ଅସୁସ୍ଥତା ପରେ ଫର୍ମକୁ ଫେରୁଛନ୍ତି ପ୍ରଦୀପ୍ତ : କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଦିଲ୍ଲୀରେ ଭେଟିଲେ


କଳାହାଣ୍ଡି: ମହାମାରୀ କରୋନାରେ କବଳିତ ହୋଇ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଭବାନୀପାଟଣା ସଦର ବିଧାୟକ, ବରିଷ୍ଠ ବିଜେପି ନେତା ପ୍ରଦୀପ୍ତ କୁମାର ନାଏକ ସୁସ୍ଥ ହେବା ପରେ ଏବେ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଉପରେ ଫୋକସ କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀ ସମେତ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନଜରକୁ ଆଣି ସମାଧାନ କରିବା ଉପରେ ଗୁରୁତ୍ବାରୋପ କରୁଛନ୍ତି । ଏହିପରି ଭାବେ ପୂର୍ବତନ ବିରୋଧୀ ଦଳ ନେତା ଶ୍ରୀ ନାଏକ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ତାଙ୍କ ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରି ଜିଲ୍ଲାର ବିଭିନ୍ନ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରିବା ସହିତ ସେଗୁଡ଼ିକର ସମାଧାନ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ସେଥିମଧ୍ୟରୁ କେସିଙ୍ଗାଠାରେ ୩୨୪ କୋଟି ଟଙ୍କା ମୂଲ୍ୟରେ ନିର୍ମାଣ ହେବାକୁ ଥିବା ରେଳ ଓଭର ବ୍ରିଜର ଭୂମିପୂଜନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ କଳାହାଣ୍ଡି ଆସିବାକୁ ନିମନ୍ତ୍ରଣ କରିବା ସହ କେସିଙ୍ଗା , ଭବାନୀପାଟଣା ସହରର ଟ୍ରାଫିକ ସମସ୍ୟା ଦୂର ପାଇଁ ବାଏପାସ୍ ରାସ୍ତା ନିର୍ମାଣ, କେସିଙ୍ଗା, ଭବାନୀପାଟଣା ଦେଇ ଜୁନାଗଡ଼ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥକୁ ଚାରି ଲେନ୍ ରାସ୍ତା କରିବା, ଭୁବନେଶ୍ବରରୁ ଆଠଗଡ଼, ଆଠମଲ୍ଲିକ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି , ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଭଦ୍ରାଞ୍ଚଳମ୍ ଦେଇ ହାଇଦ୍ରାବାଦ ପର୍ଯ୍ୟନ୍ତ ଏକ ଗ୍ରୀନ୍ ଏକ୍ସପ୍ରେସ ୱେ ନିର୍ମାଣ ପାଇଁ ଦାବି କରିଥିଲେ ।କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଏ ଦିଗରେ ଖୁବ୍ ଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡ଼ିଛି ।