Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିତୃ-ମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ପାଇଁ କ୍ୟାରିୟର ପରାମର୍ଶ ଶିବିର

ଝାରସୁଗୁଡା, ୩୦/୫ (ଓଡ଼ିଶା ନ୍ୟୁଜ୍): ଝାରସୁଗୁଡା ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ (ଡିଏମଏଫ୍) ସମ୍ମିଳନୀ କକ୍ଷରେ ଶନିବାର ପିତୃ-ମାତୃହୀନ ଓ ଏକକ ଅଭିଭାବକ ଶିଶୁମାନଙ୍କ ପାଇଁ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷା ସମ୍ବନ୍ଧୀୟ ଏକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଓ ରୋଜଗାର ସୁଯୋଗ ସମ୍ପର୍କରେ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା।
ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଶ୍ରୀମତୀ ସଙ୍ଗୀତା ମେହେର ଛାତ୍ରଛାତ୍ରୀ ମାନଙ୍କୁ ନିଜ ରୁଚି ଓ ଆଗ୍ରହ ଅନୁଯାୟୀ ପାଠପଢ଼ା କରି ଭବିଷ୍ୟତରେ ସଫଳ କ୍ୟାରିୟର ଗଠନ କରିବାକୁ ପରାମର୍ଶ ଦେବା ସହ ଜିଲ୍ଲା ପ୍ରଶାସନ ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ଉପଲବ୍ଧ ବିଭିନ୍ନ ପ୍ରଶିକ୍ଷଣ ଏବଂ ସୁବିଧା ବିଷୟରେ ସୂଚନା ଦେଇଥିଲେ।
ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପସ୍ଥାପନ କରିଥିବା ବେଳେ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ମହାପାତ୍ର ନିୟମିତ ପାଠପଢ଼ା ଓ ବୃତ୍ତିଗତ ଶିକ୍ଷା ପ୍ରତି ଆଗ୍ରହୀ ହେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥିଲେ।
ରାଜ୍ୟ ହୋଟେଲ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ, ବଲାଙ୍ଗୀରର ପ୍ରଶିକ୍ଷକ ସାହିଲ ସାହୁ ଉଚ୍ଚଶିକ୍ଷା, କ୍ୟାରିୟର ଗଠନ ଓ ରୋଜଗାରର ବିଭିନ୍ନ ସୁଯୋଗ ଉପରେ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ଆଲୋଚନା କରିଥିଲେ। ସେହିପରି ସରକାରୀ ଆଇଟିଆଇ, ଝାରସୁଗୁଡାର ପ୍ରଶିକ୍ଷକ ସୌରଭ ରଞ୍ଜନ ପଲେଇ ଓ ଦେବାଶିଷ ସାହୁ ବିଭିନ୍ନ ଟ୍ରେଡ୍‌, ପାଠ୍ୟକ୍ରମ ଏବଂ ତାଲିମ ସୁବିଧା ବିଷୟରେ ସୂଚନା ଦେଇଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଓ ସୁଶ୍ରୀ ସ୍ନେହା ମଧ୍ୟ ଛାତ୍ରଛାତ୍ରୀଙ୍କୁ କାଉନସେଲିଂ ପ୍ରଦାନ କରିଥିଲେ।
ଅଧ୍ୟକ୍ଷୀୟ ଅଭିଭାଷଣରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ଛାତ୍ରଛାତ୍ରୀ ମାନଙ୍କୁ ନିଜ ଲକ୍ଷ୍ୟ ଅନୁଯାୟୀ ଶିକ୍ଷା ଗ୍ରହଣ କରି ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ସହ ଜଣେ ଦାୟିତ୍ୱବାନ ନାଗରିକ ହେବାକୁ ଆହ୍ୱାନ କରିଥିଲେ।
ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ ଚୂଡ଼ାମଣି ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଶିବିରରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ଅଭିଭାବକ ଅଂଶଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ