ପୁଅର ଟାଙ୍ଗିଆ ଚୋଟରେ ବାପା ସହ ଅନ୍ୟ ଜଣେ ଗୁରୁତର ରେଙ୍ଗାଲି ପୁଲିସର ତଦନ୍ତ ଜାରି, ଅଭିଯୁକ୍ତ ପୁଅ କୋର୍ଟ ଚାଲାଣ
ଝାରସୁଗୁଡ଼ା, ୨୯/୫ (ଓଡ଼ିଶା ନ୍ୟୁଜ୍): ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କୁଡ଼ାବଗା ଗାଁରେ ଆଜି ସକାଳେ ଘଟିଥିବା ଏକ ସଂଘାତିକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ପୁଅ ନିଜ ବାପା ସହ ଅନ୍ୟ ଜଣେ ଗ୍ରାମବାସୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ବାପା ଥଣ୍ଡାରାମ ମଲ୍ଲିକ (୬୫) ଓ ନିରଞ୍ଜନ ବଗାର ଗୁରୁତର ଭାବେ ଆହତ ହୋଇଥିବା ବେଳେ ଥଣ୍ଡାରାମଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, କୁଡ଼ାବଗା ଗ୍ରାମର ଛନ୍ଦାଚରଣ ମଲ୍ଲିକ ଓରଫ ଗୁଡୁ କୌଣସି କାରଣକୁ ନେଇ ହଠାତ୍ ଉତ୍ତେଜିତ ହୋଇ ପ୍ରଥମେ ଘର ଭିତରେ ନିଜ ବାପା ଥଣ୍ଡାରାମ ମଲ୍ଲିକଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଏଥିରେ ଥଣ୍ଡାରାମଙ୍କ ବାମ କାନ ପାଖ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ବାପାଙ୍କୁ ଆକ୍ରମଣ କରିବା ପରେ ଅଭିଯୁକ୍ତ ଗୁଡୁ ଘରୁ ବାହାରି ଗାଁ ଦାଣ୍ଡରେ ନିରଞ୍ଜନ ବଗାରଙ୍କୁ ମଧ୍ୟ ପିଠିରେ ଟାଙ୍ଗିଆରେ ଆକ୍ରମଣ କରିଥିଲା। ତେବେ ସୌଭାଗ୍ୟ ବଶତଃ ନିରଞ୍ଜନ ଅଳ୍ପକେ ବର୍ତ୍ତିଯାଇ ସାମାନ୍ୟ ଆହତ ହୋଇଥିଲେ।
ଘଟଣା ପରେ ସ୍ଥାନୀୟ ଲୋକେ ଉଭୟ ଆହତଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଥଣ୍ଡାରାମଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରା ଯାଇଛି। ନିରଞ୍ଜନ ଚିକିତ୍ସା ପରେ ଘରକୁ ଫେରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ଖବର ପାଇ ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ ପୁଲିସ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ରକ୍ତାକ୍ତ ଟାଙ୍ଗିଆକୁ ଜବତ କରିଥିଲେ। ପୁଲିସ ଅଭିଯୁକ୍ତ ଛନ୍ଦାଚରଣ ମଲ୍ଲିକ ଓରଫ ଗୁଡୁକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି । ଆକ୍ରମଣ ପଛରେ ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

