ଆଇନ ମନ୍ତ୍ରୀଙ୍କ ବଡ଼ ସୂଚନା! ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା; ଖୁବଶୀଘ୍ର ସାମ୍ନାକୁ ଆସିବ ପ୍ରକୃତ ଅଭିଯୁକ୍ତ
ଭୁବନେଶ୍ୱର,୩୦|୧: ଖୁବଶୀଘ୍ର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟାର ପର୍ଦ୍ଦାଫାଶ ହେବ | ସବୁ ରହସ୍ୟ ସାମ୍ନାକୁ ଆସିବା ଏହା ସହିତ ସାମ୍ନାକୁ ଆସିବା ପ୍ରକୃତ ଅଭିଯୁକ୍ତ | ହତ୍ୟା ପଛରେ କିଏ ଅଛି? ଉଦ୍ଦେଶ୍ୟ କଣ ରହିଥିଲା? କିଏ ଏ ସମ୍ପୂର୍ଣ୍ଣ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ | ଏ ସମସ୍ତ ରହସ୍ୟର ଉନ୍ମୋଚନ ଖୁବ ଶୀଘ୍ର ହେବ | ଏନେଇ ବର୍ତ୍ତମାନର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି | ନବ ଦାସଙ୍କ ମୃତ୍ୟୁର ତଦନ୍ତ ପାଇଁ ପୂର୍ବରୁ ତାଙ୍କ ଝିଅ ଦୀପାଳି ଦାସ ଦାବି କରି ଆସୁଥିଲେ | ଆଉ ଏବେ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ | ସେ କହିଛନ୍ତିଯେ, ତାଙ୍କ ବୟାନ ମୁଁ ଗଣମାଧ୍ୟମରେ ଦେଖିଲି, ତେବେ ପରିବାର ଲୋକଙ୍କ ସନ୍ଦେହ ଆଧାରରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ମାମଲାର ସତ୍ୟତା, ଷଡଯନ୍ତ୍ର ଓ ଅନ୍ୟନ୍ୟ କାରଣର ଆମୂଳଚୂଳ ତଦନ୍ତ ହେବ ।
ତେବେ ପୂର୍ବ ସରକାର ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡର ତଦନ୍ତକୁ ବନ୍ଦ କରିବାକୁ ବହୁ ଚେଷ୍ଟା କରିଥିଲେ । ଆଉ ଏବେ ନବ ଦାସଙ୍କ ପରିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ ତଦନ୍ତ ପୁଣିଥରେ ଆରମ୍ଭ ହୋଇଛି । ତେବେ ଖୁବଶୀଘ୍ର ଏ ପୁରା ହତ୍ୟାକାଣ୍ଡ ଘଟଣାର ସତ ଲୋକଲୋଚନକୁ ଆସିବ ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନା ଯୋଗ୍ୟ, ନବ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କ ଝିଅ ଦୀପାଳି ଏକ ବଡ଼ ବୟାନ ଦେଇଥିଲେ | ଯାହାକୁ ନେଇ ବିବାଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା | ବୟାନରେ ଦୀପାଳି କହିଥିଲେ ଯେ, ଘଟଣା ଘଟିବା ଦିନ ଦ୍ବିପହର ୧୨ଟା ୨୭ମିନିଟରେ ତାଙ୍କୁ କଲ କରିଥିଲେ ବାପା ନବ ଦାସ । ଆଉ ତା ପରେ, ଦିନ ୧୨ଟା ୪୫ମିନିଟରେ ବାପାଙ୍କୁ ଗୁଳିମାଡ ହୋଇଥିଲା । କିନ୍ତୁ ଅନ୍ୟପଟେ, ନବ ଦାସ ହତ୍ୟାକାଣ୍ଡ ଘଟଣାରେ ପୁଲିସର ଏଫଆଇଆର କପିରେ ନବଙ୍କୁ ୧୨ଟା ୧୫ମିନିଟରେ ଗୁଳିମାଡ ହୋଇଥିବା ନେଇ ସୂଚନା ଦର୍ଶାଯାଇଛି | ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି ନବ ଦାସ ତାଙ୍କ ଝିଅକୁ ୧୨ଟା ୨୭ରେ କଲ କରିଥିଲେ ତେବେ ୧୨ଟା ୧୫ରେ ତାଙ୍କୁ କେମିିତି ଗୁଳିମାଡ ହେଲା । ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି | ଦୀପାଳିଙ୍କ ବୟାନ ପରେ ଆଜି ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ।

