ରାଷ୍ଟ୍ରପତିଙ୍କ ଜନ୍ମଭୁମିରେ ହେବ ଆଇଆଇଆଇଟି; ବିକାଶ ଦିଗରେ ଗତି କରିବ ମୟୂରଭଞ୍ଜ
ମୟୁରଭଞ୍ଜ ;୨୦|୧୧: ଦେଶର ପ୍ରଥମ ନାଗରିକ ଯିଏକି ଆମ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ତାଙ୍କ ନିଜ ଜିଲ୍ଲା ମୟୂରଭଞ୍ଜ ଏବେ ରାଜ୍ୟ ସରକାରଙ୍କ ଫୋକସ୍ରେ ରହିଛି । ଆମ ରାଜ୍ୟର ପଛୁଆ ଜିଲ୍ଲା ଭାବେ ପରିଚିତ ମୟୂରଭଞ୍ଜକୁ ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲାରେ ପରିଣତ କରିବା ପାଇଁ ଏବେ ସରକାରଙ୍କ ଆଖିକୁ ନିଦ ନାହିଁ । ଏନେଇ ଗତ ଅକ୍ଟୋବର ୨୩ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜିଲ୍ଲାର ବିକାଶ ପାଇଁ ଏକ ସ୍ୱତନ୍ତ୍ର ‘ବ୍ଲୁ-ପ୍ରିଣ୍ଟ’ ପ୍ରସ୍ତୁତ କରାଯାଇଛି । ଏହି ବୈଠକରେ ଅର୍ଥ ବିଭାଗ ସଚିବ, କୃଷି ବିଭାଗ ସଚିବ, ସ୍ବାସ୍ଥ୍ୟ ବିଭାଗ ସଚିବ, ଉଚ୍ଚ ଶିକ୍ଷା ବିଭାଗ ସଚିବ, ଗଣଶିକ୍ଷା ବିଭାଗ ସଚିବ, ପର୍ଯ୍ୟଟନ ସଚିବ, ମୁଖ୍ୟ ବଣ୍ୟପ୍ରାଣୀ ସଂଗ୍ରକ୍ଷକ ଏବଂ ମୟୁରଭଞ୍ଜ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ବିକାଶର ବ୍ଲୁ- ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।
ଏହି ଯୋଜନା ଅନୁଯାୟୀ, ରାଷ୍ଟ୍ରପତିଙ୍କ ଜନ୍ମମାଟି ତଥା ରାଇରଙ୍ଗପୁରରେ ଏକ ଆୟୁର୍ବେଦିକ ମେଡିକାଲ କଲେଜ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଆଇଟି (IIIT) ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ପର୍ଯ୍ୟଟନ ବିଭାଗର ସଚିବମାନେ ମିଳିତ ଭାବେ ଏହି ରୋଡମ୍ୟାପ୍ ତିଆରି କରିଛନ୍ତି | ଯାହା ମୟୂରଭଞ୍ଜର ବିକାଶ ଧାରାକୁ ଆହୁରି ଉଚ୍ଚତରକୁ ନେଇଯିବ । ମୟୂରଭଞ୍ଜ ରାଇରଙ୍ଗପୁରର ଝିଅ ଦେଶର ପ୍ରଥମ ନାଗରିକ ହେବା ପରେ କେବଳ ସାରା ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଚର୍ଚ୍ଚାକୁ ଆସିଥିଲା ଏହି ଜିଲ୍ଲା । ତେବେ ତାଙ୍କ ରାଷ୍ଟ୍ରପତି ପଦବୀରେ ନିଯୁକ୍ତି ପୂର୍ବରୁ ସେଠାରେ ବିଜୁଳିର ମଧ୍ୟ ସୁବିଧା ନଥିଲା | ତାଙ୍କର ରାଷ୍ଟ୍ରପତି ହେବା ପରେ ସେଠାରେ ବିଜୁଳି ସଂଯୋଗ କରାଯାଇଥିଲା | ତେବେ ଏହି ଜିଲ୍ଲାର ଏହି ଝିଅ ପାଇଁ ବଦଳିବ ମୟୂରଭଞ୍ଜର ଚିତ୍ର ।

