Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ୍ ଦୁର୍ଘଟଣାରେ ଯୁବକ ମୃତ , ଆସନ୍ତା ଫେବୃୟାରୀରେ ଥିଲା ମୃତକଙ୍କ ବିବାହ !

ବଲାଙ୍ଗୀର : ଆଜି ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଏକ ବାଇକ୍ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯୁବକଙ୍କ ପରିଚୟ ମିଳିଥିବା ବେଳେ ସେ ସଇଁତଲା ଥାନା ଝିଙ୍କିଡୁଙ୍ଗୁରୀ ପଞ୍ଚାୟତ ଅନ୍ତର୍ଗତ ଦୁକାଲଘାଟ୍ ଗାଁର ଭଗବାନ ତମଲିଆ (୨୮) ବୋଲି ଜଣାପଡିଛି । ପୋଲିସ ସୂଚନା ମତେ ଦୁକାଲଘାଟ ଗ୍ରାମର ଭଗବାନ ତମଲିଆ ଓ କମଳାକାନ୍ତ ମଲ୍ଲିକ (୨୯) ଏକ ବାଇକରେ କୌଣସି କାମରେ ତିକ୍ରାପଡ଼ାର ଝରବାହାଲି ଗ୍ରାମକୁ ଯାଇ ସେଠାରୁ ନିଜ ଘରକୁ ସୋମବାର ଅପରାହ୍ନ ୩ ଟା ସମୟରେ ଫେରୁଥିଲେ । କମଳାକାନ୍ତ ବାଇକ୍ ଚଳାଉଥିବା ସମୟରେ ଏକ ବୁଲାଣିରେ ଭାରସାମ୍ୟ ହରାଇ ଆଗ ଚକର ବ୍ରେକ ଜୋରରେ ଦେଇ ଦେଇଥିଲେ । ଯାହା ଫଳରେ ଭଗବାନ ଛିଟିକି ଯାଇ ରାସ୍ତା କଡ଼ରେ ଥିବା ଖମ୍ବରେ ପିଟି ହୋଇଯାଇଥିଲେ । ଭଗବାନଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବାବେଳେ କମଳାକାନ୍ତ ବାଇକ୍ ସହ ତଳେ ପଡ଼ିଯାଇଥିଲେ । ତୁରନ୍ତ କମଳାକାନ୍ତ ଏକ ଗାଡ଼ି ଭଡ଼ା କରି ଭଗବାନଙ୍କୁ ସଇଁତଲା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ସେଠାରେ ଉପସ୍ଥିତ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସଇଁତଲା ଥାନା ଏସ ଆଇ ଆଲୋକ ଭୋଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ବଲାଙ୍ଗିର ଭୀମଭୋଇ ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ପ୍ରକାଶ ଥାଉକି, ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଭଗବାନଙ୍କ ଆଗାମୀ ଫେବୃୟାରୀ ମାସରେ ବିବାହ ହେବାର ଥିବାବେଳେ ସେ ତାଙ୍କ ପରିବାରର ଏକମାତ୍ର ପୁତ୍ର ଅଟନ୍ତି । ସେ ଆଉ ତାଙ୍କ ବିଧବା ମା’ ୨ ଜଣ ନିଜ ଘରେ ରହୁଥିଲେ । ତେବେ ମୃତକ ଭଗବାନ ଜଣେ ଦିନ ମଜୁରିଆ ଭାବେ କାମ କରି ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ଭଗବାନଙ୍କ ମୃତ୍ୟୁରେ ତାଙ୍କ ବିଧବା ମା’ ଏକା ହୋଇ ଯାଇଥିବା ବେଳେ ତାଙ୍କୁ ସରକାରଙ୍କ ତରଫରୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ