Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମଲେଶ୍ୱରୀ ମନ୍ଦିରରେ ଭବ୍ୟ ଭଜନ ସନ୍ଧ୍ୟା

ତା. ୨୪.୦୫.୨୦୨୬:
ସମ୍ବଲପୁର:ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପବିତ୍ର ପୀଠରେ ରବିବାର ସନ୍ଧ୍ୟାରେ ଏକ ଭବ୍ୟ ଭଜନ ସନ୍ଧ୍ୟା ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପ୍ରାଙ୍ଗଣ ଭକ୍ତି ସଙ୍ଗୀତର ସୁମଧୁର ସ୍ୱରରେ ମୁଖରିତ ହୋଇଯାଇଥିଲା। ସନ୍ଧ୍ୟା ଆଗମନ ସହିତ ଶତାଧିକ ଭକ୍ତ ଓ ସଙ୍ଗୀତପ୍ରେମୀଙ୍କ ସମାଗମରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଭାବଧାରାରେ ଭରିଯାଇଥିଲା।
ଏହି ଭଜନ ସନ୍ଧ୍ୟାକୁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ଶ୍ରୀ ସଞ୍ଜୟ ବାବୁ ଉଦଘାଟନ କରିଥିଲେ। ସେ ମା’ ସମଲେଶ୍ୱରୀଙ୍କ ପୂଜାର୍ଚନା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରଫୁଲ୍ଲ ହୋତା,ହେମନ୍ତ ଚନ୍ଦ୍ର ମିଶ୍ର, ଦେବ କୁମାର ଅଜମେରୀଆ ତଥା ବିଶେଷ ଅତିଥି ଡ଼ଃ ଶ୍ୟାମ ସୁନ୍ଦର ଧର, ଡ଼ଃ ବ୍ୟମକେଶ ଦୀକ୍ଷିତ,ଡ଼ଃ ମୋହିତ ସ୍ୱାଇଁ ,ତ୍ରିଲୋଚନ ତ୍ରିପାଠୀ, ଲଳିତ ଦାଶ ,ଅନଙ୍ଗ ସାଇ ଦେଓ ,ଜୟକୃଷ୍ଣ ବେହେରା , ସଞ୍ଜୟ ମିଶ୍ର ,ରତନ ଲାଲ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ସଂଜୟ ବାବୁ କହିଥିଲେ ଯେ, ସମଲେଶ୍ୱରୀ ପୀଠ କେବଳ ଏକ ଆଧ୍ୟାତ୍ମିକ କେନ୍ଦ୍ର ନୁହେଁ, ଏହା ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପରମ୍ପରାର ଜୀବନ୍ତ ପ୍ରତୀକ। ଏପରି ଭଜନ ସନ୍ଧ୍ୟା ଭକ୍ତମାନଙ୍କ ମନରେ ଭକ୍ତିଭାବ ସୃଷ୍ଟି କରିବା ସହ ନୂତନ ପିଢ଼ୀଙ୍କୁ ଆମ ସାଂସ୍କୃତିକ ଐତିହ୍ୟ ସହ ଯୋଡ଼ି ରଖିବ ବୋଲି ସେ ମତପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ସମ୍ବଲପୁରର ବିଭିନ୍ନ ପ୍ରତିଷ୍ଠିତ କଳାକାରମାନେ ମା’ଙ୍କ ମହିମାଗାନ କରିଥିଲେ। ଡ଼ଃ ରାଜେନ୍ଦ୍ର ସିଂ, ଡ଼ଃ ସବିତା ହୋତା, ଆରତୀ ମିଶ୍ର, ପଦ୍ମିନୀ ଦୋରା, ଅର୍ପିତା ମିଶ୍ର, ଲିପ୍ସିତା ଶତପଥୀ, ଆର୍ୟା ପ୍ରଧାନ, ଭାରତୀ ପରିଡା, ପ୍ରକୃତି ପଣ୍ଡା, ପିୟୁଷ ପଣ୍ଡା ଓ ସ୍ନେହା ଦଲାଲ ଠାକୁର ପ୍ରମୁଖ କଣ୍ଠଦାନ କରି ମା’ଙ୍କ ଭଜନ ପରିବେଷଣ କରିଥିଲେ। ଆଜିର ଭଜନ କାର୍ଯ୍ୟକ୍ରମ ଗୁରୁ ଶ୍ରୀ ରତନ କୁମାର ପୁଜାହାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ବଲପୁର ଜିଲ୍ଲା କଳାକାର ତଥା ସମଲେଇ ମନ୍ଦିର ଟ୍ରଷ୍ଟବୋର୍ଡ଼ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା।
ଡ଼ଃ ତୁଷାର ବାରିକ ଙ୍କ ସଂଯୋଜନା ଓ ବାଦ୍ୟଯନ୍ତ୍ରରେ ଶ୍ରୀ ଦେବାଶିଷ ପାଢ଼ୀ, ଭାଗୀରଥି ସିଂହ ଦେଓ , ଶ୍ରୀ କୃଷ୍ଣଚନ୍ଦ୍ର ବାଗ, ଦିବାକର ମହାନନ୍ଦ ,ସୁମିତ ପ୍ରଧାନ, କ୍ଷିତୀଶ ବାଗ ଓ କ୍ରିଷ୍ଣା କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ। ସେମାନଙ୍କର ସୁନିୟୋଜିତ ବାଦ୍ୟ ସମନ୍ୱୟ ଭଜନ ସନ୍ଧ୍ୟାକୁ ଆହୁରି ଆକର୍ଷଣୀୟ କରିଥିଲା। ଉପସ୍ଥିତ ଭକ୍ତମାନେ କହିଥିଲେ ଯେ, ଏପରି ଭଜନ ସନ୍ଧ୍ୟା ସମ୍ବଲପୁରର ସାଂସ୍କୃତିକ ପରମ୍ପରାକୁ ଆଗକୁ ବଢ଼ାଇବା ସହ ଯୁବପିଢ଼ୀଙ୍କୁ ଭକ୍ତି ସଙ୍ଗୀତ ଓ ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ କରିବ ।ଶେଷରେ ଆୟୋଜକମାନେ ସମସ୍ତ କଳାକାର, ବାଦ୍ୟଯନ୍ତ୍ରବାଦକ, ସହଯୋଗୀ ଓ ଭକ୍ତମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ