ଦେଶୀ ବନ୍ଧୁକ ଦେଖାଇ ପ୍ରଧାନଶିକ୍ଷକଙ୍କୁ ଡ଼ରାଇଲେ ନବମ ଶ୍ରେଣୀ ଛାତ୍ର; ବନ୍ଧୁକ ସହ ଛାତ୍ରଙ୍କୁ ଧରିଲା
କେନ୍ଦ୍ରାପଡ଼ା;୧୩|୧୨ : ସରକାରୀ ବିଦ୍ୟାଳୟରେ ହୋଇଛି ପରିବର୍ତ୍ତନ | ଏବେ ହାତରେ ଖାତା ପେନ ରହିବା ବୟସରେ ଛାତ୍ରଙ୍କ ହାତରେ ଦେଶୀ ବନ୍ଧୁକ । ବିଦ୍ୟାଳୟକୁ ନେଇକି ଯାଉଛନ୍ତି ଦେଶୀ ବନ୍ଧୁକ | ପୁଣି ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ଲଗାଇ ଧମକାଇଲେ । ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରଙ୍କ ଏଭଳି ହରକତକୁ ନେଇ ସମସ୍ତେ ଚକିତ । କାଲି ଅପରାହ୍ଣରେ ନବମ ଶ୍ରେଣୀ ଛାତ୍ର ଜଣଙ୍କ ଶ୍ରେଣୀଗୃହରେ ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ଦେଶୀ ବନ୍ଧୁକ ରଖି ଧମକାଇଛନ୍ତି। ଏଭଳି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ପିଏମ୍. ଶ୍ରୀ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି। ସୂଚନା ଅନୁଯାଇ, କେବଳ କାଲି ନୁହେଁ ବରଂ ଏହା ପୂର୍ବରୁ ମଧ୍ୟ ଉକ୍ତ ଛାତ୍ର ଜଣଙ୍କ ବନ୍ଧୁକ ଆଣି ଆସିଥିବା ଅଭିଯୋଗ ହୋଇଛି । କାଲିର ଘଟଣା ପରେ ଘଟଣାସ୍ଥଳରେ ପୋଲିସ ପଶିବା ସହ ବନ୍ଧୁକ ଜବତ କରିଛି। ଛାତ୍ରଙ୍କୁ ଏବେ ସୁଧାର ଗୃହରେ ରଖାଯାଇଛି ।
ସୂଚନା ଅନୁସାରେ ପିଏମ୍. ଶ୍ରୀ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଜଣକର କୌଣସି କାରଣ ପାଇଁ ପ୍ରଧାନଶିକ୍ଷକ ନୃସିଂହ ମଲ୍ଲିକଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଯାହା ପରେ ଛାତ୍ର ଜଣଙ୍କ ଦେଶୀ ବନ୍ଧୁକ ସିଧା ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ଲଗାଇ ଧମକଚମକ ଦେଇଥିଲେ। ବିଦ୍ୟାଳୟରେ ଛାତ୍ରଙ୍କ ହାତରେ ବନ୍ଧୁକକୁ ଦେଖି ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକମାନେ ମଧ୍ୟ ଡରି ଯାଇଥିଲେ| କୁଦାନଗରୀ ଥାନା ପୋଲିସ ଖବର ପାଇ କୋରୁଆ ପିଏମ୍. ଶ୍ରୀ ବିଦ୍ୟାଳୟରେ ପଶିବା ସହ ବନ୍ଧୁକକୁ ଜବତ କରିଛି ।

