ପରଲୋକରେ ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି
ଭୁବନେଶ୍ୱର,୨୬|୧୨: ପରଲୋକରେ ବରିଷ୍ଠ ବିଜେପି ନେତ୍ରୀ ତଥା ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି।
ସୂଚନା ମୁତାବକ, ଗତ କିଛିଦିନ ହେବ ଅସୁସ୍ଥ ଥିବା କାରଣରୁ ସେ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ପୂର୍ବରୁ ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟିକା ଥିଲେ।
ରାଜ୍ୟ ରାଜନୀତିର ସେ ଜଣେ ଆଗ ଧାଡ଼ିର ମହିଳା ନେତ୍ରୀ ଥିଲେ। ତାଙ୍କ ଦେହାନ୍ତ ଘଟଣାରେ ଯାଜପୁର ଜିଲ୍ଲା ତଥା କୋରେଇ ନିର୍ବାଚନ ମଣ୍ଡଳୀରେ ଶୋକର ବାତାବରଣ ଖେଳି ଯାଇଛି। ତାଙ୍କର ପରଲୋକ ଘଟଣାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ମାନେ ଶୋକପ୍ରକାଶ କରିଛନ୍ତି। ଏହି ଶୋକାକୁଳ ପରିବେଶରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନିଜର ବ୍ୟକ୍ତିଗତ ସୋସିଆଲ ମିଡ଼ିଆ Xରେ ସଞ୍ଚିତା ମହାନ୍ତିଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରିଛନ୍ତି |
ସେ ଆହୁରି କହିଛନ୍ତି ଯେ, ସଞ୍ଚିତା ମହାନ୍ତି କେବଳ ଜଣେ ଦକ୍ଷ ରାଜନେତ୍ରୀ ନୁହଁନ୍ତି, ବରଂ ଜନସେବା ଓ ସାଂଗଠନିକ କାର୍ଯ୍ୟରେ ସମର୍ପିତ ଜଣେ କର୍ମଠ ନେତ୍ରୀ ଥିଲେ। କୋରେଇ ଅଞ୍ଚଳର ବିକାଶ ଏବଂ ଜନକଲ୍ୟାଣ ପାଇଁ ସେ ନିରନ୍ତର ପରିଶ୍ରମ କରିଥିଲେ ଏବଂ ସାଧାରଣ ଜନତାଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଥିଲେ। ଏହି ଶୋକାବହ ମୁହୂର୍ତ୍ତରେ ମୁଁ ବ୍ୟକ୍ତିଗତ ଭାବେ ଏବଂ ଭାଜପା ଓଡିଶା ପରିବାର ତରଫରୁ ତାଙ୍କ ପରିବାର ବର୍ଗ, ଆତ୍ମୀୟସ୍ୱଜନ ଏବଂ ଅନୁଗାମୀମାନଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ପ୍ରଭୁ ଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖ ସହ୍ୟ କରିବାର ଅସୀମ ଶକ୍ତି ଦିଅନ୍ତୁ।

