ଦ୍ୱିତୀୟ ଦିନରେ କଣ୍ଟାବାଞ୍ଜି ସପ୍ତମ ଲୋକ ମହୋତ୍ସବ, ପାରମ୍ପାରିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିମୋହିତ ଦର୍ଶକ !
ବଲାଙ୍ଗୀର,୨୧/୧୨: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଲୋକ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟାରେ ସପ୍ତମ ବର୍ଷ ଲୋକ ମହୋତ୍ସବ ଡ଼ାଲଖାଇ, ରସରକେଲି, ମାଇଳା ଜାଡ଼ , ଢାପ, ଘୁଡୁକା ଭଲି ପାରମ୍ପାରିକ ଏବଂ ସାଂସ୍କୃତିକ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଛି । ଯାହାକୁ ନେଇ ଦର୍ଶକ ମାନେ ପ୍ରଚଣ୍ଡ ଶୀତ ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପଭୋଗ କରିଥିଲେ । ଦର୍ଶକ ମାନଙ୍କ ଉତ୍ସାହକୁ ଦେଖି କଳାକାର ମାନେ ମଧ୍ୟ ମଞ୍ଚ ଛାଡ଼ିବା ପାଇଁ ଅନିଚ୍ଛା ସତ୍ତ୍ଵେ ଅନ୍ୟ କଳାକାର ମାନଙ୍କ ପାଇଁ ଛାଡ଼ିବା ପାଇଁ ପଡୁଥିଲା ।
ଏହି ମହୋତ୍ସବର ଦ୍ଵିତୀୟ ରଜନୀରେ ୨୦ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟାରେ ଦର୍ଶକମାନେ ସାମିଲ ହୋଇ ମହୋତ୍ସବକୁ ଉପଭୋଗ କରିଥିଲେ । ଉପସ୍ଥିତ ଦର୍ଶକମାନଙ୍କୁ ସାନବଡ଼ଙ୍କ ଢାପ ଘୋଡ଼କା ଆକର୍ଷଣର ଖୋରାକ୍ ଦେଇଥିଲା । ପ୍ରଚଣ୍ଡ ଶୀତ ରାତିରେ ସଙ୍ଗୀତ ପରିବେଷଣ ଦେଖିବା ପାଇଁ ଦର୍ଶକ ମାନଙ୍କ ମଧ୍ୟରେ ଉତ୍ସାହିତ ଦେଖିବାକୁ ମିଳିଥିଲା । ଉଦଯାପନୀ ସନ୍ଧ୍ୟାରେ ଆହୁରି ପ୍ରବଳ ସମାଗମ ହେବାର ସମ୍ଭାବନା ରହିଥିବା ବେଳେ ଦ୍ଵିତୀୟ ରଜନୀରେ ମୁଖ୍ୟ ଅତିଥି ଭାବେ ଏହି ମହୋତ୍ସବର ପ୍ରତିଷ୍ଠାତା ଶ୍ରୀ ଅଜୟ ଦାସ ଯୋଗ ଦେଇଥିଲେ, ସମାନିତ ଅତିଥି ଭାବରେ କଣ୍ଟାବାଞ୍ଜି ନଗରପାଳ ଶ୍ରୀ ବରିୟାମ୍ ସିଂ ସାଲୁଜାଙ୍କ ସମେତ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ହରିବନ୍ଧୁ ମେହେର, ଅବସରପ୍ରାପ୍ତ ଆର୍ମୀ ତଥା ବିଜୁ ଜନତା ଦଳର ଯୁବ ନେତା ଶ୍ରୀ ଗିରିରାଜ୍ ସିଂ ମାଝି ଯୋଗ ଦେଇଥିଲେ। ଲୋକ ମହୋତ୍ସବ କମିଟିର ସଭାପତି ଶ୍ରୀ ଅଶୋକ ଦାସ, ସାଧାରଣ ସମ୍ପାଦକ ଶ୍ରୀ ଚିନ୍ମୟ କୁମାର ଯୋଶୀ, କାର୍ଯ୍ୟକାରୀ ସଭାପତି ବିନୟ ବିଭାର, ଉପାଧ୍ୟକ୍ଷ ଶ୍ରୀ ଦେବରାଜ ଯାଦବ, ସାଂସ୍କୃତିକ ଉପ-ସଭାପତି ଶ୍ରୀ ଜଗମୋହନ ତାଣ୍ଡି ପ୍ରମୁଖ ମଞ୍ଚାସୀନ ରହିଥିଲେ । ମଞ୍ଚ ପରିଚାଳନା କରିଥିଲେ ଆଇନଜୀବୀ ମନୋଜ କୁମାର ଦାସ ।
ପ୍ରଥମ ରଜନୀରେ ମଧ୍ୟ ଦର୍ଶକ ମାନଙ୍କ ମନ ମୋହିଥିଲେ ଅନ୍ତରାଜ୍ଯ ପ୍ରସିଦ୍ଧ ଆଦିମ ବିଚାରର କଳାକାର ଶଙ୍କର ବେହେରା ଓ ତାଙ୍କର ଟିମ୍ ।

