ଧାନ ଖରୀରେ ନିଆଁ ଲାଗି ୧୨ ଏକର ଜମିର ପାଖାପାଖି ୫୦୦ ରୁ ଅଧିକ ବସ୍ତା ଧାନ ଭସ୍ମୀଭୂତ !
ବଲାଙ୍ଗୀର : ଆଜି ବଲାଙ୍ଗୀର ଜିଲ୍ଲାରେ ଏକ ଧାନ ଖରୀରେ ନିଆଁ ଲାଗି ଯାଇ ୧୨ ଏକର ଜମିର ପାଖାପାଖି ୫୦୦ ରୁ ଉର୍ଦ୍ଧ୍ବ ବସ୍ତା ଅମଳ ହେବାକୁ ଥିବା ଧାନ ଭସ୍ମୀଭୂତ ହୋଇ ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ୍ ଆଟଗାଁ ପଞ୍ଚାୟତର ସିଲେଟ୍ ପଡ଼ା ଗାଁର ୨ ଭାଇ ସହଦେବ ରଣା ଏବଂ ଉଦ୍ଧବ ରଣା ନିଜ ଚାଷ ଜମିର ଧାନକୁ ଖଳାରେ ଖରୀ କରି ଅମଳ ପାଇଁ ରଖିଥିଲେ । ଉକ୍ତ ଧାନ ଖଳାରେ ଗଚ୍ଛିତ ଥିବା ୧୨ ଏକର ଜମିର ପାଖାପାଖି ୫୦୦ ରୁ ଉର୍ଦ୍ଧ୍ବ ବସ୍ତା ଧାନ ଖରୀରେ କୌଣସି କାରଣରୁ ଗତ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା । ନିଜ ଧାନରେ ନିଆଁ ଲାଗିଥିବା ନେଇ ସୋମବାର ସକାଳ ଭୋର୍ ଟାରେ ସହଦେବ ଏବଂ ଉଦ୍ଧବ ଜାଣିବାକୁ ପାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ତେବେ ଦମକଳ ବାହିନୀର ନିଆଁକୁ ଲିଭାଇବାକୁ ଉଦ୍ୟମ ସତ୍ତ୍ଵେ ଅମଳ ପାଇଁ ଖଳାରେ ରଖା ହୋଇଥିବ ସମସ୍ତ ଧାନ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଭସ୍ମୀଭୂତ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା । ଅହଙ୍କାର ବଶତଃ ଉକ୍ତ ଧାନରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା କ୍ଷତିଗ୍ରସ୍ତ ଚାଷୀ ୨ ଭାଇ ସହଦେବ ଏବଂ ଉଦ୍ଧବ ଅଭିଯୋଗ କରିଛନ୍ତି । ବର୍ଷସାରା ପରିଶ୍ରମର ସୁନାର ଫସଲ ନିଆଁ ଲାଗି ଭସ୍ମୀଭୂତ ହୋଇଥିବା ଯୋଗୁଁ କ୍ଷତିଗ୍ରସ୍ତ ସଂପୃକ୍ତ ୨ ଚାଷୀ ଭାଇ ହତାଶ ହୋଇ ପଡିଛନ୍ତି । ଏପରିକି ସେମାନେ ତାଙ୍କ ବର୍ଷସାରା ପରିଶ୍ରମର ଫସଲକୁ ହରାଇ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି । ତେବେ କ୍ଷତିଗ୍ରସ୍ତ ଉପରୋକ୍ତ ୨ ଚାଷୀ ଭାଇଙ୍କୁ ତାଙ୍କ କ୍ଷତିଗ୍ରସ୍ତ ଚାଷର ଉପଯୁକ୍ତ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

