Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଦାନ୍ତ ପ୍ଲାଣ୍ଟର ପାଉଁଶ ପାଇପ୍ ଫାଟି ଭେଡେନ ନଦୀ ପ୍ରଦୂଷିତ, କୁରେବଗା ଗ୍ରାମବାସୀଙ୍କ ବିକ୍ଷୋଭ, ସ୍ଥାୟୀ ସମାଧାନ ପାଇଁ ଦାବି

ଝାରସୁଗୁଡ଼ା, ୪/୬ (ଓଡ଼ିଶା ନ୍ୟୁଜ୍) ଝାରସୁଗୁଡ଼ା ସ୍ଥିତ ବେଦାନ୍ତ ପ୍ଲାଣ୍ଟର ପାଉଁଶ ପରିବହନ ପାଇଁ ବ୍ୟବହୃତ ପାଇପ୍ ଲାଇନ୍ ଫାଟିଯିବାରୁ ଭେଡେନ ନଦୀରେ ବିପୁଳ ପରିମାଣର ପାଉଁଶ ମିଶ୍ରିତ ଦୂଷିତ ଜଳ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ କୁରେବଗା ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସେମାନେ କମ୍ପାନୀ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ପ୍ଲାଣ୍ଟର ପାଉଁଶ ପରିବହନ ପାଇପ୍ ଲାଇନ୍ ହଠାତ୍ ଫାଟି ଯାଇଥିଲା। ଫଳରେ ପାଉଁଶ ମିଶ୍ରିତ ଦୂଷିତ ଜଳ ନିକଟସ୍ଥ ଭେଡେନ ନଦୀକୁ ପ୍ରବାହିତ ହୋଇଥିଲା। ଏହାଦ୍ୱାରା ନଦୀ ଜଳ ପ୍ରଦୂଷିତ ହେବା ସହ ସ୍ଥାନୀୟ ପରିବେଶ ଓ ଜଳଜୀବନ ପ୍ରତି ବିପଦ ସୃଷ୍ଟି ହୋଇ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ସ୍ଥାୟୀ ପଦକ୍ଷେପ ନେଉ ନାହାନ୍ତି। ପାଇପ୍ ଲାଇନର ନିୟମିତ ରକ୍ଷଣାବେକ୍ଷଣ ଅଭାବରୁ ଏହି ସମସ୍ୟା ଉପୁଜୁଥିବା ସେମାନେ ଦାବି କରିଛନ୍ତି। ଘଟଣା ପରେ କୁରେବଗା ଗ୍ରାମବାସୀ ଏକଜୁଟ ହୋଇ କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତୁରନ୍ତ ପାଇପ୍ ଲାଇନର ମରାମତି, ନଦୀ ପ୍ରଦୂଷଣ ରୋକିବା ଏବଂ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି। ଯଦି କମ୍ପାନୀ କର୍ତ୍ତୃପକ୍ଷ ଏହି ସମସ୍ୟାର ସ୍ଥାୟୀ ସମାଧାନ ନ କରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କୁରେବଗା ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏହା ବ୍ୟତୀତ କମ୍ପାନୀ କର୍ତ୍ତୃପକ୍ଷ ଉକ୍ତ ଘଟଣାକୁ ଚାପି ଦେବା ପାଇଁ ଜୋରଦାର ଉଦ୍ୟମ କରୁଥିବା ମଧ୍ଯ ସାଧାରଣରେ ଅଭିଯୋଗ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories