Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ସମଲେଶ୍ବରୀଙ୍କ ଭୋଗ ନିମନ୍ତେ ଜୈବିକ ପ୍ରଣାଳୀରେ ଚାଷ ରୁ ପ୍ରସ୍ତୁତ ଅନ୍ନ ସଂଗ୍ରହ ଦିଗରେ ଉଲ୍ଲେଖନିୟ ଅଗ୍ରଗତି:ନୂଆବର୍ଷରୁ ଏହି ଚାଉଳ ରୁ ପ୍ରସ୍ତୁତ ହେବ ଭୋଗ

ସମ୍ବଲପୁର:ସମଲେଶ୍ୱରୀ ମା’ଙ୍କ ଭୋଗ ମଣ୍ଡପକୁ ଜୈବିକ ପଦ୍ଧତି ରେ ଉତ୍ପାଦିତ ଧାନରୁ ପ୍ରସ୍ତୁତ ଚାଉଳ ଯୋଗାଇ ଦେବାପାଇଁ ବରଗଡ଼ ଜିଲ୍ଲା ର ପଦ୍ମପୁର ଅଞ୍ଚଳର କୃଷକ ମାନଙ୍କ ସହିତ ଗତ ୧୫ ସେପ୍ଟେମ୍ବର ରେ ଆରମ୍ଭ ହୋଇଥିବା ପ୍ରୟାସ ଚୂଡାନ୍ତ ପର୍ଯ୍ୟାୟ ରେ ପହଂଚିଛି | ଗତକାଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ର ସଭାପତି ସଞ୍ଜୟ ବାବୁ ଙ୍କ ନେତୃତ୍ୱରେ ସଭ୍ୟ ହେମନ୍ତ ମିଶ୍ର ଓ ବୀରେନ୍ଦ୍ର ରାଏ ପଦ୍ମପୁର ଗସ୍ତ କରି ବିମଳ ଫାର୍ମର୍ସ ପ୍ରୋଡ୍ୟୁସର୍ ଅର୍ଗାନାଇଜେସନ୍, ମହୁଲପାଲି, ପଦ୍ମପୁର ର କୃଷକ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ |
ମା’ ସମଲେଶ୍ୱରୀଙ୍କ ଭୋଗର ପବିତ୍ରତାକୁ ଆଉ ଅଧିକ ଉଚ୍ଚ ମାନକୁ ନେବାପାଇଁ ଜୈବିକ ପ୍ରଣାଳୀରେ ଚାଷ ହୋଇଥିବା ଧାନରୁ ପ୍ରସ୍ତୁତ ଚାଉଳ ବ୍ୟବହାର କରିବାର ପଦକ୍ଷେପ ଗତ କିଛି ଦିନରୁ ଚର୍ଚ୍ଚାରେ ଅଛି। ଏହି ଉଦ୍ୟମର ଗମ୍ଭୀରତାକୁ ବୁଝିବା ଓ ମୂଳ ସ୍ତରର କାର୍ଯ୍ୟକ୍ଷମତାକୁ ଅନୁଧ୍ୟାନ କରିବାପାଇଁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ଓ ସଦସ୍ୟ ଆଜି ବରଗଡ଼ ଜିଲ୍ଲାର ପଦମପୁର ଅଞ୍ଚଳର ବିମଳ ଫାର୍ମରସ ପ୍ରଡୁସର ଅର୍ଗାନିଜେସନ କୁ ବିଶେଷ ଗ୍ରସ୍ତ କରିଛନ୍ତି। ଏହି ଗ୍ରସ୍ତ କେବଳ ଔପଚାରିକ ନୁହେଁ, ବରଂ ପ୍ରାୟୋଗିକ ଭାବରେ କୃଷିପ୍ରଣାଳୀର ଅବସ୍ଥା, ଉତ୍ପାଦନର ନିୟମିତତା, ଗୁଣବତ୍ତା, ଚାଷୀମାନଙ୍କ ପ୍ରସ୍ତୁତି ଓ ସମଗ୍ର ଜୈବିକ ପ୍ରକ୍ରିୟାକୁ ବିବେଚନା କରିବା ନିମନ୍ତେ ଟ୍ରଷ୍ଟ ବୋର୍ଡ ସଦସ୍ୟମାନଙ୍କ ଦ୍ୱାରା ନିଷ୍ଠାପୂର୍ଣ୍ଣ ଅଧ୍ୟୟନ କରାଯାଇଛି।
ବିମଳ ଫାର୍ମରସ ପ୍ରଡୁସର ଅର୍ଗାନିଜେସନ , ପଦମପୁର ଅଞ୍ଚଳର କୃଷକମାନେ ଗତ କିଛି ବର୍ଷ ଧରି ଜୈବିକ ପ୍ରଣାଳୀରେ ଧାନ ଚାଷ କରୁଛନ୍ତି। ବିଶେଷକରି ରାସାୟନିକ ସାର, କୀଟନାଶକ ବ୍ୟବହାର ବନ୍ଦ କରି ପାରମ୍ପରିକ ପ୍ରକୃତି-ଆଧାରିତ ଚାଷ ପ୍ରଣାଳୀକୁ ପୁନଃରୁଜ୍ଜୀବନ କରାଯାଇଛି । ଏହି ଉତ୍ପାଦିତ ଧାନର ଚାଉଳ ମା’ ସମଲେଶ୍ୱରୀଙ୍କ ନିତ୍ୟ ଭୋଗରେ ବ୍ୟବହାର କରାଯାଇବାକୁ ମନ୍ଦିର ଟ୍ରଷ୍ଟ ଉଦ୍ୟମ ଜାରିରଖିଛି ।
ଗ୍ରସ୍ତ ସମୟରେ ସଞ୍ଜୟ ବାବୁ ଓ ଦଳ ଭୂମିର ଉର୍ବରତା, ଚାଷ ପ୍ରଣାଳୀ, ଧାନ ଶୁଷ୍କୀକରଣ ଏବଂ ଚାଉଳ ପ୍ରସ୍ତୁତିର ସମସ୍ତ ପଦକ୍ଷେପକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ସ୍ଥାନୀୟ କୃଷକମାନେ ମା’ ସମଲେଶ୍ୱରୀଙ୍କ ପବିତ୍ର ଭୋଗରେ ନିଜ ଉତ୍ପାଦିତ ଜୈବିକ ଅନ୍ନ ବ୍ୟବହାର ହେବ ବୋଲି ଗର୍ବ ଓ ଭାବନାପୂର୍ଣ୍ଣ ସନ୍ତୋଷ ବ୍ୟକ୍ତ କରିଥିଲେ । ଆସନ୍ତା ନୂଆବର୍ଷରୁ ଏହି ଚାଉଳ ରୁ ପ୍ରସ୍ତୁତ ଭୋଗ ଉପଲବ୍ଧ ହେବ ବୋଲି ନିଷ୍ପତି ନିଆଯାଇଛି |
ଏହି ବିଶେଷ ଗସ୍ତ ଓ ଆଲୋଚନାରେ କୃଷକ ପ୍ରତିନିଧି ମାନେ ଉପସ୍ଥିତ ରହି ତାଙ୍କର ସୁଚିନ୍ତିତ ମତାମତ ରଖିଥିଲେ ଏବଂ ଜୈବିକ ପ୍ରଣାଳୀର ସମସ୍ତ ପକ୍ଷ ଉପରେ ଆଲୋକପାତ କରିଥିଲେ।ବିଶିଷ୍ଟ ଚାଷୀ ନେତା ସରୋଜ ମହାନ୍ତି, ଅଶୋକ କୁମାର ସାହୁ, ମଲୟ ଭୋଇ, ସମାଜ ସେବୀ ପ୍ରିତମ ମେହେର, ସୁରେଶ ଚାନ୍ଦ, ହୃଦାନନ୍ଦ ନାୟକ, ନନ୍ଦଲାଲ ପଟେଲ, ତରଣୀ ସେନ ଦ୍ୱାରୀ, କିଶୋର ଚନ୍ଦ୍ର ଦାଶ, ପୃଥ୍ବୀରାଜ ନାୟକ ଓ ରାଧାରମଣ ପାଣିଗ୍ରାହୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏମାନଙ୍କ ମଧ୍ୟରୁ ଅନେକେ ଜୈବିକ ଚାଷର ଅର୍ଥନୈତିକ ଲାଭ, ପରିବେଶ ସୁରକ୍ଷା ଓ ଭକ୍ତମାନଙ୍କ ପାଇଁ ଶୁଦ୍ଧ ପବିତ୍ର ପ୍ରସାଦ ଯୋଗାଣ ସମ୍ବନ୍ଧୀୟ ସଂପୃକ୍ତ ବିଷୟ ଉପରେ ଗୁରୁତ୍ୱପୂର୍ଣ୍ଣ ମତ ରଖିଥିଲେ।
ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ବାବୁ କହିଛନ୍ତି ଯେ,ମା ସମଲେଶ୍ୱରୀଙ୍କ ଭୋଗ ପବିତ୍ରତାର ପ୍ରତୀକ। ତେଣୁ ଜୈବିକ ପଦ୍ଧତିରେ ଉତ୍ପାଦିତ ଧାନର ଚାଉଳ ବ୍ୟବହାର କରିବା କେବଳ ଭୋଗର ଶୁଦ୍ଧତାକୁ ବଢ଼ାଇବ ତାହା ନୁହେଁ, ଅଞ୍ଚଳର ଚାଷୀ ଭାଇମାନଙ୍କୁ ନୂଆ ସୁଯୋଗ ଓ ଆତ୍ମସମ୍ମାନ ଦେବ। ଆମେ ମନ୍ଦିର ପକ୍ଷରୁ ଏହି ଉଦ୍ୟମକୁ ସମ୍ମତି ଦେଇଥିବାରୁ ସଂପୃକ୍ତ ଅନୁଷ୍ଠାନ ସାଧୁବାଦ ଜଣାଉଛୁ ।ତାଙ୍କ ଅନୁସାରେ, ଜୈବିକ ଚାଷ ଏକ ଲମ୍ବା ପ୍ରକ୍ରିୟା ହେଲେ ମଧ୍ୟ ଭକ୍ତମାନଙ୍କ ପାଇଁ ପବିତ୍ର ପ୍ରସାଦ ଯୋଗାଣର ଉଦ୍ୟମରେ ଏହା ଅତ୍ୟନ୍ତ ଉପଯୋଗୀ ହେବ । ଏହି ଗ୍ରସ୍ତ ଓ ଆଲୋଚନା ଦ୍ୱାରା ପ୍ରମାଣିତ ହୋଇଛି ଯେ, ପଦମପୁର ଅଞ୍ଚଳର ଚାଷୀମାନେ ଜୈବିକ ଚାଷ ପ୍ରଣାଳୀ ପ୍ରତି ସଂପୃକ୍ତ ଓ ଆବେଗଶୀଳ । ମା’ ସମଲେଶ୍ୱରୀଙ୍କ ପବିତ୍ର ଭୋଗରେ ସେମାନଙ୍କ ଶୁଦ୍ଧ ଜୈବିକ ଚାଉଳ ବ୍ୟବହାର ହେବା ଅଞ୍ଚଳର କୃଷିକୁ ନୂଆ ଦିଗରେ ଆଗେଇ ନେବ । ଏହି ପ୍ରୟାସ ନିଶ୍ଚୟ ଭାବେ ଆଗାମୀଦିନରେ ମା’ ସମଲେଶ୍ୱରୀ ମନ୍ଦିରର ଭୋଗ ବ୍ୟବସ୍ଥାରେ ଏକ ନୂତନ ଐତିହ୍ୟ ଗଢ଼ି ଦେବ ବୋଲି ସଂପୃକ୍ତ ଚାଷୀ ମାନେ ମତ ବ୍ୟକ୍ତ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ