Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ଥାନୀୟ ଶିଳ୍ପ ଏବଂ ଉଦ୍ୟୋଗୀମାନଙ୍କର ଏଆଇ ଭିତ୍ତୀକ ହେବ ବିକାଶ,ଏଆଇ ଫର୍ ଓଡ଼ିଶା ଅଭିଯାନର ଶୁଭାରମ୍ଭ

ସମ୍ବଲପୁର: ଭାରତର ଅନ୍ୟତମ ପ୍ରମୁଖ ପରିଚାଳନା ଶିକ୍ଷାନୁଷ୍ଠାନ ଆଇଆଇଏମ ସମ୍ବଲପୁର, ଆଇଆଇଏମ ଅହମ୍ମଦାବାଦଙ୍କ ମିଳିତ ସହଯୋଗରେ ନୂତନ ଭାବେ ଆରମ୍ଭ ହୋଇଥିବା’ ଏଆଇ ଫର୍‌ ଓଡ଼ିଶା’ ‘ ଅଭିଯାନ ଅଧୀନରେ ଏକ ଏଆଇ କର୍ମଶାଳାର ଆୟୋଜନ କରିଛି। ଏହି କର୍ମଶାଳାକୁ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି।
ବ୍ୟବସାୟିକ ଅଭିବୃଦ୍ଧି ପାଇଁ ଏଆଇ ସ୍ଥାନୀୟ ବଜାରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଶୀର୍ଷକ ଏହି ବ୍ୟବହାରିକ ଏଆଇ ସଚେତନତା କର୍ମଶାଳା, ସ୍ଥାନୀୟ ଉଦ୍ୟୋଗୀ ଏବଂ କ୍ଷୁଦ୍ର ଶିଳ୍ପଗୁଡ଼ିକୁ କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟରେ ଆଗକୁ ବଢ଼ିବା ପାଇଁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଇଛି।ବ୍ୟବସାୟୀ, ଏମଏସଏମଇ ଏବଂ ଉଦ୍ୟୋଗୀମାନେ କିପରି ସ୍ଥାୟୀ ବିକାଶ, କାର୍ଯ୍ୟକ୍ଷମ ଦକ୍ଷତା ଏବଂ ଜାତୀୟ ସ୍ତରରେ ପ୍ରତିଯୋଗିତାମୂଳକ ମନୋଭାବ ବଜାୟ ରଖିବା ପାଇଁ ଏଆଇ ର ଉପଯୋଗ କରିପାରିବେ, ତାହା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ପଶ୍ଚିମ ଓଡ଼ିଶାର ୩୫୦ ରୁ ଅଧ‌ିକ ସ୍ଥାନୀୟ ଶିଳ୍ପ ପ୍ରତିନିଧି ଏହି କର୍ମଶାଳାରେ ଯୋଗ ଦେଇଥିଲେ ।
ଏହି କର୍ମଶାଳାରେ ଭାରତ ସରକାରଙ୍କ ମାନ୍ୟବର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୈସୱାଲ, ଆଇଆଇଏମ ଅହମ୍ମଦାବାଦର ନିର୍ଦ୍ଦେଶକ ପ୍ରଫେସର ଭରତ ଭାସ୍କର, ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ ଲାଲ, ଆଇଆଇଏମଏ ଭେଞ୍ଚର୍ସର ଫାଉଣ୍ଡର ଲଣ୍ଡିଂ ପୁଶ୍ରୀ ଅଙ୍କୁର ସୋହନପାଲ ଏବଂ ଏଆଇ ଫର ଓଡ଼ିଶା ର ଇକୋସିଷ୍ଟମ ପାର୍ଟନର ଗୋପାଳ ଶାହ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଜୋହୋରୁ ଶ୍ରୀ ଶଙ୍କର ଆରଏନଏସ, କ୍ଲଡ୍, ଜେମିନି ମାଇକ୍ରୋସଫ୍ଟର ବିଜନେସ ୟୁନିଟ ହେଡ୍ ସୁଶ୍ରୀ ଶ୍ରୁତି ବିଜାୱତ, ବେରିୱାଇଜର ସହ-ପ୍ରତିଷ୍ଠାତା ଓ ସିଇଓ ହର୍ଷିତ ଠାକର ଏବଂ ଭିଜିଟିର ପ୍ରତିଷ୍ଠାତା ଓ ସିଇଓ ଅମୀଷ ଠାକର ମଧ୍ୟ ଉପସ୍ଥିତ ଥିଲେ।
କର୍ମଶାଳାକୁ ଉଦଘାଟନ କରି ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ କୃତ୍ରିମ ବୁଦ୍ଧିମତ୍ତା ଏବଂ ଭାରତର ଏମଏସଏମଇଗୁଡ଼ିକୁ ଶକ୍ତିଶାଳୀ କରିବାରେ ଏହାର ଭୂମିକା ଉପରେ ଏହି ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଆୟୋଜନ କରିଥିବାରୁ ଆଇଆଇଏମ ସମ୍ବଲପୁରକୁ ଅଭିନନ୍ଦନଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏଆଲ ଉତ୍ପାଦକତା ବୃଦ୍ଧି କରି, ଗ୍ରାହକଙ୍କ ସୀମା ବଢ଼ାଇ ଏବଂ ସ୍ଥାୟୀ ବିକାଶକୁ ସକ୍ଷମ କରି ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଉଦ୍ୟୋଗୀମାନଙ୍କୁ ସଶକ୍ତ କରୁଥିବା କହିଛନ୍ତି।ଏଭଳି ପ୍ରୟାସ ଏକ ଅନୁର୍ଭୁକ୍ତ ଓ ପ୍ରଯୁକ୍ତିବିଦ୍ୟା-ଚାଳିତ ବିକଶିତ ଭାରତ ଗଠନ ଯାତ୍ରାକୁ ତ୍ବରାନ୍ବିତ କରିବ।
ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୈସୱାଲ କହିଛନ୍ତି, “ଭାରତର ଜିଡିପିରେ ଏମଏସଏମଇର ଯୋଗଦାନ ୩୦% ଏବଂ ଏହା ଭାରତରେ ୬୭% କର୍ମସଂସ୍ଥାନ ସୃଷ୍ଟି କରିଥାଏ, ଯାହା ଏହାକୁ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଭାବେ ଗଢ଼ିତୋଳିଛି। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତ ନିଜର ଜିଡିପିକୁ ଦ୍ବିଗୁଣିତ କରିବା ଦିଗରେ ଅଗ୍ରସର ହେଉଥିବା ବେଳେ, କୃତ୍ରିମ ବୁଦ୍ଧିମତ୍ତା କ୍ଷୁଦ୍ର ବ୍ୟବସାୟଗୁଡ଼ିକ ପାଇଁ ଏକ ପରିବର୍ତ୍ତନକାରୀ ମାଧ୍ଯମ ସାଜିବ; ଯାହା ଗ୍ରାହକଙ୍କ ସଠିକ ମୂଲ୍ୟାଙ୍କନ, ଗ୍ରାହକଙ୍କ ସହ ଗଭୀର ଯୋଗାଯୋଗ ଏବଂ ଅଧିକ ଦକ୍ଷ ଯୋଗାଣକାରୀ ପରିଚାଳନାକୁ ସକ୍ଷମ କରିବ। ଭାରତର ଅନୁର୍ଭୁକ୍ତ ଆର୍ଥିକ ଅଭିବୃଦ୍ଧିର ପରବର୍ତ୍ତୀ ପର୍ଯ୍ୟାୟର ନେତୃତ୍ୱ ନେବା ପାଇଁ ଉଦ୍ୟୋଗୀମାନଙ୍କୁ ଆବଶ୍ୟକୀୟ ଜ୍ଞାନ ଏବଂ ସାଧନ ଯୋଗାଇବା ପାଇଁ ଆଇଆଇଏମ ସମ୍ବଲପୁର ଏବଂ ଆଇଆଇଏମ ଅହମ୍ମଦାବାଦ ପ୍ରତିବଦ୍ଧ ଅଛନ୍ତି।”
ଆଇଆଇଏମ ଅହମଦାବାଦର ନିର୍ଦ୍ଦେଶକ ପ୍ରଫେସର ଭରତ ଭାସ୍ମର କହିଛନ୍ତି, “ଏହି ଏଆଇ କର୍ମଶାଳାକୁ ଏକ
ବ୍ୟବହାରିକ ଢଙ୍ଗରେ ପ୍ରସ୍ତୁତ କରାଯାଇଛି।ଯାହାଦ୍ବାରା ଏମଏସଏମଇଗୁଡ଼ିକ ଦୈନନ୍ଦିନ ଭିତ୍ତରେ ଉପକୃତ ହୋଇପାରିବେ।ଏଆଇ ଟୁଲ୍କ ସାହାଯ୍ୟରେ ଉଦ୍ୟୋଗୀମାନେ କେବଳ ନୂତନ ଗ୍ରାହକ ଚିହ୍ନଟ କରିବା ଏବଂ ଗ୍ରାହକଙ୍କ ବ୍ୟବହାରକୁ ବିଶ୍ଳେଷଣ କରିବା ନୁହେଁ, ବରଂ ପୁରୁଣା ଗ୍ରାହକମାନଙ୍କୁ ଚିହ୍ନଟ କରିବା ସହ ଯୋଗାଣକାରୀ ଏବଂ ବ୍ୟବସାୟିକ କାର୍ଯ୍ୟକଳାପକୁ ସହଜ ଓ ସରଳ କରିପାରିବେ।”
ମାର୍କେଟିଂ, ଗ୍ରାହକ ପରିଚାଳନା, କାର୍ଯ୍ୟ ପ୍ରକ୍ରିୟାର ସରଳୀକରଣ ଏବଂ ନିଷ୍ପତ୍ତି ଗ୍ରହଣ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାରିକ ପ୍ରୟୋଗକୁ ବୁଝିବା ପାଇଁ ଅଂଶଗ୍ରହଣକାରୀମାନେ ପ୍ରମୁଖ ଏଆଇ ପ୍ଲାଟଫର୍ମଗୁଡ଼ିକ ଦ୍ବାରା ଆୟୋଜିତ ବ୍ୟବହାରିକ ପ୍ରଶିକ୍ଷଣ ଶିବିରରେ ଭାଗ ନେଇଥିଲେ। ଏହି କର୍ମଶାଳା ଶିଳ୍ପ ବିଶେଷଜ୍ଞ, ବ୍ୟବସାୟିକ ନେତୃବୃନ୍ଦ ନବସୃଜନକାରୀ ଏବଂ ଉଦ୍ୟୋଗୀମାନଙ୍କୁ ଏକତ୍ରିତ କରିଥିଲା।
ଅନ୍ୟପକ୍ଷରେ ଏଆଇ ଫର ଓଡ଼ିଶା ଅଭିଯାନ, ବିଶେଷ କରି ଦ୍ବିତୀୟ ଏବଂ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ଏକ ଅନ୍ତର୍ଭୁକ୍ତ ଓ ପ୍ରଯୁକ୍ତିବିଦ୍ୟା-ସକ୍ଷମ ଉଦ୍ୟୋଗୀ ବ୍ୟବସ୍ଥା ଗଠନ କରିବା ପାଇଁ ଆଇଆଇଏମ ସମ୍ବଲପୁର ଏବଂ ଆଇଆଇଏମ ଅହମ୍ମଦାବାଦର ବ୍ୟବସାୟିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି, ଯାହା ସ୍ଥାନୀୟ ବ୍ୟବସାୟ ଓ ଏମଏସଏମଇଗୁଡ଼ିକୁ ନୂତନ ପ୍ରଯୁକ୍ତିବିଦ୍ୟା ଆପଣେଇବା ଏବଂ ଡିଜିଟାଲ୍ ଅର୍ଥନୀତିରେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ