ଜମା ଟଙ୍କା ପାଇଁ ଭଉଣୀର କଙ୍କାଳ ବୋହି ଆଣିବା ଘଟଣାରେ RDCର ତଦନ୍ତ: ଗୋଟି ଗୋଟି କରି ସବୁ ସତ ବଖାଣିଲେ ଜିତୁ ମୁଣ୍ଡା…
ଭୁବନେଶ୍ବର, ୩୦।୪: ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ପ୍ରମାଣ ପାଇଁ ଭଉଣୀ କଙ୍କାଳ ଭାଇ ବୋହି ବ୍ୟାଙ୍କକୁ ଆଣିବା ଘଟଣାରେ ଆରଡିସି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଆରଡିସି ତଦନ୍ତ ଅଧିକାରୀ ସଂଗ୍ରାମ କେଶରୀ ମହାପାତ୍ର ପଟଣା ଡିଆନାଳୀ ଗାଁରେ ପହଞ୍ଚିଛନ୍ତି । ଆରଡିସିଙ୍କ ସହିତ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ, ଉପ-ଜିଲ୍ଲାପାଳ ଉମାଶଙ୍କର ଦଳେଇ ଏବଂ ସ୍ୱତନ୍ତ୍ର ଭୁ-ଅର୍ଜନ ଅଧିକାରୀ ରବୀନ୍ଦ୍ର ପ୍ରଧାନ ଘଟଣା ସମ୍ପର୍କରେ ଜିତୁ ମୁଣ୍ଡାଙ୍କ ସହ ଆଲୋଚନା କରିଛନ୍ତି । କାହିଁକି ଏବଂ କେଉଁ ପରିସ୍ଥିତିରେ ସେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ନିଜ ଭଉଣୀର କଙ୍କାଳ ନେଇ ପହଞ୍ଚିଥିଲେ, ସେ ବିଷୟରେ ସମସ୍ତ ତଥ୍ୟ ପଚାରି ବୁଝୁଛନ୍ତି ତଦନ୍ତକାରୀ ଅଧିକାରୀ । ଜମା ଟଙ୍କା ଉଠାଇବାକୁ ବ୍ୟାଙ୍କ କର୍ମଚାରୀ ପ୍ରକୃତରେ ଟଙ୍କା ଉଠାଇବାକୁ ନେଇ ପ୍ରମାଣର ଚାପ ପକାଇଥିଲେ କି? ଯାହା ତାଙ୍କୁ ପରବର୍ତ୍ତୀ ସମୟରେ ଭଉଣୀର କଙ୍କାଳକୁ ବୋହି ଆଣିବାକୁ ପଡ଼ିଥିଲା ସେ ବାବଦରେ ଗୋଟି ଗୋଟି କରି ପଚାରି ବୁଝିଛନ୍ତି ।
ତେବେ ଏହି ଖବର ପ୍ରସାରିତ ହେବା ପରେ ତଦନ୍ତକାରୀ ଟିମ୍ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପହଞ୍ଚିଥିଲେ । ସେଠାରେ ବ୍ୟାଙ୍କ ଶାଖା ପରିଚାଳକ ଏବଂ ଅନ୍ୟ କର୍ମଚାରୀଙ୍କୁ ଘଟଣାର ସତ୍ୟାସତ୍ୟ ବିଷୟରେ ପଚାରି ବୁଝିଥିଲେ । ସେପଟେ ଡିଆନାଳୀ ଗାଁର ଜିତୁ ମୁଣ୍ଡାଙ୍କ ଘରେ କଂଗ୍ରେସ ଟିମ୍ ପହଞ୍ଚିଛି । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଏକ ଦଳ ଜିତୁ ମୁଣ୍ଡାଙ୍କ ସହ ଯାଇ ଆଲୋଚନା କରିଛନ୍ତି । କେଉଁ ପରିସ୍ଥିତିରେ ଜିତୁ ମଶାଣିରୁ ଶବ ଖୋଳି କଙ୍କାଳ ନେଇ ବ୍ୟାଙ୍କକୁ ଗଲେ ସେ ବିଷୟରେ ପଚାରି ବୁଝିଛନ୍ତି ।
ସୂଚନାଯୋଗ୍ୟ, ବ୍ୟାଙ୍କ ଖାତାରେ ଜମା ଥିବା ଟଙ୍କା ଉଠାଇବାକୁ ବଡ଼ ଭଉଣୀର କଙ୍କାଳ ବ୍ୟାଙ୍କ ସମ୍ମୁଖରେ ରଖିଥିଲେ ଜିତୁ ମୁଣ୍ଡା । ବ୍ୟାଙ୍କ କର୍ମଚାରୀଙ୍କୁ ଭଉଣୀକୁ ଦେଖ ଟଙ୍କା ଦିଅ ବୋଲି କହିଥିଲେ। ଧୀରେ ଧୀରେ ଏହି ଖବର ରଜ୍ୟଠୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁ ଗଣମାଧ୍ୟମରେ ପ୍ରସାରିତ ହେଲା । ଖବର ପ୍ରସାରିତ ହେବା ପରେ ପ୍ରଶାସନ ଆସିଥିଲା ଆକ୍ସନ ମୋଡ ରେ। ଏହାର ୨୪ ଘଣ୍ଟା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଜିତୁଙ୍କ ଘରେ ପହଞ୍ଚିଥିଲେ । ଭଉଣୀଙ୍କ ଜମା ଖାତାରେ ଥିବା ୧୯ ହଜାର ୪୦୦ ଟଙ୍କା ପ୍ରଦାନ ପ୍ରଦାନ କରିବା ସହିତ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ଦିଆଯାଇଛି ।

