ବିଜେପି ଏବଂ ଏନଡିଏ କାହା ହାତରେ ପାୱାର ; କାହା ହାତରେ ବିହାରର ରିମୋଟ କଣ୍ଟ୍ରୋଲ
ବିହାର ;୨୪|୧୧: ବିହାର ନିର୍ବାଚନର ଶପଥ ପାଠ ପରେ ଏବେ ନୀତିଶ ସରକାର ବିହାରର ଭାର ସମ୍ଭାଳିଛନ୍ତି | କ୍ୟାବିନେଟ୍ ଗଠନ କରିବା ପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ମଧ୍ୟ ବଣ୍ଟା ହୋଇଥିଲା । କିନ୍ତୁ ଏହି ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟା ଯିବା ବେଳେ ଏହି ନୂଆ ମନ୍ତ୍ରୀମଣ୍ଡଳରେ ବିଜେପି ନେତାଙ୍କ ସଂଖ୍ୟା ଅଧିକ ରହିଛି | ଏହି ବିଭାଜନରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ବି ବିଜେପି ହାତରେ ରହିଛି । ଏମିତି କି ଗୃହ ବିଭାଗ ମଧ୍ୟ ନୀତିଶଙ୍କୁ ଛାଡ଼ିବାକୁ ପଡିଲା | ତେବେ ଏହି ରାଜନୀତି ଖେଳ ଭିତରେ ନୀତିଶ ମଧ୍ୟ ତାଙ୍କ ଖେଳ ଖେଳିଛନ୍ତି | ଶୁଣିବାକୁ ମିଳୁଛି ଯେ , ବିଜେପିକୁ କେବଳ ଗୃହ ବିଭାଗ ଦିଆଯାଇଛି ଏବଂ ଅନ୍ୟ ସବୁ ବିଭାଗର ରିମୋଟ୍ କଣ୍ଟ୍ରୋଲ ନୀତିଶ କୁମାର ନିଜ ପାଖରେ ରଖିଛନ୍ତି ।
ଏଥର ସରକାରରେ ୮୯ ବିଧାୟକ ଜିତି ବିଜେପି ବଡ ଜିତ ହାସଲ କରିଛି । ଆଉ ସରକାରରେ ମଧ୍ୟ ବିଜେପିର ଦବଦବା ରହିଛି । ଅଧାରୁ ଅଧିକ ମନ୍ତ୍ରୀପଦ ବିଜେପି ନିଜ ପାଖରେ ରଖିଥିବାବେଳେ, ଦୁଇ ଉପମୁଖ୍ୟମନ୍ତ୍ରୀ ସହ ବାଚସ୍ପତି ପୋଷ୍ଟ ବି ବିଜେପି ପାଖରେ ରହିଛି । କିନ୍ତୁ ଏଥିରେ ମୁଖ୍ୟ କଥା ହେଉଛି ପ୍ରଥମ ଥର ପାଇଁ ନୀତିଶ କୁମାର ଗୃହ ବିଭାଗକୁ ନିଜ ପାଖରୁ ଛାଡ଼ିଛନ୍ତି | ଯାହାକୁ ନେଇ ଆଜି ପର୍ଯ୍ୟନ୍ତ ତାଙ୍କୁ ସୁଶାସନ ବାବୁ ବୋଲି କୁହାଯାଉଥିଲା । ଏବେ ସେହି ଗୃହ ବିଭାଗର ଦାୟିତ୍ୱ ନେଇଛନ୍ତି ବିଜେପି ନେତା ସମ୍ରାଟ ଚୌଧୁରୀ । ହେଲେ ରାଜନୈତିକ ବିଶେଷଜ୍ଞଙ୍କ କହିବା କଥା, ନୀତିଶ ତାହାରି ଭିତରେ କିନ୍ତୁ ଖେଳିଛନ୍ତି ବଡ଼ ଚାଲ୍ । ବିଜେପିକୁ କେବଳ ଗୃହ ବିଭାଗ ଦେଇ ସାଧାରଣ ପ୍ରଶାସନ ନିଜ ପାଖରେ ରଖିଛନ୍ତି ନୀତିଶ । ଯାହାକୁ ତାଙ୍କ ପାଇଁ ବିଜେପିକୁ ଚଲାଇବାକୁ ରିମୋଟ୍ କଣ୍ଟ୍ରୋଲ ହେବ ବୋଲି ଚର୍ଚ୍ଚା ହେଉଛି ।
ବିହାରରେ ଆଇନ୍ ବ୍ୟବସ୍ଥାକୁ ସମ୍ଭାଳିବାକୁ ଗୃହ ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ । ଏଇ କାରଣରୁ ବିଜେପି ଦୀର୍ଘ ଦିନ ହେଲା ଗୃହ ବିଭାଗକୁ ନିଜ ପାଖକୁ ନେବାକୁ ଚାହୁଁଥିଲା । ହେଲେ ବିଜେପିକୁ ଏଥର ସରକାରରେ ଗୃହ ବିଭାଗ ଦେଇଥିଲେ ବି ସାଧାରଣ ପ୍ରଶାସନ ବିଭାଗକୁ ନୀତିଶ ନିଜ ପାଖରେ ରଖିଛନ୍ତି । ଏହି ବିଭାଗ ହିଁ ବିହାରରେ ଆଇଏଏସ୍ ଆଉ ଆଇପିଏସ୍ ପୋଷ୍ଟିଂ ଆଉ ଟ୍ରାନ୍ସଫରକୁ ନେଇ ନିଷ୍ପତ୍ତି ନେଇଥାଏ, ଯେଉଁ ବିଭାଗ କି ଏବେ ନୀତିଶଙ୍କ ହାତରେ ରହିଛି। ତେଣୁ କହିବାକୁ ଗଲେ, ଆଇନ ଶୃଙ୍ଖଳା ନେଇ ଡିଜିଠୁ ଆରମ୍ଭ କରି ପୁଲିସ ପ୍ରଶାସନ ସମ୍ରାଟ ଚୌଧୁରୀଙ୍କୁ ରିପୋର୍ଟ କଲେ ବି ତାଙ୍କ ପୋଷ୍ଟିଂ କିନ୍ତୁ ନୀତିଶ କୁମାର ହିଁ କରିବେ ।

