Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର ଫଳ ମାର୍କେଟ୍ ରେ ନିଆଁ ଲାଗି ୫୦ ରୁ ଅଧିକ ଦୋକାନ ଭସ୍ମୀଭୂତ ; କାରଣ ଅସ୍ପଷ୍ଟ !

ବଲାଙ୍ଗୀର,୮/୧୨: ଆଜି ବଲାଙ୍ଗୀରର ତହସିଲ କାର୍ଯ୍ୟାଳୟ ସାମ୍ନାରେ ଥିବା ଫଳ ମାର୍କେଟ୍ ରେ ହଠାତ୍ କୌଣସି କାରଣରୁ ହୁତୁହୁତୁ ହୋଇ ନିଆଁ ଲାଗି ଯାଇଛି । ଏହି ନିଆଁରେ ୫୦ ରୁ ଅଧିକ ଫଳ ଦୋକାନ ସମ୍ପୂର୍ଣ୍ଣ ଭାବେ ଜଳିଯାଇ ଛାରଖାର ହୋଇ ଯାଇଥିବା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ, ଆଜି ପ୍ରାୟ ମଧ୍ୟାହ୍ନ ୩ ଟା ସମୟରେ ହଠାତ୍ କୌଣସି କାରଣରୁ ଏହି ଫଳ ମାର୍କେଟ୍ ରେ ନିଆଁ ହୁତୁହୁତୁ ଜଳି ଉଠିଥିଲା । କେହି କିଛି ଜାଣିବା ପୂର୍ବରୁ ଏହି ନିଆଁ ଏଭଲି ଭାବେ ଫଳ ମାର୍କେଟ୍ ରେ ଚାରି ଆଡ଼େ ବ୍ୟାପୀ ଯାଇଥିଲା ଯେ ୧୦ ମିନିଟ୍ ଭିତରେ ୫୦ ରୁ ଅଧିକ ଫଳ ଦୋକାନ ସମ୍ପୂର୍ଣ୍ଣ ଭାବେ ଜଳି ଛାରଖାର ହୋଇ ଯାଇଥିଲା । ଖବର ପାଇ ବଲାଙ୍ଗୀର ପୋଲିସ ସାଙ୍ଗେ ସାଙ୍ଗେ ସ୍ଥାନୀୟ କଚେରୀ ଛକ ଠାରୁ ପାଟଣା ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଟ୍ରାଫିକ୍ ନିୟନ୍ତ୍ରଣ କରିବାକୁ ଯାଇ ରାସ୍ତା ଜାମ୍ କରିଥିଲା । ସେହିପରି ସ୍ଥାନୀୟ ଅଗ୍ନିଶମ ବାହିନୀ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିବା ସତ୍ତ୍ଵେ ନିଆଁ ଆୟତ୍ତ କରିବା ପୂର୍ବରୁ ସବୁକିଛି ଛାରଖାର୍ ହୋଇ ସାରିଥିଲା । ବଲାଙ୍ଗୀର ଏସ୍ ପି ଅଭିଳାଷ ଜି ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ତେବେ ନିଆଁରେ କ୍ଷତିଗ୍ରସ୍ତ ଫଳ ଦୋକାନୀ ମାନେ ଉପଯୁକ୍ତ କ୍ଷତି ପୂରଣ ଦାବିରେ ୨୬ ନଂ ଜାତୀୟ ରାଜପଥରେ ଧାରଣାରେ ବସିଥିଲେ । ଖବର ପାଇ ବଲାଙ୍ଗୀରର ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିକା ସାହୁ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଦୋକାନୀଙ୍କ ସହ ଆଲୋଚନା କରିବା ସହ କ୍ଷତି ପୂରଣ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ ହେଁ ଏଥିରେ ଦୋକାନୀ ମାନେ ସନ୍ତୁଷ୍ଟ ହୋଇନଥିଲେ । ତେବେ ପ୍ରତିଶୃତି ଦେଇ ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଘଟଣା ସ୍ଥଳରୁ ଚାଲି ଯାଇଥିବା ବେଳେ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ କ୍ଷତିଗ୍ରସ୍ତ ଦୋକାନୀ ମାନେ ଆନ୍ଦୋଳନରୁ ଉଠିବା ପର୍ଯ୍ୟନ୍ତ ଆନ୍ଦୋଳନରତ ଫଳ ଦୋକାନୀଙ୍କ ସହ ଆଲୋଚନା କରିଥିଲେ । ଶେଷରେ ସଂନ୍ଧ୍ୟା ପ୍ରାୟ ସାଢ଼େ ୬ ଟାରେ ବଲାଙ୍ଗୀର ମ୍ୟୁନିସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀଙ୍କ ସହ କ୍ଷତିଗ୍ରସ୍ତ ଦୋକାନୀକୁ ଆଗାମୀ ୧୫ ଦିନ ମଧ୍ୟରେ ଉପଯୁକ୍ତ ଥଇଥାନ୍ କରିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରତ ଦୋକାନୀ ମାନଙ୍କ ଆନ୍ଦୋଳନ ହଟିଥିଲା । ତେବେ ଏହି ନିଆଁ ଲାଗିଥିବା ଫଳରେ ପ୍ରାୟ ୬୦ ରୁ ଅଧିକ ଫଳ ଦୋକାନୀଙ୍କ ପାଖାପାଖି କୋଟିଏରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ନେଇ ଫଳ ଦୋକାନୀ ସଂଘର ସଭାପତି ଏମ୍ ଡି ବବଲୁ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ