ହେଉଥିଲା ବେଆଇନ ଚାଲାଣ; ଗୋରୁ ଚମଡ଼ା, ହଜାରେରୁ ଊର୍ଦ୍ଧ୍ବ କଟା ମୁଣ୍ଡ ଜବତ
ରାଇରଙ୍ଗପୁର,୮|୧: ସରକାରଙ୍କ କଡା ଆଇନ ସତ୍ତ୍ୱେ ବେଆଇନ ଭାବେ ଗୋରୁ ଚାଲାଣ ବଢ଼ିବାରେ ଲାଗିଛି | ଟିକେ ହେଲେ ଭୟ ନାହିଁ | ମନଇଚ୍ଛା ଚାଲାଣ କରି ଲାଗିଛନ୍ତି | ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ | ଯେଉଁଠି ଦୀର୍ଘଦିନରୁ ବେଆଇନ୍ ଗୋ ଚାଲାଣ ଓ ଗୋ ହତ୍ୟା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ଏନେଇ ପୁଲିସ ସାମିଲ ହୋଇଥିବା ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଥିଲା | ପୋଲିସର କଠୋର କାର୍ଯ୍ୟନୁଷ୍ଠାନ ସତ୍ତ୍ୱେ ଦୁବୃର୍ତ୍ତମାନଙ୍କର କୌଣସି ପ୍ରକାରର ଭୟ ନାହିଁ | ଆଜି ଏକ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହି ଘଟଣାର ପର୍ଦାଫାଶ ହୋଇଛି |
ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଦୁଆଣି ପାଖରେ ଏକ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ, ଭ୍ୟାନରୁ ଏକ ଅଜବ ପ୍ରକାରର ଦୁର୍ଗନ୍ଧ ବାହାରୁଥିବାର ସ୍ଥାନୀୟ ବାସିନ୍ଦା ଜାଣିବାକୁ ପାଇଥିଲେ। ପୁରା ଘଟଣାର ଅନୁଧ୍ୟାନ କରିବା ପରେ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଉକ୍ତ ପିକଅପ୍ ଭ୍ୟାନ୍ରୁ ଗୋରୁ ଚମଡ଼ା ଓ ହଜାରେରୁ ଊର୍ଦ୍ଧ୍ବ କୋଟା ଗୋରୁ ମୁଣ୍ଡ ବାହାରିଥିଲା। ଯାହା ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ଜଣାପଡିଛି | ତେବେ ଦୁର୍ଘଟଣା ପରେ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଛି | ଏବଂ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଉକ୍ତ ପିକଅପ୍ ନଂ ଡବ୍ଲୁବି-୩୩ ଏଲ -୪୮୩୪କୁ ଜବତ କରାଯାଇଛି।
ଏହି ଘଟଣା ପରେ ଗ୍ରାମବାସିନ୍ଦା ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ | ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଜାରି ରଖିଛି | ସେହି ଅଞ୍ଚଳର ପ୍ରାୟ ୩ କି ୪ଟି ଗ୍ରାମର ଶହ ଶହ ଲୋକେ ଏକାଠି ହୋଇ ବେଆଇନ ହେଉଥିବା ଗୋ ଚାଲାଣ ଏବଂ ଗୋ’ ହତ୍ୟାକୁ ବନ୍ଦ କରିବାକୁ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି। ଯଦି ଏସପି, ଏଏସପି, ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ବେଆଇନ ଗୋ ଚାଲାଣକୁ ରୋକିବାକୁ ପ୍ରତିଶ୍ରୁତି ଦେବେ ତାହାଲେ ରାସ୍ତା ଅବରୋଧରୁ ଓହରିବେ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଘଟଣାସ୍ଥଳରେ ରାଇରଙ୍ଗପୁର ଏଏସପି ଯଦୁନାଥ ଜେନା ଓ ଏସଡିପିଓ ଗୋକୁଳା ନନ୍ଦ ସାହୁ, ଥାନାଧିକାରିଣୀ ବବିତାରାଣୀ ପୁହାଣ ପହଞ୍ଚି ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଅନ୍ୟପଟେ ବିଜେପିର ରାଜ୍ୟ ସମ୍ପାଦକ ରାମଚନ୍ଦ୍ର ହାଁସଦା,ବଜରଙ୍ଗ ଦଳ, ଏବଂ ବହୁ ହିନ୍ଦୁ ଧର୍ମର ଲୋକେ ପହଞ୍ଚି ଗୋ-ଚାଲାଣ, ଏବଂ ସମସ୍ତ କଂସେଇ ଖାନା ଗୁଡିକୁ ବନ୍ଦ କରିବାକୁ ଦାବି କରିଛନ୍ତି। ସୂଚନା ଅନୁସାରେ, ରାଞ୍ଚି – ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥକୁ ଶହ ଶହ ଲୋକେ ଅବରୋଧ କରିଛନ୍ତି ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଛି।

