Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୋମିଓପାଥି ଓ ଆୟୁର୍ବେଦ ଶିକ୍ଷା ଚିକିତ୍ସା ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘର ଆନ୍ଦୋଳନ ।

ବଲାଙ୍ଗୀର : ଜନାଦୃତ ହୋମିଓପାଥି ଓ ଆୟୁର୍ବେଦ ଚିକିତ୍ସାକୁ ଲୋକାଭିମୁଖୀ କରିବା ଦିଗରେ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଓ ଚରମ ଉଦାସୀନତା ପ୍ରତିବାଦରେ ଆଜି ସାରା ରାଜ୍ୟରେ ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘର ଆନ୍ଦୋଳନ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଆଜି ଦିନ ସାଢେ଼ ୧୧ଟାରେ ବଲାଙ୍ଗିର ଆୟୁର୍ବେଦିକ କଲେଜର ପ୍ରାୟ ୨୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା । ଏଥିରେ ସାମିଲ ଛାତ୍ରଛାତ୍ରୀ ପ୍ରତିବାଦ ସମ୍ପର୍କିତ ବିଭିନ୍ନ ସ୍ଲୋଗାନର ପ୍ଲାକାର୍ଡ ଧରି ନାରାବାଜି କରି ସଂପୃକ୍ତ କଲେଜ ପରିସରରୁ ବାହାରି ସ୍ଥାନୀୟ ଆୟୁର୍ବେଦ ଚିକିତ୍ସାଳୟ ପର୍ଯ୍ୟନ୍ତ ଆସିଥିଲେ । ସେଠାରୁ ପୁଣି ସେମାନେ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ସମଲେଶ୍ଵରୀ ମନ୍ଦିର ଛକ ଦେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେମାନେ ସଂଘର ୮ ଦଫା ସମ୍ମିଳିତ ଏକ ଦାବୀ ପତ୍ର ବଲାଙ୍ଗୀର ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ପ୍ରଦାନ କରିଥିଲେ । ତେବେ ଦାବୀପତ୍ରରେ ନୂତନ ଆୟୁଷ ଡାକ୍ତର ପଦବୀ ସୃଷ୍ଟି କରାଯିବା, ଉଚ୍ଚ ଶିକ୍ଷା ନିମନ୍ତେ ଆସନ ବୃଦ୍ଧି କରାଯିବା, ଡ଼ାଇନାମିକ ଷ୍ଟାଇପେଣ୍ଟ ଦିଆଯିବା, କଲେଜ ଗୁଡିକରେ ପରିଚଳନା କମିଟି ପୁନଃ ଗଠନ କରାଯିବା, କେନ୍ଦ୍ର ଆୟୁଷ ମନ୍ତ୍ରାଳୟର ସମସ୍ତ ନିୟମାବଳୀ ପାଳନ କରାଯିବା, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାରେ ଆୟୁଷଙ୍କୁ ଅନ୍ତର୍ଭୁକ୍ତ କରାଯିବା, ଆୟୁଷ ଚିକିତ୍ସା ପଦ୍ଧତିରେ ପ୍ରଚାର ପ୍ରସାର କରାଯିବା ଏବଂ ସ୍ଵତନ୍ତ୍ର ଆୟୁଷ ବିଭାଗ ସ୍ଥାପନ କରାଯିବା ନେଇ ଦାବୀ ଗୁଡ଼ିକ ଉଲ୍ଲେଖ କରାଯାଇଛି । ଆଗାମୀ ଦିନରେ ଏହି ଦାବୀ ଉପରେ କୌଣସି ପଦକ୍ଷେପ ନିଆନଗଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଆନ୍ଦୋଳନ ଛାତ୍ର ସଂଘ ପକ୍ଷରୁ ଚେତାବନୀ ଦିଆ ଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ