Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଶୀତରୁ ମିଳିବ ଆଶ୍ବସ୍ତି ; ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ

ଭୁବନେଶ୍ୱର;୧୯|୧୧: ଗତ କିଛିଦିନ ହେବ ଶୀତର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଥିଲା | ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାଇ, ଆଜିଠାରୁ ଶୀତର ପ୍ରକୋପ କମ ରହିବ | ଆସନ୍ତା ୩ ଦିନରେ ରାଜ୍ୟରେ ପାରଦ ସ୍ତର ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଉଛି। ସୋମବାର ରାତିରେ ରାଜ୍ୟର ୧୦ ସହରର ତାପମାତ୍ରା ୧୨ ଡିଗ୍ରି ତଳକୁ ଖସିଥିବା ବେଳେ ଦାରିଙ୍ଗିବାଡ଼ି ଓ ଫୁଲବାଣୀର ସର୍ବନିମ୍ନ ରାତ୍ରି ତାପମାତ୍ରା ଅଳ୍ପ ବଢ଼ି ୮ ଡିଗ୍ରିରେ ପହଞ୍ଚିଥିଲା।

କିଛିଦିନ ପୂର୍ବରୁ ଶୀତର ପ୍ରଭାବରେ ଜାଡ଼ରେ ଥରିଥିଲା ଅଧା ଓଡ଼ିଶା। ଅନୁଗୁଳର ରାତି ତାପମାତ୍ରା ୯.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ଥିଲା ୧୦.୧ ଡିଗ୍ରି, ଭବାନୀପାଟଣାରେ ୧୦.୪ ଡିଗ୍ରି, ନବରଙ୍ଗପୁରରେ ୧୧ ଡିଗ୍ରି, କୋରାପୁଟ ଓ ରାଉରକେଲାରେ ୧୧.୫ ଡିଗ୍ରି, ବଲାଙ୍ଗୀରରେ ୧୧.୮ ଡିଗ୍ରି ଓ ସୁନ୍ଦରଗଡ଼ରେ ୧୨ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଯାଇଛି। ମଙ୍ଗଳବାର ରାତିରୁ ରାଜ୍ୟର ରାତି ତାପମାତ୍ରାରେ ବୃଦ୍ଧି ଦେଖାଯିବ। ଶୀତର ଲହରି କମିବ। ଫଳରେ ରାଜ୍ୟବାସୀ ଶୀତରୁ ସାମାନ୍ୟ ଆଶ୍ବସ୍ତ ହେବେ।

ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ କଳାହାଣ୍ଡିରେ ବି ହାଲୁକା କୁହୁଡ଼ି ରହିଥିଲା। ସେପଟେ ଅନୁଗୁଳରେ ଭୀଷଣ ଶୀତ ଲହରି ଅନୁଭୂତ ହୋଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୬ରୁ ୮ ଡିଗ୍ରି ପର୍ଯ୍ୟନ୍ତ ଖସିଥିବା ବେଳେ ଅନ୍ୟପଟେ ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ଓ ଆଭ୍ୟନ୍ତରୀଣ ଓଡ଼ିଶାର ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଥିଲା। ଏବେ ଏହି ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି।

ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ନିର୍ମଳ ରହିବ। ସର୍ବାଧିକ ଦିନ ତାପମାତ୍ରା ୩୦ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୫ ଡିଗ୍ରି ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ