଲାଲକିଲ୍ଲା ପାଖରେ ଘଟିଥିବା ବିସ୍ଫୋରଣ ପରେ ଏବେ ନୌଗାମ ଥାନାରେ ବିସ୍ଫୋରଣ ହୋଇଛି |ଏହି ବିସ୍ଫୋରଣକୁ ନେଇ ଜାମ୍ମୁ କାଶ୍ମୀର ଡିଜିପି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବିସ୍ଫୋରଣଟି ‘ଦୁର୍ଘଟଣାଜନିତ’ । ଏହି ଘଟଣାର କାରଣ ସମ୍ପର୍କରେ ଅନ୍ୟ କୌଣସି ଅନୁମାନ ଅନାବଶ୍ୟକ। ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, ୩୨ ଆହତ। ପୋଲିସ ଓ ଫରେନ୍ସିକ ଟିମ୍ ଯାଞ୍ଚ କଲା ବେଳେ ବିସ୍ଫୋରଣ ଘଟିଥିଲା ।
ସେ ଆଉ ମଧ୍ୟ କହିଛନ୍ତି ଯେ , ରାତି ପ୍ରାୟ ୧୧ଟା ୨୦ ବେଳେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ କେମିତି ଓ କେଉଁ ପରିସ୍ଥିତିରେ ଘଟିଲା ତଦନ୍ତ ଚାଲିଛି ବୋଲି କହିଛନ୍ତି ଡିଜିପି ।
ପୂର୍ବ ସୂଚନା ଅନୁଯାଇ ,ଶ୍ରୀନଗରର ନୌଗାମ୍ ପୋଲିସ ଷ୍ଟେସନରେ ଏକ ବ୍ଲାଷ୍ଟ ହୋଇଥିଲା। ଘଟଣାରେ ୭ ଜଣଙ୍କ ମୃତ୍ୟୁ ହେବା ସହିତ ୩୦ ଜଣ ଗଭୀର ଭାବେ ଆହତ ହୋଇଥିଲେ। ପୋଲିସ ଷ୍ଟେସନ ଠାରୁ ପ୍ରାୟ ୩୦୦ ଫୁଟ ଦୂରରେ ଖଣ୍ଡ ବିଖଣ୍ଡିତ ମୃତକଙ୍କ ଶରୀରର ଅଂଶ ଗୁଡିକ ପଡିଥିବାର ସୂଚନା ମିଳିଥିଲା।
ଏହି ବିସ୍ଫୋରଣରେ ପୋଲିସ ଏବଂ ଫରେନସିକ ଟିମର ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । ଫରିଦାବାଦରୁ ପୋଲିସ ୩୬୦ କିଲୋଗ୍ରାମ ଆମୋନିୟମ ନାଇଟ୍ରେଟ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା। ବିସ୍ଫୋରକ ସାମଗ୍ରୀକୁ ପୋଲିସ ଷ୍ଟେସନ ଭିତରେ ରଖାଯାଇଥିଲା। ଯାହା ଫଳରେ ବିସ୍ଫୋରଣ ହୋଇଥିଲା। ସୂଚନା ଅନୁସାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାମଗ୍ରୀ ଗୁଡିକ ସିଲ୍ କରାଯାଉଥିବା ସମୟରେ ହଠାତ୍ ଏହି ବ୍ଲାଷ୍ଟ ହୋଇଥିଲା। ଏଥିରେ ଅନେକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ତେବେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାକୁ ନେଇ ଘଟଣାସ୍ଥଳରେ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। ପୂର୍ବରୁ ନୌଗାମ ପୋଲିସ ବଡ଼ ବଡ଼ ଆତଙ୍କୀ ନେଟଓ୍ୱାର୍କର ପର୍ଦ୍ଦାଫାସ କରିଥିଲା। ନିଷ୍ଠାର ସହିତ ଦାୟିତ୍ୱ ତୁଲାଇବା ପାଇଁ ସାରା ଦେଶରେ ଚର୍ଚ୍ଚାରେ ଥିଲା ନୌଗାମ ଥାନା ପୋଲିସ । ବିସ୍ଫୋରଣରେ ଥାନା ସମେତ ପାଖରେ ରହିଥିବା ଅନେକ ଘର ଉଡ଼ିଯାଇଥିବାର ସୂଚନା ରହିଛି।

