ବୀରମହାରାଜପୁର : ଚଳିତ ଶିକ୍ଷା ବର୍ଷରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଛାତ୍ରୀଛାତ୍ର ଙ୍କ ଯୁକ୍ତ ଦୁଇ ରେ ନାମ ଲେଖାଇବାରେ ଦେଖା ଦେଇପାରେ ସମସ୍ୟା।ବ୍ଲକରେ ଥିବା +୨ କଲେଜମାନଙ୍କରେ ଯେତେ ସଂଖ୍ୟକ ସିଟ ରହିଛି ତାଠୁ ଅଧିକ ସଂଖ୍ୟକ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷାରେ ପାସ କରିଛନ୍ତି।ଏଣୁ ବୀରମହାରାଜପୁର ଅଞ୍ଚଳରେ ଅଧିକ ସଂଖ୍ୟକ +୨ କଲେଜ ଖୋଲିବା ସହିତ ସମସ୍ତ ହାଇସ୍କୁଲ ମାନଙ୍କରେ +୨ ଖୋଲିବାକୁ ଦାବୀ ହେଉଛି।ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ୧୯ଟି ହାଇସ୍କୁଲ ରହିଛି।ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବା ପାଇଁ ବ୍ଲକର ୧୪୮୮ଜଣ ପଞ୍ଜିକୃତ ହୋଇଥିଲେ।ତନ୍ମଧ୍ୟରୁ ୧୪୭୬ଜଣ ପରୀକ୍ଷା ଦେଇଥିବା ବେଳେ ୧୨ଜଣ ଅନୁପସ୍ଥିତ ଥିଲେ। ଚଳିତ ବର୍ଷ ବୀରମହାରାଜପୁର ବ୍ଲକରେ ୯୮.୪୫ ପ୍ରତିଶତ ଛାତ୍ରୀଛାତ୍ର ପାସ କରି ରେକର୍ଡ କରିଛନ୍ତି।ବ୍ଲକର ସମସ୍ତ ସ୍କୁଲରୁ ୧୪୫୯ଜଣ ଛାତ୍ରୀଛାତ୍ର ପାସ କରିଛନ୍ତି। ଏପଟେ ବୀରମହାରାଜପୁର ବ୍ଲକରେ ସମୁଦାୟ ୫ଟି ଯୁକ୍ତ ଦୁଇ କଲେଜ ରହିଛି। ଉକ୍ତ ସମସ୍ତ କଲେଜ ମାନଙ୍କରେ କଳା ଓ ବିଜ୍ଞାନ ପାଠ୍ୟକ୍ରମରେ ସମୁଦାୟ ୧୧୩୬ଟି ସିଟ ରହିଛି।ତେବେ ବଳକା ୩୨୫ଜଣ ପିଲା କେଉଁଠି ପାଠ ପଢିବେ ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବ୍ଲକରେ ଥିବା କୌଣସି କଲେଜରେ ବାଣିଜ୍ୟ ପାଠ୍ୟକ୍ରମ ନ ଥିବାରୁ ପିଲା ବାଣିଜ୍ୟ ପଢିବାରୁ ବଞ୍ଚିତ ହେବେ।ତେଣୁ ବାଣିଜ୍ୟ ପଢିବାକୁ ଥିବା ଛାତ୍ରୀଛାତ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ବ୍ଲକର ବୀରମହାରାଜପୁର ହାୟର ସେକେଣ୍ଡାରୀ ସ୍କୁଲ, ଭୁତିଆପାଲି ସ୍ଥିତ ପରମେଶ୍ବରୀ ହାୟର ସେକେଣ୍ଡାରୀ ସ୍କୁଲ, ବୀରମହାରାଜପୁର ମହିଳା ହାୟର ସେକେଣ୍ଡାରୀ ସ୍କୁଲ, ଖଣ୍ଡହତା ସ୍ଥିତ ରବୀନ୍ଦ୍ର ନାଥ ହାୟର ସେକେଣ୍ଡାରୀ ସ୍କୁଲ ଓ ସୁବଳୟା ହାୟର ସେକେଣ୍ଡାରୀ ସ୍କୁଲ ରେ ଯୁକ୍ତ ଦୁଇ ପଢିବାର ବ୍ୟବସ୍ଥା ରହିଛି। କେବଳ ବୀରମହାରାଜପୁର ହାୟର ସେକେଣ୍ଡାରୀ ସ୍କୁଲରେ କଳା, ବିଜ୍ଞାନ ଓ ଭୋକେସନାଲ ପାଠ୍ୟକ୍ରମ ରହିଥିବା ବେଳେ ଅନ୍ୟ ସମସ୍ତ କଲେଜରେ କେବଳ କଳା ପାଠ୍ୟକ୍ରମ ରହିଛି। ବୀରମହାରାଜପୁର ହାୟର ସେକେଣ୍ଡାରୀ ସ୍କୁଲରେ କଳା ପାଇଁ ୨୫୬ ସିଟ, ବିଜ୍ଞାନ ପାଇଁ ୬୪ ସିଟ ଓ ଭୋକେସନାଲ ପାଇଁ ୪୮ଟି ସିଟ ରହିଛି।ସେହିପରି ବୀରମହାରାଜପୁର ମହିଳା ହାୟର ସେକେଣ୍ଡାରୀ ସ୍କୁଲରେ କେବଳ କଳାରେ ୧୯୨ ସିଟ ରହିଛି। ଭୁତିଆପାଲି ସ୍ଥିତ ପରମେଶ୍ବରୀ ହାୟର ସେକେଣ୍ଡାରୀ ସ୍କୁଲରେ କଳା ପାଠ୍ୟକ୍ରମରେ ୨୫୬ସିଟ ରହିଥିବା ବେଳେ ଖଣ୍ଡହତା ସ୍ଥିତ ରବୀନ୍ଦ୍ର ନାଥ ହାୟର ସେକେଣ୍ଡାରୀ ସ୍କୁଲରେ କଳାରେ ୧୯୨ ସିଟ ଓ ସୁବଳୟା ହାୟର ସେକେଣ୍ଡାରୀ ସ୍କୁଲରେ ୧୨୮ କଳା ପାଠ୍ୟକ୍ରମ ସିଟ ରହିଛି। ଏହିପରି କଳା,ବିଜ୍ଞାନ ଓ ଭୋକେସନାଲ କୁ ମିଶାଇ ସମୁଦାୟ ୧୧୩୬ ଟି ସିଟ ରହିଛି। ତେବେ ବ୍ଲକରୁ ମାଟ୍ରିକ ରେ ପାସ କରିଥିବା ସମୁଦାୟ ୧୪୫୯ଜଣ ପିଲାଙ୍କ ମଧ୍ୟରୁ ଦୁଇ ଜଣ ଏ-୧ ଗ୍ରେଡ, ୪୧ଜଣ ଏ-୨ ଗ୍ରେଡ, ୧୮୨ ଜଣ ବି-୧ ଗ୍ରେଡ,୩୧୭ଜଣ ବି-୨ ଗ୍ରେଡ,୩୮୧ ଜଣ ସି-ଗ୍ରେଡ,୩୨୩ ଜଣ ଡି-ଗ୍ରେଡ ଓ ୨୧୩ ଜଣ ଇ-ଗ୍ରେଡ ରେ ପାସ କରିଛନ୍ତି।ବ୍ଲକର ମାତ୍ର ୧୭ ଜଣ ଛାତ୍ରୀଛାତ୍ର ଫେଲ ହୋଇଛନ୍ତି। ଆସନ୍ତ ସେପ୍ଟେମ୍ବର ରେ ପୁଣି ସପ୍ଲିମେଣ୍ଟାରୀ ପରୀକ୍ଷା ହେବାକୁ ଥିବା ବେଳେ ସେହି ପରୀକ୍ଷାରୁ ପାସ କଲେ ପିଲା ଙ୍କ ନାମ ଲେଖାରେ ସମସ୍ୟା ବଢିପାରେ। ଏପଟେ ଚଳିତ ୨୯ତାରିଖ ସୋମବାର ଠାରୁ +୨ ନାମ ଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହେଲାଣି। ତେଣୁ ନାମଲେଖାକୁ ନେଇ ଛାତ୍ର ଛାତ୍ରୀ, ଅବିଭାବକ ଓ ଶିକ୍ଷାବିତ ଆଶାଆଶଙ୍କା ପ୍ରକାଶ କରିଛନ୍ତି। ଯୁକ୍ତ ଦୁଇ ରେ ସିଟ ନ ପାଇ ବଳକା ପିଲା ନାମ ଲେଖାଇ ନ ପାରି ପାଠ ପଢାରୁ ବଞ୍ଚିତ ହେବାର ସମସ୍ୟା ଦେଖା ଦେଇପାରେ ବୋଲି ଚମ୍ପାମାଳ ର ଜଣେ ଶିକ୍ଷାବିତ କିଶୋର ହୋତା ପ୍ରକାଶ କରିଛନ୍ତି। ଏଣୁ ଏହି ସମସ୍ୟା କୁ ଦେଖି ଅଞ୍ଚଳରେ ଆହୁରି ଯୁକ୍ତ ଦୁଇ କଲେଜ ଖୋଲିବାକୁ ଅମରପାଲିର ଅବିଭାବକ ଯୁଧିଷ୍ଠିର ସାହୁ ମତ ପ୍ରକାଶ କରିଛନ୍ତି। ବ୍ଲକରେ କୌଣସି କଲେଜରେ ବାଣିଜ୍ୟ ପାଠ୍ୟକ୍ରମ ନାହିଁ।ତେଣୁ ବାଣିଜ୍ୟ ପଢିବାକୁ ଇଚ୍ଛା ପ୍ରକାଶ କରୁଥିବା ପିଲା ଏହା ପଢି ପାରିବେ ନାହିଁ। ବ୍ଲକର ଅନ୍ତତଃ ଯେ କୌଣସି କଲେଜରେ ବାଣିଜ୍ୟ ପାଠ୍ୟକ୍ରମ ଖୋଲିବାକୁ ପୁଲେଶ୍ବର ଗ୍ରାମର ଜଣେ ଛାତ୍ର ଉମାକାନ୍ତ ଦାଶ ଦାବୀ କରିଛନ୍ତି। ସରକାର ହାଇସ୍କୁଲମାନଙ୍କରେ ଯୁକ୍ତ ଦୁଇ ପାଠ୍ୟକ୍ରମ ଖୋଲିବାକୁ ଘୋଷଣା କରିଛନ୍ତି । ମାତ୍ର ବୀରମହାରାଜପୁର ବ୍ଲକ ର କୌଣସି ହାଇସ୍କୁଲରେ ଚଳିତ ବର୍ଷ ଯୁକ୍ତ ଦୁଇ ଖୋଲିବାର ବ୍ୟବସ୍ଥା କରି ନାହାନ୍ତି। ଯେହେତୁ ଏଠାରେ ଅଧିକ ପିଲା ପାସ କରିଥିବାରୁ ପିଲା ଙ୍କ ପାଠ ପଢାର ସମସ୍ୟା ହେଉଛି , ତେଣୁ ଶିକ୍ଷା ବିଭାଗ ତୁରନ୍ତ ବୀରମହାରାଜପୁର ବ୍ଲକର ସମସ୍ତ ହାଇସ୍କୁଲମାନଙ୍କରେ ଯୁକ୍ତ ଦୁଇ ଖୋଲିବାକୁ ଦାବୀ କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ।ଯୁକ୍ତ ଦୁଇ ନାମ ଲେଖା ସମସ୍ୟା ନେଇ ବୀରମହାରାଜପୁର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ଙ୍କୁ ପଚାରିବାରୁ ଆମେ ପିଲା ଙ୍କୁ କାଉନସିଲିଙ୍ଗ କରିଛୁ। ଯେଉଁ ପିଲା ପରୀକ୍ଷାରେ ଭଲ କରିଛନ୍ତି ସେମାନଙ୍କ ମଧ୍ୟରୁ କେତେକ ବାହାରେ ବଡବଡ କଲେଜ ଓ ଘରୋଇ କଲେଜ ରେ ପଢିବା କୁ ଇଚ୍ଛା ପ୍ରକାଶ କରିଛନ୍ତି। ଯଦି ଆଉ ଯିଏ ଚାହିଁବ ସେ ବୀରମହାରାଜପୁର ଓ ହିକୁଡିରେ ଆଇଟିଆଇ ଏବଂ ସୋନପୁର ରେ ଡିପ୍ଲୋମା ପାଠ୍ୟକ୍ରମ ରେ ନାମ ଲେଖାଇ ପାରିବ l ସେନେଇ ପିଲାଙ୍କୁ ପରାମର୍ଶ କରାଯାଉଛି ବୋଲି ପ୍ରକାଶ କରିଛନ୍ତି। ଏଣୁ ଅଞ୍ଚଳରେ ଯୁକ୍ତ ଦୁଇ ନାମଲେଖା ସମସ୍ୟାକୁ ଦେଖି ଶିକ୍ଷା ବିଭାଗ ତୁରନ୍ତ ଏହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି l
ବୀରମହାରାଜପୁର ବ୍ଲକ ରେ ମାଟ୍ରିକ ପାସ୍ ହାର ତୁଳନାରେ ସିଟ ସଂଖ୍ୟା କମ୍ ; ଯୁକ୍ତ ଦୁଇ ନାମ ଲେଖାରେ ହୋଇପାରେ ସମସ୍ୟା
