Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏପ୍ରିଲରେ ସରୁଛି ୪ରାଜ୍ୟସଭା ପ୍ରାର୍ଥୀଙ୍କ କାର୍ଯ୍ୟକାଳ; ଆରମ୍ଭ ହେବ ବିଜେପି ଏବଂ ବିଜେଡି ମଧ୍ୟରେ ଲଢେଇ

ଭୁବନେଶ୍ୱର,୨।୧: ରାଜ୍ୟସଭାର ୪ ଆସନକୁ ନେଇ ଆରମ୍ଭ ହେବ ଦଳ ମଧ୍ୟରେ ସଂଘର୍ଷ। ଏହା ୨୦୨୬ରେ ପ୍ରଥମ ଲଢ଼େଇ ହେବ ରାଜ୍ୟସଭା ପାଇଁ । ଆସନକୁ ନେଇ ଉଭୟ ବିଜେପି ଏବଂ ବିଜେଡି ମଧ୍ୟରେ ଟଣାଓଟରା ଚାଲିବ । ତେବେ ରାଜନୀତି ର ଗଣନା ଅନୁସାରେ, ୨ଟି ଆସନ ବିଜେପିକୁ ମିଳିବା ବେଳେ ଆଉ ଗୋଟିଏ ବିଜେଡିକୁ ମିଳିବା ନେଇ ନିଶ୍ଚିତ ହୋଇଛି । ତେବେ ଚତୁର୍ଥ ଆସନକୁ ନେଇ ଜୋରଦାର ସଂଘର୍ଷ ହେବ। ଚତୁର୍ଥ ଆସନ କେଉଁ ଦଳ ହାସଲ କରିବ ତାକୁ ରହିଲା ଅପେକ୍ଷା। ୨୦୨୬ର ଏହି ଲଢ଼େଇକୁ ନେଇ ଅନେକଙ୍କ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି।

ସୂଚନା ଅନୁସାରେ, ଏ ବର୍ଷ ଏପ୍ରିଲ ମାସରେ ଓଡ଼ିଶାର ୪ ରାଜ୍ୟସଭା ଆସନ ଖାଲି ହେବାର ରହିଛି । ଆସନ୍ତା ଏପ୍ରିଲରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ମମତା ମହାନ୍ତ, ନିରଞ୍ଜନ ବିଶି, ମୁନ୍ନା ଖାଁଙ୍କ କାର୍ଯ୍ୟକାଳ ଅବଧି ସରୁଛି । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ଏହି ଚାରୋଟି ଯାକ ଆସନ ବିଜେଡିର ରହିଥିଲା। କିନ୍ତୁ ଗତ ନିର୍ବାଚନ ପରେ, ବିଜେଡିର ପରାଜୟ ପରେ,ସୁଜିତ କୁମାର ଓ ମମତା ମହାନ୍ତ ବିଜେଡି ଦଳ ଛାଡ଼ି ପୁନର୍ବାର ବିଜେପିରୁ ରାଜ୍ୟସଭା ଯାଇଥିଲେ । ଆଉ ଏବେ ଏହି ୪ ଆସନରୁ ୨ଟି ବିଜେଡିର ଥିବାବେଳେ ୨ଟି ବିଜେପିର । ସେପଟେ ରାଜନୈତିକ ବିଶେଷଜ୍ଞ ଅନୁମାନ ଅନୁସାରେ, ୨ଟି ଆସନ ବିଜେପିକୁ ଯିବା ବେଳେ ଆଉ ଗୋଟିଏ ବିଜେଡି ଖାତାକୁ ଯିବ। ଏଥିରେ କୌଣସି ସନ୍ଦେହ ନାହିଁ ତେବେ ତୃତୀୟ ଆସନକୁ ନେଇ ହେବ ଲଢେଇ।

କିନ୍ତୁ ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ ହେଉଛି? ବିଜେପି ଦଳର ପ୍ରାର୍ଥୀ ସଂଖ୍ୟାକୁ ନେଇ। ବିଜେପି ଏହି ଆସନ ପାଇଁ କେତେ ପ୍ରାର୍ଥୀ ଦେବ? ୩ କି ୪? ଅନ୍ୟାପଟେ ବିଜେଡି ପାଇଁ ମଧ୍ୟ ସମାନ ପ୍ରଶ୍ନ ଉଠୁଛି। ସେହିପରି ବିଜେଡି ଆଉ କଂଗ୍ରେସ ଦଳ ମିଶି ମିଳିତ ପ୍ରାର୍ଥୀ ଦେବେ କି? ତାହାକୁ ନେଇ ସମ୍ଭାବ୍ୟ ପ୍ରଶ୍ନ ଉଙ୍କି ମାରୁଛି।

ତେବେ ବର୍ତ୍ତମାନ ବିଧାନସଭାରେ ୩ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନକୁ ମିଶାଇ ବିଜେପି ବିଧାୟକଙ୍କ ସଂଖ୍ୟା ୮୨। କିନ୍ତୁ ପ୍ରକୃତରେ କେବଳ ବିଜେପି ଦଳର ବିଧାୟକ ହେଲେ ୭୯। ସେହିପରି ବିଜେଡି ବିଧାୟକଙ୍କ ସଂଖ୍ୟା ୫୦ । କଂଗ୍ରେସ ୧୪, ସିପିଆଇଏମ ୧ । ରାଜନୀତିର ଗଣିତ ହିସାବ ଅନୁସାରେ, ଏହି ରାଜ୍ୟସଭା ଆସନରେ ଜିତିବାକୁ ହେଲେ ୩୧ଟି ଭୋଟର ଆବଶ୍ୟକତା ରହିଛି। ତେବେ ବିଜେପି ପାଖରେ ଯେତିକି ଜଣ ବିଧାୟକ ରହିଛନ୍ତି, ସେଥିରେ ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ଆରାମରେ ଜିତିଯିବେ । ଏହା ପରେ ମଧ୍ୟ ବିଜେପି ପାଖରେ ଆହୁରି ୨୦ଜଣ ବିଧାୟକ ଅଛନ୍ତି । ଆଉ ଗୋଟିଏ ଆସନ ଜିତିବା ପାଇଁ ବିଜେପିକୁ ଦରକାର ୧୧ ବିଧାୟକ ।

ସେହିପରି ବିଜେଡିର ନିଜର ପ୍ରଥମ ପ୍ରାର୍ଥୀଙ୍କୁ ଜିତାଇବା ପରେ ଆହୁରି ୧୯ ବିଧାୟକ ରହୁଛନ୍ତି । ଯଦି ବିଜେଡି ଦ୍ୱିତୀୟ ପ୍ରାର୍ଥୀ ଦିଏ ଆଉ ୧୨ଜଣ ବିଧାୟକଙ୍କ ଭୋଟର ଆବଶ୍ୟକତା ପଡିବ । ଯଦି ସିପିଆଇଏମ ବିଧାୟକ ମାନେ ବି ସମର୍ଥନ ଦେବେ ତେବେ ବି ଆହୁରି ୧୦ ବିଧାୟକ ଦରକାର ପଡ଼ିବେ । ଯଦି କଂଗ୍ରେସ ସମର୍ଥନ ଦିଏ କିମ୍ବା ବିରୋଧୀ ଦଳର କୌଣସି ମିଳିତ ପ୍ରାର୍ଥୀ ଦିଅନ୍ତି, ତେବେ ବିଜେଡି ସମର୍ଥିତ ପ୍ରାର୍ଥୀ ଜିତିପାରିବା ନେଇ ଆଶା କରାଯାଉଛି।

ଏବେ ପ୍ରଶ୍ନ ହେଉଛି ଯେ, କଂଗ୍ରେସ ଓ ବିଜେଡିର ମେଣ୍ଟ ହେବ କି? ଏହାକୁ ନେଇ ଅନେକଥର ପ୍ରଶ୍ନ ଉଠିଚି। ନୂଆପଡା ଉପ ନିର୍ବାଚନରେ ବିଜେପିର ରଣନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଏବେ ରାଜ୍ୟସଭା ଆସନ ପାଇଁ ବିଜେପିର ନିର୍ବାଚନ ରଣନୀତି ଆଗରେ ବିରୋଧୀ ଦଳ ଏକାଠି ହେବେ କି ନାଁ? ତାହା ସମୟ କହିବ । ବିଜେଡିରୁ ଗୋଟିଏ ପରେ ଗୋଟିଏ ସଦସ୍ୟ ଦଳ ଛାଡି ମିଶିବାରେ ଲାଗିଛନ୍ତି ଆଉ ଏବେ ବିଜେଡି ଓ କଂଗ୍ରେସ ଦଳ ଭିତରେ ଯେଉଁଭଳି ବିବାଦ ଲାଗି ରହିଛି, ଏହାର ପ୍ରଭାବ ନିଶ୍ଚୟ ରାଜ୍ୟସଭା ନିର୍ବାଚନ ଉପରେ ପଡ଼ିପାରେ । ତେବେ ବିଜେଡି ଆଉ କଂଗ୍ରେସର ଭବିଷ୍ୟତରେ ମିଳିତ ସହଯୋଗ ରହିବ କି ନାଁ ତାହା ନିର୍ବାଚନ ପରେ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ