କଣ୍ଟାବାଞ୍ଜି ଧୁମସୁ ପିଚୁ ରାସ୍ତା କାମରେ ଠିକାଦାର-ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା: ମାସ ନପୁରୁଣୁ ଉଠିଗଲାଣି ପିଚୁ, ବିପଦରେ ଜନସାଧାରଣ !
ବଲାଙ୍ଗୀର, ୧୧/୦୩ : ସରକାର ଉନ୍ନତ ଯୋଗାଯୋଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, କିଛି ଅସାଧୁ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମିଳି ଭଗତରେ ରାସ୍ତା କାମରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି।
କଣ୍ଟାବାଞ୍ଜି ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପିଡବ୍ଲୁ ରାସ୍ତା ଠାରୁ ଧୂମସୁ ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ଶେଷ ହେବାର ମାସେ ନପୁରୁଣୁ ଏହି ରାସ୍ତାର ଅବସ୍ଥା ଏବେ ବେହାଲ ହୋଇ ଗଲାଣି । ଉକ୍ତ ରାସ୍ତାର ପ୍ରାୟ ୯୦ ପ୍ରତିଶତ ପିଚୁ ଉଠି ପଡ଼ିଲାଣି। ଫଳରେ ଏହି ରାସ୍ତାରେ ଯାତାୟାତ କରିବା ବିପଦ ଜନକ ହୋଇପଡ଼ିଛି।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା ନିର୍ମାଣ ସମୟରେ ଆବଶ୍ୟକ ପରିମାଣର ପିଚୁ ବ୍ୟବହାର କରାଯାଇ ନଥିବା ସହ ମାତ୍ର ଗୋଟିଏ ଦିନରେ ରାତାରାତି ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଏହି ରାସ୍ତା ନିର୍ମାଣ କରାଯାଇଛି ।
ଏହି ରାସ୍ତା କାମ ଚାଲିଥିବା ସମୟରେ ବିଭାଗୀୟ ଯନ୍ତ୍ରୀ ସ୍ଥଳ ପରିଦର୍ଶନ ନକରିବା ଏବଂ ଠିକାଦାରଙ୍କ ସହ ସଲାସୁତୁରା କରି ନିମ୍ନମାନର କାମ କରିଥିବା ଧୁମସୁ ଗାଁର ଡୋଳାମଣୀ ମାଝୀ ପ୍ରଭାତ ମାଝୀ ଙ୍କ ସମେତ ଧୁମସୁ ଡଙ୍ଗରପଡ଼ା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଏହି ରାସ୍ତା କାମର ମାସେ ନପୁରୁଣୁ ପ୍ରାୟ ୯୦ ପ୍ରତିଶତ ପିଚୁ ଉଠି ରାସ୍ତା ସାରା ପିଚୁ ଉପୁଡ଼ି ଯାଇ ବିଛେଇ ହୋଇ ପଡ଼ିଛି । ଫଳରେ ଅନେକ ସମୟରେ ଏହି ରାସ୍ତା ରେ ଯାତାୟାତ କରୁଥିବା ବାଇକ୍ ଚାଳକ ମାନଙ୍କ ବାଇକ୍ ସ୍ଲିପ ହୋଇ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି।
ବିଶେଷ କରି ରାତି ସମୟରେ ବାଇକ୍ ଆରୋହୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ସିତାଂଶୁ ବେହେରାଙ୍କୁ ପଚାରିବାରୁ ସେ ନିମ୍ନ ମାନର କାମକୁ ସ୍ବୀକାର କରିଥିବା ବେଳେ ରାସ୍ତାର ଏଷ୍ଟିମେଟ୍ ବାବଦରେ କୌଣସି ସୂଚନା ଦେଇ ନାହାନ୍ତି ।
ସେହିପରି ଉକ୍ତ ରାସ୍ତା କାମ କରୁଥିବା ଠିକାଦାର କଣ୍ଟାବାଞ୍ଜି ର ପଙ୍କଜ୍ ଜୈନ୍ କୁ ମଧ୍ୟ ଏନେଇ ପଚାରିବାରୁ ସେ ମଧ୍ୟ ଏହି ରାସ୍ତା କାମକୁ ନେଇ କୌଣସି ସୂଚନା ଦେଇ ନାହାନ୍ତି ଏବଂ ସେ ନିଜେ ଏହି ରାସ୍ତା କାମ କରୁଥିବା ସ୍ବୀକାର କରିଛନ୍ତି ।
ତେବେ ଏହି ଘଟଣାରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବା ସହ ଉକ୍ତ ରାସ୍ତା କାମର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଧୁମସୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏଥିରେ କରିତ୍ କର୍ମା ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

