ଓଡିଶାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ରାଜ୍ୟ ବିକାଶରେ ଯୋଡି ହେଲା ନୂଆ ଅଧ୍ୟାୟ


ଭୁବନେଶ୍ବର: ବିକାଶ ପଥରେ ଆଗେଇ ଚାଲିଛି ଓଡ଼ିଶା। ରାଜ୍ୟରେ ଆରମ୍ଭ ହୋଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ନୂତନ ଅଧ୍ୟାୟ। ‘ଓଡିଶା ଫର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ ଏବଂ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଫର ୟୁଥ‘ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଫଳରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ଏହା ସହାୟକ ହେବ ଏବଂ ଗବେଷଣା, ଉତ୍ଥାବନ ଓ ବିଭିନ୍ନ କ୍ଷେତ୍ର ଲାଗି ବି ଏହା ଦିଗଦର୍ଶକ ହେବ। ଲୋକସେବା ଭବନରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଏହି ଇନସିଏଟଭି କଟକ, ପୁରୀ ଓ ଭୁବନେଶ୍ୱରରେ କାର୍ଯ୍ୟକାରୀ ହେବ ।

ଏହାର ସମସ୍ତ ଦାୟିତ୍ବ ଭାର ଆଇଟି କମ୍ପାନୀ ଇଣ୍ଟେଲକୁ ଦିଆଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ପ୍ରଯୁକ୍ତିଭିତ୍ତିକ ରୂପାନ୍ତରଣକୁ ଗୁରୁତ୍ୱ ଦେଉଛନ୍ତି । ବିଶ୍ୱକୁ ନୂଆ ଢଙ୍ଗରେ ଗଢିତୋଳିବା ପାଇଁ ଏହା ଏକ ନୂତନ ପ୍ରୟାସ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଏହି ପ୍ରଚେଷ୍ଟାକୁ ସଫଳ କରିବାର ସାମର୍ଥ୍ୟ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏ କ୍ଷେତ୍ରରେ ଅଧିକାରୀଙ୍କୁ ତାଲିମ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ମଧ୍ୟ ଦେଇଛନ୍ତି ।