Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୀତଳଷଷ୍ଠୀ ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ:ଶୃଙ୍ଖଳିତ ହେବ ଶୀତଳଷଷ୍ଠୀ, ପ୍ରଶାସନ ସଜାଗ

ସମ୍ବଲପୁର: ଜୁନ୍ ୧୫ରୁ ଆରମ୍ଭ ହେବ ସମ୍ବଲପୁରର ପ୍ରସିଦ୍ଧ ପବିତ୍ର ଶୀତଳଷଷ୍ଠୀ। ଏହି ଯାତ୍ରା ଅତି ସୁନ୍ଦର, ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଶାନ୍ତି ଓ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଜୁନ୍ ୧୫ ତାରିଖରୁ ଏହି ପବିତ୍ର ଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଗତ ବର୍ଷର ଶୀତଳଷଷ୍ଠୀ ଯାତ୍ରା ବିଭିନ୍ନ କମିଟି ଏବଂ ଜନସାଧାରଣଙ୍କ ସହଯୋଗରେ ଅତି ସୁଦୂରପ୍ରସାରୀ ଓ ସଫଳ ହୋଇଥିବାରୁ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଚଳିତ ବର୍ଷ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଉଭୟ ସୁରକ୍ଷା ଓ ଶୃଙ୍ଖଳା ଉପରେ ସରକାର ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କହିଥିଲେ।
ଯାତ୍ରାର ସଫଳ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଶୀତଳଷଷ୍ଠୀ ଯାତ୍ରା କମିଟି ଗୁଡ଼ିକ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଛି। ଯାତ୍ରା ସମୟରେ ଯେପରି ଗୋଟିଏ କମିଟି ଅନ୍ୟ କମିଟିର ଶୋଭାଯାତ୍ରା ଆଗରେ ସମସ୍ୟା ସୃଷ୍ଟି ନକରେ, ସେଥିପାଇଁ ମିନିଟ୍-ଟୁ-ମିନିଟ୍ ସମୟସୀମା ଅନୁସରଣ କରିବାକୁ କୁହାଯାଇଛି।ନନ୍ଦପଡ଼ା, ଝାଡ଼ୁଆପଡ଼ା ଏବଂ ବଡ଼ ସଡ଼କ ଭଳି ଅତ୍ୟଧିକ ଭିଡ଼ ହେଉଥିବା ଅଞ୍ଚଳରେ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପ୍ରସ୍ଥାନ ରୁଟ୍ ବ୍ୟବସ୍ଥା କରାଯିବ, ଯଦ୍ଦ୍ୱାରା ଜନସାଧାରଣ ସହଜରେ ଯାତ୍ରା ଦେଖି ବାହାରକୁ ଆସିପାରିବେ।
ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା କରାଯିବ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମହାନଗର ନିଗମ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ। ସହରର ବିଭିନ୍ନ ଛକରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରତି ପୂଜା କମିଟିକୁ ଓଆରଏସ୍ ପ୍ୟାକେଟ୍ ପ୍ରଦାନ ଏବଂ ଜରୁରୀକାଳୀନ ସେବା ପାଇଁ ମୋବାଇଲ୍ ଆମ୍ବୁଲାନ୍ସ ମୁତୟନ କରାଯିବ। ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡ଼ିକରେ ଖାଦ୍ୟର ମାନ ଯାଞ୍ଚ କରାଯିବ।ଉତ୍ସବ ସମୟରେ ସହରରେ ଅବିରତ ପାନୀୟ ଜଳ ଯୋଗାଣ କରାଯିବ। ୱାଟକୋ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସିଣ୍ଟେକ୍ସ ଟାଙ୍କି ଏବଂ ପ୍ରତ୍ୟେକ ଶୋଭାଯାତ୍ରା ପାଇଁ ଗୋଟିଏ ଲେଖାଏଁ ଜଳ ଟାଙ୍କରର ବ୍ୟବସ୍ଥା କରାଯିବ। ଏଥିସହ ଏନଜିଓ ମାନଙ୍କୁ ମଧ୍ୟ ଜଳ ଯୋଗାଣ କାର୍ଯ୍ୟରେ ସାମିଲ କରାଯିବ। ସହରରେ ୨୪ ଘଣ୍ଟିଆ ଅବିରତ ବିଦ୍ୟୁତ୍ ଯୋଗାଣ ପାଇଁ ଟିପିଡବ୍ଲୁଓଡିଏଲ କୁ ନିର୍ଦ୍ଦେଶ ଦିଆଯାଇଛି। ରାସ୍ତାକଡ଼ ଏବଂ ରିଙ୍ଗ୍ ରୋଡ୍‌ରେ ଅଧିକ ଆଲୋକର ବ୍ୟବସ୍ଥା ସହ ଷ୍ଟ୍ରୀଟ୍ ଲାଇଟ୍ ଗୁଡ଼ିକର ମରାମତି କରାଯିବ।
ସମ୍ବଲପୁର ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବ।
କୌଣସି ଆପତ୍ କାଳୀନ ପରିସ୍ଥିତି କୁ ରୋକିବା ପାଇଁ ଅଗ୍ନିଶମ ବାହିନୀ ସଜାଗ ରହିବେ।
ଶୀତଳ ଷଷ୍ଠୀ ପାଇଁ ରାସ୍ତାଘାଟ ସଫେଇ, ଡ୍ରେନେଜ୍ ମରାମତି, ଏନକ୍ରୋଚମେଣ୍ଟ (ଉଚ୍ଛେଦ) ଏବଂ ରାସ୍ତାରେ ଥିବା ଗଛର ଡାଳ କାଟିବା ଆଦି ସମସ୍ତ ପ୍ରାକ୍-ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସମୟବଦ୍ଧ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁରର ଏହି ଗୌରବମୟ ସାଂସ୍କୃତିକ ଗଣପର୍ବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ