ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧର ପ୍ରଭାବକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ!
ନୂଆଦିଲ୍ଲୀ, ୨୭|୩: ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଦେଶରେ ଅସ୍ୱାଭାବିକ ସ୍ଥିତି ଦେଖାଦେଇଛି | ଏଥି ଯୋଗୁଁ ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ଅତ୍ୟାବଶ୍ୟକ ଦ୍ରବ୍ୟର କୃତ୍ରିମ ଅଭାବ ଦେଖିବାକୁ ମିଳିଛି । ଏ ପରିସ୍ଥିତିର ମୁକାବିଲା ପାଇଁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇ ଯାଇଛି । କୃତ୍ରିମ ଅଭାବ ସୃଷ୍ଟି କରୁଥିବା କଳା ବେପାରୀଙ୍କ ଉପରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ | ଏନେଇ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ପେଟ୍ରୋଲିୟମ, ଗ୍ୟାସ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରହିଛି ଏଥିପାଇଁ ଜନ ସାଧାରଣଙ୍କୁ ଆତଙ୍କିତ ନ ହେବା ପାଇଁ ପୂର୍ବରୁ ସରକାର ଆଶ୍ଵସନା ଦେଇଛନ୍ତି । LPG ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଯେପରି ଅତ୍ୟାବଶ୍ୟକ ଦ୍ରବ୍ୟ ଗୁଡ଼ିକର କଳାବଜାରୀ ନହୁଏ, ସେଥିପ୍ରତି କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ସମ୍ପର୍କିତ ଯାଞ୍ଚ କରି ଚଢ଼ାଉ କରି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରବିଋତୁ ଚାଷ ପାଇଁ ଯଥେଷ୍ଟ ସାର ମହଜୁଦ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ଏ ସମସ୍ୟା ବିଷୟରେ ରାଜ୍ୟବାସୀ ଯେପରି ଆତଙ୍କିତ ନ ହୁଅନ୍ତି, ସେଥିପ୍ରତି ସରକାରୀସ୍ତରରେ ରାଜ୍ୟବ୍ୟାପୀ ଜନ ସଚେତନତା ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆୟୋଜିତ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଗୃହ ଓ ନଗରଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

