ଚାଲିଛି ଖୋର୍ଦ୍ଧା – ବଲାଙ୍ଗୀରି ରେଳ ପ୍ରକଳ୍ପ ; ଖୁବଶୀଘ୍ର ଚାଲିବ ଟ୍ରେନ
ଭୁବନେଶ୍ୱର;୧୯|୧୧: ଆଗାମୀ ଭବିଷ୍ୟତରେ ଭୂମିରୁ ପ୍ରାୟ ୮୦ ଫୁଟ୍ ଉଚ୍ଚରେ ଓଡ଼ିଶାରେ ଚାଲିବ ଟ୍ରେନ୍। ଏହି ଟ୍ରେନଟି ନୟାଗଡ଼ରେ ହେବ ଯାହାକି ଦେଶର ଦ୍ବିତୀୟ ଦୀର୍ଘତମ ରେଲୱେ ବ୍ରିଜ୍। ପିଲାର୍ ନିର୍ମାଣ ଚାଲିଛି ପ୍ରାୟ ୫୦ରୁ ୬୦% ସ୍ଥାନର ନିର୍ମାଣ ସରିଲାଣି। ଅନବରତ କାମ ଚାଲିଛି। ଟ୍ରେନ୍ ଚଳାଚଳ ଆରମ୍ଭ ହେଲେ, ପ୍ରକୃତିକୁ ଉପଭୋଗ କରିବେ ରେଳ ଯାତ୍ରୀ।।
ନିର୍ମାଣ ଚାଲିଛି ବିକାଶର ବିରାଟ ପିଲାର୍ । ମାଟିରୁ ୮୦ ଫୁଟ୍ ଉପରେ ଗଡ଼ିବ ଟ୍ରେନ୍ । ଏହା ହେବ ଦେଶର ଦ୍ଵିତୀୟ ଦୀର୍ଘତମ ରେଳ ବ୍ରିଜ । ନୟାଗଡ଼ ଏବଂ ଦଶପଲ୍ଲାରେ ଚାଲିଛି ଅନବରତ କାମ । ରେଳ ବିଭାଗରୁ ଆକାଶ ମାର୍ଗରୁ ଭିଡିଓ ଜାରି ହୋଇଛି ଯେଉଁଥିରେ କି ଏହି ବିରାଟ ସେତୁର ନିର୍ମାଣ ଚାଲିଛି।
ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ, ଦଶପଲ୍ଲାର ଜାମୁସାହି ଏବଂ କୁଲୁରୁକୁମ୍ପା ମଧ୍ୟରେ ଭାୟାଡକ୍ଟ ସେତୁର ନିର୍ମାଣ ଦୃତଗତିରେ ଚାଲିଛି । ପୂର୍ବତଟ ରେଳ ବିଭାଗ ଏହାକୁ ନିର୍ମାଣ କରୁଛି । ଯାହାକି ଖୋର୍ଦ୍ଧା ଓ ବଲାଙ୍ଗୀର ମଧ୍ୟରେ ରେଳ ସଂଯୋଗ କରିବ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ଦେଖାଉଛନ୍ତି।
ଆସାମର ବୋଳିବିଲ୍ ସେତୁ ପରେ ଏହା ଦେଶର ଦ୍ଵିତୀୟ ଦୀର୍ଘତମ ସେତୁ । ଯାହାର ଲମ୍ବ ୪.୭୭ କିମି ରହିଥିବା ବେଳେ ୧୮୨ଟି ସ୍ପାନ୍ ସହ ତିଆରି ଚାଲିଛି ବିରାଟ ବିରାଟ ପିଲାର୍ । ଖୁମ୍ବଗୁଡ଼ିକ ୮ ମିଟରରୁ ଆରମ୍ଭ କରି ସର୍ବାଧିକ ୨୬.୩ ମିଟର ପର୍ଯ୍ୟନ୍ତ ରହିଛି । ଜାମୁସାହି ଠାରୁ ଏହାର ନିର୍ମାଣ କାମ କୁଲୁରୁକୁମ୍ପା ପର୍ଯ୍ୟନ୍ତ ଲମ୍ବିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ରୁ ୬୦% ସ୍ଥାନର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ଏହି କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି । ସବୁଠାରୁ ବଡ଼ କଥା ହେଉଛି, ଏହି ଟ୍ରେନ୍ ଯାତ୍ରା ଯାତ୍ରୀଙ୍କ ପାଇଁ ବିଳାଶପୂର୍ଣ୍ଣ ରହିବ। ଯାତ୍ରା ସମୟରେ ପ୍ରକୃତିର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବେ ଯାତ୍ରୀମାନେ ।
ସେପଟେ ନୟାଗଡ଼ର ବୃତ୍ତଙ୍ଗ ନଦୀରେ ବୃହତ୍ ଜଳଭଣ୍ଡାର ନିର୍ମାଣ ହେବ l ଏଥି ପାଇଁ ୪୯ ଗାଁ ସ୍ଥାନାନ୍ତର ହୋଇଛି l ବୃତ୍ତଙ୍ଗ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ୨୩ ହଜାର ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ହେବ l ଆଉ ଏହି ପ୍ରକଳ୍ପ ଦେଇ ଯିବ ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ l ତେଣୁ ସବୁ ଦିଗକୁ ଦୃଷ୍ଟିରେ ରଖି ରେଳ ବିଭାଗ ଏବଂ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ରେଳ ପ୍ରକଳ୍ପ କାମକୁ ଦ୍ରୁତ ଗତିରେ ଆଗେଇ ନେଉଛନ୍ତି ।

