ରାଜ୍ୟ ସ୍ତରୀୟ ଥାଙ୍ଗ ଟା ଚାମ୍ପିୟନସିପରେ ଧରବଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅଦ୍ଭୁତପୂର୍ବ ସଫଳତା ।
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ।
ଏଥିରେ ବଲାଙ୍ଗିର ଜିଲ୍ଲାର ସଇଁତଳା ବ୍ଲକ୍ ଅନ୍ତର୍ଗତ ଧରବଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନିଜ ନିଜର ଅଦ୍ଭୁତ କ୍ରିଡା ଦକ୍ଷତା ପ୍ରଦର୍ଶନ କରି ସମଗ୍ର ଅଞ୍ଚଳର ଗର୍ବ ବଢ଼ାଇଛନ୍ତି ।
ଏହି ପ୍ରତିଯୋଗିତାରେ ଧରବଗଡ ହାଇସ୍କୁଲର ଛାତ୍ରଛାତ୍ରୀ ୭ ଟି ସ୍ବର୍ଣ୍ଣ ପଦକ, ୧ ଟି ରୌପ୍ୟ, ୨ ଟି କାଂସ୍ୟ ପଦକ ପାଇ ବେଷ୍ଟ ଚମ୍ପିୟାନ ଆୱାର୍ଡ଼ ପାଇ ଧରବଗଡ ତଥା ହାଇସ୍କୁଲର ସୁନାମ ଅର୍ଜନ କରିଛନ୍ତି ।
ଏହି ପ୍ରତିଯୋଗିତାରେ ସଂପୃକ୍ତ ସ୍କୁଲର ରିବିକା ବାରିକଙ୍କ ସମେତ ସସ୍ମିତା ପଶାୟତ, ଅନନ୍ୟା କୁଅର, ଦିପିକା ବଗର୍ତି, ସତ୍ୟସାଇ ପଧାନ, ଯୁବରାଜ ଜାଲ, ଅଜୟ ଭୋଇ ଙ୍କୁ ଗୋଟିଏ ଲେଖାଏଁ ସ୍ଵର୍ଣ୍ଣ ପଦକ ମିଳିଥିବା ବେଳେ ଏହିମାନେ ଆଗାମୀ ଜାନୁଆରୀ ମାସ ୧୭ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ଜାତୀୟ ସ୍ତରରେ ଅଂଶଗ୍ରହଣ କରିବେ ।
ସେହିପରି ୟଶରାଜ ପଧାନ ଏବଂ ବିଶ୍ୱଜିତ ପଣ୍ଡା (ପୂର୍ବତନ ଛାତ୍ର)ଙ୍କୁ ଗୋଟିଏ ଲେଖାଏଁ ରୋପ୍ୟ ପଦକ ମିଳିଥିବା ବେଳେ ସୁଦେଷ୍ଣା ବାରିକ ଏବଂ ଝରଣା ରାନୀ ମାଝୀଙ୍କୁ ଗୋଟିଏ ଲେଖାଏଁ କାଂସ୍ୟ ପଦକ ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ।
ଏଥିସହ ଅଭିନାଶ ସ୍ୱାଇଁ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିଦ୍ୟାଳୟର କ୍ରୀଡା ଯାତ୍ରାକୁ ଆହୁରି ଉଜ୍ଵଳ କରିଛନ୍ତି ।
ଏହି ସଫଳତାର ପଛରେ ବିଦ୍ୟାଳୟର କ୍ରୀଡାଶିକ୍ଷକ ଚନ୍ଦ୍ର ଶେଖର ବାହୁକଙ୍କର କଠିନ ପ୍ରଶିକ୍ଷଣ ଏବଂ ନିରନ୍ତର ପ୍ରେରଣା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି । ସେ ବିଦ୍ୟାଳୟର କ୍ରିଡା କ୍ଷେତ୍ରକୁ ଉନ୍ନତିର ପଥରେ ନେବାରେ ନିଜର ସର୍ବୋଚ୍ଚ ଚେଷ୍ଟା କରୁଛନ୍ତି ।
ଏହି ସମ୍ଭାବନାମୟ ପ୍ରଦର୍ଶନ କେବଳ ବିଦ୍ୟାଳୟ ପାଇଁ ନୁହେଁ ବରଂ ସମଗ୍ର ସଇଁତଳା ବ୍ଲକ୍ ଏବଂ ବଲାଙ୍ଗିର ଜିଲ୍ଲା ପାଇଁ ମଧ୍ୟ ଗର୍ବର ବିଷୟ ।
ଯୁବ ପିଢ଼ୀଙ୍କୁ କ୍ରିଡାରେ ସଚେତନ କରିବା, ସ୍ୱାସ୍ଥ୍ୟ ସଚେତନତା ବଢ଼ାଇବା ଏବଂ ରାଷ୍ଟ୍ରୀୟ ସ୍ତରରେ ନିଜ ଦକ୍ଷତା ପ୍ରଦର୍ଶନ କରିବାର ପଥରେ ଏହା ଗୋଟିଏ ଦୃଢ଼ ପଦକ୍ଷେପ ।
ବିଦ୍ୟାଳୟ ପରିବାର, ଶିକ୍ଷକମାନେ ଓ ଅଭିଭାବକମାନେ ଏହି ସଫଳତାରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି । ଏହି ପ୍ରତିଭାଶାଳୀ ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ବିଦ୍ୟାଳୟ ଅଞ୍ଚଳ ଓ ରାଜ୍ୟର ନାମକୁ ଉଜ୍ଵଳ କରିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବି ମହଲରେ ଆଶା ବ୍ୟକ୍ତ କରିଛନ୍ତି ।

