କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନିର୍ବାଚନୀ ମାମଲା ଖାରଜ
ସମ୍ବଲପୁର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଡ. ସୁବାସ ମହାପାତ୍ର କରିଥିବା ନିର୍ବାଚନୀ ମକଦ୍ଦମାକୁ ମାନ୍ୟବର ହାଇକୋର୍ଟ ବୁଧବାର ଖାରଜ କରିଛନ୍ତି। ସମ୍ବଲପୁର ଲୋକ ସଭା ନିର୍ବାଚନୀ ମାମଲାରେ ହାଇକୋର୍ଟ ମହାପାତ୍ରଙ୍କ ଆବେଦନକୁ ଖାରଜ କରିବା ସହ ଧର୍ମେନ୍ଦ୍ରଙ୍କ ଆବେଦନକୁ ଗ୍ରହଣ କରିଛନ୍ତି।
ଆବେଦନକାରୀ ଡ. ସୁବାସ ମହାପାତ୍ରଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ସଞ୍ଜୟ କୁମାର ମିଶ୍ରଙ୍କ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି।
ସୂଚନାନୁସାରେ, ୨୦୨୪ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକ ସଭା ମଣ୍ଡଳୀରେ ଭାଜପା ପ୍ରାର୍ଥୀ ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜୟ ଲାଭ କରିଥିଲେ। ଏହି ଲୋକ ସଭା ଆସନରୁ ପରାଜିତ ହୋଇଥିବା ପ୍ରାର୍ଥୀ ଡ. ସୁବାସ ମହାପାତ୍ର ଧର୍ମେନ୍ଦ୍ରଙ୍କ ନାମାଙ୍କନ ପତ୍ରରେ ତ୍ରୁଟି ଥିବା ଦର୍ଶାଇ ତାଙ୍କ ନିର୍ବାଚନକୁ ଖାରଜ କରିବା ପାଇଁ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଏଥିରେ ସେ ଦର୍ଶାଇଥିଲେ ଯେ, ପ୍ରଧାନ ତାଙ୍କ ନିର୍ବାଚନୀ ସତ୍ୟପାଠରେ ଅସତ୍ୟ ତଥ୍ୟ ଦାଖଲ କରିଛନ୍ତି। ଏଥିସହିତ ସେ ବେଆଇନ ପଦ୍ଧତିରେ ମଧ୍ୟ ଭୋଟ ହାତେଇଥିବାରୁ ତାଙ୍କ ନିର୍ବାଚନକୁ ଖାରଜ କରିବାକୁ ସେ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ତେବେ ମହାପାତ୍ରଙ୍କ ନିର୍ବାଚନୀ ମକଦ୍ଦମାରେ ସତ୍ୟତା ନ ଥିବା ଦର୍ଶାଇ ଏହାକୁ ପ୍ରାଥମିକ ପର୍ଯ୍ୟାୟରୁ ଶୁଣାଣି ନ କରି ଖାରଜ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହାଇକୋର୍ଟରେ ଆବେଦନ କରିଥିଲେ।

