ବିନା ସୁଚନା ଫଳକରେ ୪୦ ଲକ୍ଷର ଉନ୍ନତି କରଣ କାର୍ଯ୍ୟ, ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ, ଅଧିକାରୀ କହୁଛନ୍ତି ତଥ୍ୟ ପାଇଁ ଆରଟିଆଇ ମାଗନ୍ତୁ
ଝାରସୁଗୁଡ଼ା ୪/୬ (ଓଡ଼ିଶା ନ୍ୟୁଜ୍) ୪୯ ନଂ ଜାତୀୟ ରାଜପଥ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କୁରେମାଲ ପଥପ୍ରାନ୍ତ ସୁବିଧା କେନ୍ଦ୍ରର ଉନ୍ନତିକରଣ ଓ ମରାମତି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହୋଇଥିବାକାର୍ଯ୍ୟରେ ଆରମ୍ଭରୁ ସୂଚନା ଫଳକ ଲଗାଇବା ନୀୟମ ରହିଥିବା ବେଳେ ଏ କ୍ଷେତ୍ରରେ କିନ୍ତୁ ସରକାରୀ ନିୟମକୁ ଖୋଲାଖୋଲି ଭାବେ ଉଲଙ୍ଘନ କରା ଯାଇ ଥିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କାର୍ଯ୍ୟର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
ଅଭିଯୋଗ ଅନୁଯାୟୀ, କୁରେମାଲ ପଥପ୍ରାନ୍ତ ସୁବିଧା କେନ୍ଦ୍ରର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ କାମର ପ୍ରକୃତି, ବ୍ୟୟବରାଦ, ଅର୍ଥର ଉତ୍ସ, ବ୍ୟବହୃତ ସାମଗ୍ରୀ ଓ କାର୍ଯ୍ୟ ଅବଧି ସମ୍ପର୍କିତ କୌଣସି ସୂଚନା ସାଧାରଣ ଲୋକଙ୍କ ପାଇଁ ପ୍ରଦର୍ଶିତ କରାଯାଇନାହିଁ। ଫଳରେ ଏହି ପ୍ରକଳ୍ପ ଅଧୀନରେ କେଉଁ କାମ ହେଉଛି ଏବଂ କିପରି ଅର୍ଥ ବ୍ୟୟ ହେଉଛି, ତାହା ଲୋକେ ଜାଣିପାରୁ ନାହାନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସରକାରୀ ଅର୍ଥରେ କରା ଯାଉଥିବା ଯେ କୌଣସି ଉନ୍ନତିମୂଳକ କାର୍ଯ୍ୟରେ ସୂଚନା ଫଳକ ଲଗାଇବା ନିୟମ ରହିଛି। ଏଥିରେ ପ୍ରକଳ୍ପର ନାମ, ବ୍ୟୟ ଅଟକଳ, ଅର୍ଥର ଉତ୍ସ, କାର୍ଯ୍ୟର ବିବରଣୀ ଓ ନିର୍ମାଣକାରୀ ସଂସ୍ଥାର ତଥ୍ୟ ଉଲ୍ଲେଖ ରହିବା ଆବଶ୍ୟକ। ଏପରି ସୂଚନା ସାର୍ବଜନୀନ କରାଗଲେ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରହିବା ସହ ଦୁର୍ନୀତିର ସମ୍ଭାବନା ହ୍ରାସ ପାଇଥାଏ। କିନ୍ତୁ କୁରେମାଲ ପଥପ୍ରାନ୍ତ ସୁବିଧା କେନ୍ଦ୍ର କ୍ଷେତ୍ରରେ ଏହି ନିୟମକୁ ଖୋଲାଖୋଲି ଉଲଂଘନ କରା ଯାଇଥିବା ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ଜିଲ୍ଲା ପର୍ଯ୍ୟଟନ ବିଭାଗର ଅଧିକାରୀ ନିରଞ୍ଜନ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଉକ୍ତ ମରାମତି କାର୍ଯ୍ୟ ପାଇଁ ପ୍ରାୟ ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ତେବେ କେଉଁ କାର୍ଯ୍ୟ ପାଇଁ କେତେ ଅର୍ଥ ବ୍ୟୟ ହେଉଛି ସେ ସମ୍ପର୍କିତ ସବିଶେଷ ତଥ୍ୟ ପାଇବାକୁ ହେଲେ ସୂଚନା ଅଧିକାର ଆଇନ (ଆରଟିଆଇ) ଅନୁସାରେ ଆବେଦନ କରିବାକୁ ପଡ଼ିବ। ଅଧିକାରୀଙ୍କ ଏହି ମନ୍ତବ୍ୟକୁ ନେଇ ମଧ୍ୟ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ସାଧାରଣ ଲୋକଙ୍କ ମତରେ, ସରକାରୀ କାମର ସୂଚନା ଯଦି ସୂଚନା ଫଳକରେ ପ୍ରଦର୍ଶିତ ହେବାର ନିୟମ ରହିଛି, ତେବେ ତଥ୍ୟ ପାଇଁ ଲୋକଙ୍କୁ କାହିଁକି ଆରଟିଆଇର ସହାୟତା ନେବାକୁ ପଡ଼ିବ ? ସେମାନେ ପ୍ରଶ୍ନ କରିଛନ୍ତି ଯେ, କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲଗାଇବାକୁ ବିଭାଗୀୟ ଅଧିକାରୀ କାହିଁକି ନିର୍ଦ୍ଦେଶ ଦେଇ ନାହାନ୍ତି। ଏହାସହ କାର୍ଯ୍ୟର ମାନକୁ ନେଇ ମଧ୍ୟ ଅଭିଯୋଗ ଉଠିଛି। ବର୍ତ୍ତମାନ କରା ଯାଇଥିବା କାମ ଅତି ନିମ୍ନମାନର ବୋଲି ଅଭିଯୋଗ କରିଥିବା ବେଳେ ବିଭାଗୀୟ ଅଧିକାରୀ କିନ୍ତୁ ଏହାର ଯାଞ୍ଚ କରୁ ନ ଥିବାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ କରି ସୂଚନା ଫଳକ ସ୍ଥାପନ ଏବଂ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିରରେ ଏନେଇ ଅଭିଯୋଗ ଦାଖଲ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

