Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘୁର୍ଣ୍ଣିବଳୟ ଆରମ୍ଭ; ୨୨ରେ ଲଘୁଚାପ, ୨୪ ରେ ଅବପାତ

ଭୁବନେଶ୍ୱର;୨୧|୧୧: ମାଲାକ୍କା ସମୁଦ୍ରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ଯାଏ ସକ୍ରିୟ ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାଇ , ଏହି ଘୁର୍ଣ୍ଣିବଳୟର ପ୍ରଭାବ ଆସନ୍ତା ୨୨ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବ | ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ଆହୁରି ଘନୀଭୂତ ହେବ | ଦକ୍ଷିଣ ବଙ୍ଗୋପସାଗରର ମଧ୍ୟ ଭାଗରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

ଏହାର ପର ୪୮ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଅଧିକ ଘନୀଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିବଳୟଟି ବାତ୍ୟା ରୂପ ନେବ କି ନାହିଁ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ଅବପାତ ରୂପ ନେବା ପରେ ଏହା ଆହୁରି ଘନୀଭୂତ ହେବାକୁ ଥିବାରୁ ବାତ୍ୟା ସମ୍ଭାବନାକୁ ମଧ୍ୟ ଧ୍ୟାନ ଦିଆଯାଇଛି। ଏଥିପାଇଁ ସମସ୍ତଙ୍କୁ ସତର୍କ ମଧ୍ୟ କରାଯାଇଛି|ପାଣିପାଗ ବିଜ୍ଞାନୀଙ୍କ ପ୍ରାରମ୍ଭିକ ଆକଳନ ଅନୁଯାଇ, ଯଦି ବାତ୍ୟା ସୃଷ୍ଟି ହୁଏ ତେବେ ଏହା ଆନ୍ଧ୍ରପ୍ରଦେଶ ଉପକୂଳମୁହାଁ ହେବ।

ସେପଟେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାପରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ସାଗରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୫୫ କିମି ବେଗରେ ପବନ ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି।

ଅନ୍ୟପକ୍ଷରେ ସାରା ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ବ୍ୟାପକ ପରିବର୍ତ୍ତନ ଆସିଛି। ଦକ୍ଷିଣ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୪.୧ ଡିଗ୍ରିରୁ ଅଧିକ ବୃଦ୍ଧି ପାଇଛି। ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ୨ରୁ ୪ ଡିଗ୍ରି ଯାଏଁ ବଢ଼ିଛି। ତେବେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଛି। ରାଜଧାନୀ ଭୁବନେଶ୍ୱରରେ ରାତି ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ସହ ଶୀତ ଗାଏବ ହୋଇଛି। ୧୮ ଓ ୧୯ ତାରିଖରେ ଆକାଶ ପ୍ରାୟ ମେଘମୁକ୍ତ ରହିଥିବା ବେଳେ ବାଦଲ ଆଛାଦିତ ରହିଥିବାରୁ ତାପମାତ୍ରା ବଢ଼ିଥିବା କୁହାଯାଉଛି। ଗତ ୨୪ ଘଣ୍ଟାରେ ସିମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଘୂ.ଉଦୟଗିରିରେ ୯.୪ ଡିଗ୍ରି, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୧.୫, ଅନୁଗୁଳରେ ୧୧.୬, କୋରାପୁଟରେ ୧୧.୭, ଝାରସୁଗୁଡ଼ାରେ ୧୧.୯ ଡିଗ୍ରି ରହିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ