ତତଲା କଢେଇରେ ରେଙ୍ଗାଲି : ଶିଳ୍ପାୟନର ଧୂଆଁରେ ଜଳୁଛି ଜନଜୀବନ
ସମ୍ବଲପୁର:ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଅଞ୍ଚଳ ଗତ ୨୫ ବର୍ଷ ଭିତରେ ଏକ ବିଶାଳ ପରିବର୍ତ୍ତନର ମୁକ ସାକ୍ଷୀରେ ଠିଆ ହୋଇଛି। ସେଦିନର ସବୁଜ ଜଙ୍ଗଲ, ଚାଷ ଜମି, ନଦୀ ଓ ପାହାଡ଼ରେ ଘେରା ଏହି ଅଞ୍ଚଳ ଆଜି ଶିଳ୍ପାୟନର ଅନ୍ଧ ଦୌଡ଼ରେ ଏକ ଧୂଆଁ ଓ ଧୂଳିର ଆସ୍ତରଣରେ ପରିଣତ ହୋଇଛି। ଅବିଚାରିତ ଭାବରେ ଗଢ଼ିଉଠିଥିବା କଲକାରଖାନା, ସ୍ପଞ୍ଜ ଆଇରନ ପ୍ଲାଣ୍ଟ, ପାୱାର ପ୍ଲାଣ୍ଟ ଓ ଖଣି ଖାଦାନ ରେଙ୍ଗାଲିର ଭୂଗୋଳକୁ ଧୋଇ ଦେଇଛି। ଗଢି ଉଠିଛି ବିକଳ ଜୀବନ ଚିତ୍ର। ମଣିଷ, ପ୍ରାଣୀ ଜୀବନ, ପରିବେଶ ଓ ସବୁ ଯେମିତି ଭବିଷ୍ୟତ ପାଇଁ ଏକ ପ୍ରଶ୍ନ ହୋଇ ଉଭା ହେଲାଣି। ତେବେବି ଚିନ୍ତା ନାହିଁ କାହାର।
ବିକାଶ ନାମରେ ଯାହା ଘଟିଛି, ସେଥିରେ ଲୋକଙ୍କ ମଙ୍ଗଳ ଠାରୁ ବେଶି ପୁଞ୍ଜିପତିଙ୍କ ଲାଭ ଲୁଚିଥିବା ଦେଖାଯାଉଛି। କେତେ କାରଖାନା ହେଲା, କେତେ ଟନ୍ ଲୁହା ଉତ୍ପାଦନ ହେଲା, କେତେ କୋଇଲା ଉଠିଲା — ଏହାର ହିସାବ ରହିଛି। କିନ୍ତୁ କେତେ ଗଛ କଟିଲା, କେତେ ନଦୀ ଶୁଖିଗଲା, କେତେ ଲୋକ ରୋଗୀ ହେଲେ ଓ କେତେ ଗ୍ରାମ ତାପ ଦ୍ୱୀପରେ ପରିଣତ ହେଲା — ତାହାର କୌଣସି ସତ୍ୟ ହିସାବ କାହାରି ପାଖରେ ନାହିଁ। ଝାରସୁଗୁଡା ପରି ରେଙ୍ଗାଲି କୁ ଏବେ ମାଡି ଆସୁଛି ଶ୍ୱାସ ଓ କ୍ୟାନ୍ସର ଭଳି ଦୁରାରୋଗ୍ୟ। ଏହାହିଁ ରେଙ୍ଗାଲି ପାଇଁ ଏବେ ବଡ଼ ଚିନ୍ତାର କାରଣ।
ରେଙ୍ଗାଲିର ଆକାଶ ଆଜି ଧୂଆଁରେ ଭାସୁଛି । ଦିନକୁ ଦିନ ତାପମାତ୍ରା ଅସହ୍ୟ ହୋଇଯାଉଛି। ଯେଉଁ ଅଞ୍ଚଳରେ ଏକଦା ସକାଳ ସୁସ୍ଥ ପବନରେ ଭରିଥିଲା, ସେଠାରେ ଏବେ ଗରମ ବତାସ ଲୋକଙ୍କ ନିଶ୍ୱାସ ପ୍ରଶ୍ୱାସକୁ ଅସ୍ତବ୍ୟସ୍ତ କରୁଛି। ଘରୁ ବାହାରିଲେ ଲାଗୁଛି ଯେପରି ଲୋକେ ତତଲା କଢେଇରେ ଭାଜି ହେଉଛନ୍ତି। ପ୍ରକୃତି ଉପରେ ଏହି ଅତ୍ୟାଚାର କେବଳ ପରିବେଶ ଧ୍ୱଂସ ନୁହେଁ, ଏହା ମାନବତା ବିରୋଧୀ ଏକ ଅନ୍ୟାୟ ବୋଲି ସାଧାରଣ ଲୋକ ବିଚାର କଲେଣି।
ସବୁଠାରୁ ଦୁଃଖଦ କଥା ହେଉଛି, ଶିଳ୍ପ ନାମରେ ଯେତେ ଗଛ କଟାଗଲା ତାହାର ତୁଳନାରେ ବୃକ୍ଷରୋପଣ ହୋଇନାହିଁ। ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ପରିବେଶ ସୁରକ୍ଷାର ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା, ସେଗୁଡ଼ିକ କାଗଜ କଲମରେ ସୀମିତ ରହିଗଲା। ରାସ୍ତା ପ୍ରଶସ୍ତ କରିବା ନାମରେ, ଖଣି ବିସ୍ତାର ନାମରେ, କାରଖାନା ନାମରେ ହଜାର ହଜାର ବୃକ୍ଷକୁ ବଳି ଦିଆଗଲା। ଆଜି ମଧ୍ୟ ଅବଶିଷ୍ଟ ଗଛଗୁଡ଼ିକୁ ଅବିଚାରିତ ଭାବରେ କାଟାଯାଉଛି। ଯେଉଁ ଜଙ୍ଗଲ ପ୍ରକୃତିର ରକ୍ଷା କବଚ ଥିଲା, ସେହି ଜଙ୍ଗଲ ଆଜି ଶିଳ୍ପ ମାଫିଆଙ୍କ କବ୍ଜାରେ ସଢୁଛି।
ଯେଉଁ ଉନ୍ନତି ଲୋକଙ୍କୁ ନିଶ୍ୱାସ ନେବାକୁ ଦେଉନାହିଁ, ଯେଉଁ ଉନ୍ନତି ଚାଷ ଜମିକୁ ଉଜାଡ଼ି ଦେଉଛି, ଯେଉଁ ଉନ୍ନତି ଗ୍ରାମକୁ ରୋଗ ଓ ତାପର ଅଗ୍ନିକୁଣ୍ଡରେ ପରିଣତ କରୁଛି — ସେହି ଉନ୍ନତିକୁ ଲୋକମାନେ କେତେଦିନ ସହିବେ ? ଏଭଳି ପ୍ରଶ୍ନ ଉଙ୍କି ମାରିଲାଣି ପ୍ରତିଟି ହୃଦୟରେ।
ଏଭଳି ପରିସ୍ଥିତିରେ ସରକାରଙ୍କ ଭୂମିକା ମଧ୍ୟ ପ୍ରଶ୍ନବାଚୀ। ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ପରିବେଶ ମଞ୍ଜୁରୀ, ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ଥାନୀୟ ଲୋକଙ୍କ ସୁରକ୍ଷା ନେଇ ବଡ଼ ବଡ଼ କଥା କୁହାଯାଏ। କିନ୍ତୁ ପ୍ରାୟୋଗିକ କ୍ଷେତ୍ରରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିରବ, ପ୍ରଶାସନ ନିର୍ବିକାର ଓ ଜନପ୍ରତିନିଧିମାନେ ମୌନ। ଲୋକଙ୍କ ଜୀବନଠାରୁ ଶିଳ୍ପପତିଙ୍କ ସ୍ୱାର୍ଥ ବଡ଼ ହୋଇଯାଇଛି।ଏଣୁ ସାଧାରଣ ଜୀବନ ପ୍ରତି କାହାରି ସୁଦ୍ଧା ଚିନ୍ତା ନାହିଁ। ଅଧିକାରୀଙ୍କ ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀରବତା ଆଗାମୀ ଦିନ ପାଇଁ ରେଙ୍ଗାଲି ପାଇଁ ବଡ଼ ଉତ୍କଟ ହେବ, ଏଥିରେ କୌଣସି ସନ୍ଧେହ ନାହିଁ।
ଅନ୍ୟପଟେ ଶିଳ୍ପ ଉଦ୍ୟୋଗୀମାନଙ୍କ ସାମାଜିକ ଦାୟିତ୍ୱବୋଧ ମଧ୍ୟ ଭିନ୍ନ ମୋଡ଼ ନେବାକୁ ଯାଉଛି । କେତେକ ସ୍ଥାନରେ ନାମକୁ ମାତ୍ର ସିଏସଆର କାର୍ଯ୍ୟକ୍ରମ କରି ଲୋକଙ୍କ ମୁହଁ ବନ୍ଦ କରିବାର ଚେଷ୍ଟା ହେଉଛି।ଏବେ ରେଙ୍ଗାଲି ଅଞ୍ଚଳର ପବନ ବିଷାକ୍ତ, ପାଣି ଦୂଷିତ ହେଲାଣି। ମାଟିର ଉର୍ବରତା ମଧ୍ୟ ହ୍ରାସ ପାଇଲାଣି। ଜନଜୀବନ ପାଇଁ ଯାହା ଏବେ ଜଟିଳ ହେବାକୁ ବସିଛି। ଏଭଳି ପରିସ୍ଥିତି ଆସିବା ସମୟରେ ସେଠାରେ ଦୁଇଟି ଟ୍ୟୁବୱେଲ୍ କିମ୍ବା ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କେତେ ମୂଲ୍ୟବାନ କାମ ତାହା ଅନୁମେୟ।
ସେମାନଙ୍କ କହିବା କଥା ହେଲା,ଗଛ କଟାଯାଉଥିବା ବେଳେ ଆମେ ଚୁପ୍ ରହିଲୁ। ନଦୀ ପ୍ରଦୂଷିତ ହେଉଥିବା ବେଳେ ଆମେ ନୀରବ ରହିଲୁ। ଚାକିରି ଓ କିଛି ଅସ୍ଥାୟୀ ସୁବିଧାର ଆଶାରେ ପ୍ରକୃତିର ଧ୍ୱଂସକୁ ସ୍ୱୀକାର କରିନେଲୁ। ଆଜି ସେହି ନୀରବତାର ମୂଲ୍ୟ ସାଧାରଣ ଲୋକ ତାପ, ପ୍ରଦୂଷଣ ଓ ରୋଗରେ ପଡି ଭୋଗ କରିବାକୁ ବାଧ୍ୟ ହେଉଛନ୍ତି।
ବେଳ ଥାଉ ଥାଉ ସାବଧାନ ନହେଲେ ନେଡି ଗୁଡ଼ କହୁଣିକୁ ବହିଯିବାର ଏବେ ଭୟ ଘେରିଛି। ଏହି ଅଞ୍ଚଳରେ ବଡ଼ ଆକାରର ବୃକ୍ଷରୋପଣ, ପ୍ରଦୂଷଣ ନିୟନ୍ତ୍ରଣର କଠୋର ବ୍ୟବସ୍ଥା, ଶିଳ୍ପ ନିରୀକ୍ଷଣ ଓ ସ୍ଥାନୀୟ ଲୋକଙ୍କ ଅଧିକାର ସୁରକ୍ଷା ନହେଲେ ଆଗକୁ ରହିଛି ବଡ଼ ବିପଦ ଏଭଳି କହିଛନ୍ତି ସମାଜବିଦ ଡାକ୍ତର ରାଜାରାମ ଷଡ଼ଙ୍ଗୀ। ଏଭଳି ଅବସ୍ଥା ଜାରି ରହିଲେ ଆଗାମୀ ପିଢ଼ି ଆମକୁ କେବେ କ୍ଷମା କରିବେ ନାହିଁ ବୋଲି ସେ ରୋକଠୋକ କହିଛନ୍ତି।ତତଲା କଢେଇରେ ସେକି ହେଉଥିବା ଜୀବନ ପଚାରୁଛି ବିକାଶ ନାମରେ ପ୍ରକୃତି ଆଉ କେତେଦିନ ଜଳିବ ?ଦରପୋଡା ମଣିଷ ଓ ପ୍ରାଣୀ ଜଗତର ଉଦ୍ଧାର ପାଇଁ ପ୍ରଶାସନିକ ତତ୍ପରତା ହିଁ ଏହାର ଏକମାତ୍ର ବିକଳ୍ପ।

