ଭୁବନେଶ୍ୱରରେ ବଲାଙ୍ଗୀରର ସାମ୍ବାଦିକ ଫିରୋଜ ସାହୁ ସମ୍ମାନିତ ।
ବଲାଙ୍ଗୀର,୨୩/୧୨: ବଲାଙ୍ଗୀର ଜିଲ୍ଲାର ଜଣେ ଖ୍ୟାତନାମା ସାମ୍ବାଦିକ ଶ୍ରୀ ଫିରୋଜ କୁମାର ସାହୁଙ୍କୁ ଭୂବନେଶ୍ୱରରେ ଆୟୋଜିତ ଏକ ଅଗ୍ରଣୀ ୱେବ୍ ଚ୍ୟାନେଲର ବାର୍ଷିକ ଉତ୍ସବରେ ସମ୍ମାନିତ କରାଯାଇଛି । ଏନେଇ ଖବର ପ୍ରକାଶ ପାଇବା ପରେ ସାମ୍ବାଦିକ ସଙ୍ଘ ଓ ମଜଦୁର ସଙ୍ଘ ମହଲରେ ଖୁସୀର ମାହୋଲ୍ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ଶ୍ରୀ ସାହୁ ଦୀର୍ଘ ବର୍ଷ ଧରି ବଲାଙ୍ଗୀର ଜିଲ୍ଲାରେ ସାମ୍ବାଦିକ ଭାବେ କାର୍ଯ୍ୟରତ ଅଛନ୍ତି । ସେ ସତ୍ୟ, ନ୍ୟାୟ ଓ ଲୋକହିତ ଆଧାରିତ ସମ୍ବାଦ ପ୍ରସ୍ତୁତି ମାଧ୍ୟମରେ ଏକ ସ୍ୱତନ୍ତ୍ର ପରିଚୟ ଗଢ଼ି ଉଠିଛନ୍ତି। ସେ ଜଣେ ଉତ୍ତମ ବ୍ୟବହାରଧାରୀ ସାମ୍ବାଦିକ ଭାବେ ପରିଚିତ । ପ୍ରଶାସନ, ସାମାଜିକ ସଂଗଠନ, ଜାତି ସମାଜ, ବ୍ୟବସାୟୀ ସଙ୍ଘ ଏବଂ ସାଧାରଣ ଜନତାଙ୍କ ସହିତ ସୁସମ୍ପର୍କ ଗଢ଼ିବାରେ ସେ ସଫଳତା ହାସଲ କରିଛନ୍ତି।
ଶ୍ରୀ ସାହୁ ବଲାଙ୍ଗୀର ଜିଲ୍ଲାର କାର୍ଯ୍ୟରତ ୱେବ୍ ସାମ୍ବାଦିକ ମାନଙ୍କୁ ନେଇ ଗଠିତ ସରକାରୀ ଅନ୍ତର୍ଭୁକ୍ତ ସଂଗଠନ ‘ୱେବ୍ ମିଡ଼ିଆ ସାମ୍ବାଦିକ ସଙ୍ଘ’ର ସ୍ଥାପକ ସଦସ୍ୟ ଭାବେ ଗତ ୩ ବର୍ଷ ଧରି ସଭାପତି ଦାୟିତ୍ୱ ସଫଳତାର ସହିତ ପାଳନ କରୁଛନ୍ତି। ଏହା ସହିତ ସେ ଜଣେ ମଜଦୁର ସଙ୍ଘର ପ୍ରମୁଖ ପଦାଧିକାରୀ ଭାବେ ଜିଲ୍ଲାର ଅନେକ ମଜଦୁରଙ୍କ ବିଭିନ୍ନ ସମସ୍ୟାରେ ସଦା ସକ୍ରିୟ ଭାବେ ସାହାଯ୍ୟର ହାତ ବଢ଼ାଇ ଆସୁଛନ୍ତି।
ତାଙ୍କର ଏହି ସାମାଜିକ ସେବା ମୂଳକ ମନୋଭାବ ଓ ସାମ୍ବାଦିକତାରେ ନିଷ୍ଠା ପାଇଁ ଗତବର୍ଷ ‘ହେପି ମୁଭମେଣ୍ଟ ଇଣ୍ଡିଆ’ ପକ୍ଷରୁ ଦୁଇଟି ରାଜ୍ୟ ସ୍ତରୀୟ ପୁରସ୍କାରରେ ଶ୍ରୀ ସାହୁ ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ଓଡ଼ିଶାର ଏକ ଅଗ୍ରଣୀ ୱେବ୍ ଚ୍ୟାନେଲ ‘ଟାଇମ୍ସ ୱାନ ଓଡ଼ିଆ’ ପକ୍ଷରୁ ଭୁବନେଶ୍ୱର ସ୍ଥିତ ସୂର୍ଯ୍ୟନ୍ସ ହୋଟେଲରେ ଆୟୋଜିତ ପଞ୍ଚମ ବାର୍ଷିକ ଉତ୍ସବରେ ତାଙ୍କୁ ସମ୍ମାନିତ କରାଯାଇଛି।
ଉକ୍ତ ଉତ୍ସବରେ ମଞ୍ଚରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲାର ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ବାଙ୍କୀର ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ଡା. ବଦ୍ରୀନାଥ ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ଗିରିଜା ଶଙ୍କର ଦାଶ ଉପସ୍ଥିତ ରହିଥିଲେ। ଏହି ଉତ୍ସବରେ ସମଗ୍ର ଓଡ଼ିଶାରୁ ଶତାଧିକ ସାମ୍ବାଦିକ ଉପସ୍ଥିତ ଥିଲେ।
ଏହି ସମ୍ମାନ ପାଇଁ ଶ୍ରୀ ସାହୁ ଚ୍ୟାନେଲର ମୁଖ୍ୟ ଶ୍ରୀ ଅକ୍ଷୟ ଚାନ୍ଦଙ୍କୁ ହୃଦୟରୁ ଆନ୍ତରିକ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଥିବା ବେଳେ, ଆଗାମୀ ଦିନରେ ‘ଟାଇମ୍ସ ୱାନ ଓଡ଼ିଆ’ ଚ୍ୟାନେଲ ଲୋକ କଲ୍ୟାଣ ମୂଳକ କାର୍ଯ୍ୟ ମାଧ୍ୟମରେ ସାଧାରଣ ଲୋକଙ୍କ ସମସ୍ୟା ସମାଧାନରେ ଆହୁରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା ପ୍ରକାଶ କରିଛନ୍ତି।

