ଘରୋଇ ଟ୍ରାଭେଲ ବସ୍ ଏବଂ ଟିପର୍ ଟ୍ରକ୍ ର ମୁହାଁମୁହିଁ ଧକ୍କା! ଜଳିଗଲେ ୧୩ ଯାତ୍ରୀ; ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା
ଆନ୍ଧ୍ରପ୍ରଦେଶ, ୨୬|୩: ଆନ୍ଧ୍ରପ୍ରଦେଶରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଆଜି ସକାଳ ସମୟରେ ଆନ୍ଧ୍ରପ୍ରଦେଶର ମାର୍କାପୁରମର ରାୟାବରମ ନିକଟରେ ଏକ ଘରୋଇ ଟ୍ରାଭେଲ ବସ୍ ଏବଂ ଏକ ଟିପର୍ ଟ୍ରକ୍ ର ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ବସଟିରେ ଭୟଙ୍କର ନିଆଁ ଲାଗି ଯାଇଛି | ନିଆଁର ପ୍ରକୋପ ଏତେ ଜୋରେ ଥିଲାଯେ ବସଟି ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଛି । ଏହି ଦୁର୍ଘଟଣାରେ ମୋଟ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ମାର୍କାପୁର ଜିଲ୍ଲାର ରାୟଭରମ୍ ନିକଟସ୍ଥ ଖଣି ନିକଟରେ ଏକ ଘରୋଇ ବସ୍ ଏବଂ ଟିପ୍ପର ଟ୍ରକ୍ ମଧ୍ୟରେ ଏକ ସମ୍ନାସାମ୍ନି ଧକ୍କା ହୋଇଥିଲା । ବସ୍ ଟି ତେଲେଙ୍ଗାନାର ନିର୍ମଳରୁ ଆନ୍ଧ୍ରପ୍ରଦେଶର ନେଲୋର ଅଭିମୁଖେ ଯାତ୍ରା କରୁଥିଲା ବେଳେ ଏଭଳି ଅଘଟଣ ଘଟିଛି ।
ତେବେ ଏହି ବସ ଦୁର୍ଘଟଣାରେ ୧୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଯାତ୍ରୀ ଆହତ ହୋଇଥିବାର ସୂଚନା ରହିଛି | ଘଟଣା ପରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଉନ୍ନତ ଚିକିତ୍ସା ନିମନ୍ତେ ସମସ୍ତ ଆବଶ୍ୟକୀୟ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଲେଖାଏଁ ଅନୁକମ୍ପା ମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି।

