Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାକିରି ଲୋଭ ଛାଡି ଆମ୍ବ ଚାଷରେ ମନ ଦେଲେ ଯୁବଚାଷି କର୍ମୁ ଧଳ

ବୀରମହାରାଜପୁର : ଆଜିର ସମୟରେ ଯୁବପିଢ଼ି ସରକାରୀ ଚାକିରି ପାଇଁ ଦୌଡ଼ ଲଗାଉଥିବା ବେଳେ କେତେକ ଯୁବକ କୃଷିକୁ ନିଜର ଜୀବିକା ଓ ପରିଚୟର ମାଧ୍ୟମ କରି ସଫଳତାର ନୂଆ କାହାଣୀ ଲେଖୁଛନ୍ତି। ସେହିପରି ଜଣେ ସଫଳ ଚାଷୀ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ଦୁହୁଲପାଲି ଗ୍ରାମର କର୍ମୁ ଧଳ (୪୭)। ଚାକିରିକୁ ପଛକୁ ଛାଡ଼ି ଆମ୍ବ ଚାଷକୁ ନିଜର ଜୀବନର ପଥ ଭାବେ ବାଛି ନେଇଥିବା କର୍ମୁ ଆଜି ଆର୍ଥିକ ସ୍ୱାବଲମ୍ବନ ହେବା ସହ ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ପରିଚିତ ହୋଇପାରିଛନ୍ତି।
କର୍ମୁ ଧଳ +୩ କଳାରେ ଶିକ୍ଷା ଲାଭ କରିବା ପରେ ସରକାରୀ ଚାକିରି ପାଇଁ ଗୋଡ଼ ନ ଦେଇ କୃଷି ପ୍ରତି ଆକର୍ଷିତ ହୋଇଥିଲେ। ପ୍ରାୟ ୨୦ ବର୍ଷ ପୂର୍ବେ ସରକାରୀ ସହାୟତା ପାଇ ସେ ଆମ୍ବ ଚାଷ ଆରମ୍ଭ କରିଥିଲେ। ଆରମ୍ଭରେ ଛୋଟ ପରିସରରେ ଚାଷ କରୁଥିବା ବେଳେ ଧୀରେ ଧୀରେ ସେ ନିଜ ବଗିଚାକୁ ବିସ୍ତାର କରିଥିଲେ। ବର୍ତ୍ତମାନ ସେ ପ୍ରାୟ ସାଢ଼େ ୫ ଏକର ଜମିରେ ୧୭୦ଟି ଆମ୍ବ ଗଛ ଲଗାଇ ସଫଳ ଭାବେ ଚାଷ କରୁଛନ୍ତି।
ତାଙ୍କ ବଗିଚାରେ ଦଶରୀ, ଆମ୍ରପଲ୍ଲି, ମଲ୍ଲିକା, ଲେଙ୍ଗେଡ଼ା ଭଳି ଉନ୍ନତମାନର ବିଭିନ୍ନ ପ୍ରଜାତିର ଆମ୍ବ ଚାଷ ହେଉଛି। ଗଛର ନିୟମିତ ରକ୍ଷଣାବେକ୍ଷଣ, ଜୈବ ଓ ରାସାୟନିକ ସାର ପ୍ରୟୋଗ, ସମୟୋପଯୋଗୀ ଔଷଧ ଛିଟା ଏବଂ ବଉଳ ଆସିବା ସମୟରୁ ବିଶେଷ ଯତ୍ନ ନେବା ଫଳରେ ପ୍ରତିବର୍ଷ ଭଲ ଫଳ ନ ମିଳୁଥିବା କର୍ମୁ କହିଛନ୍ତି। ଏବେ ତାଙ୍କ ବଗିଚାରେ ଫଳିଥିବା ଆମ୍ବ ବିହାର, ଛତିଶଗଡ଼ ଓ ମହାରାଷ୍ଟ୍ର ଭଳି ବାହାର ରାଜ୍ୟକୁ ବିକ୍ରି ପାଇଁ ପଠାଯାଉଛି।
ସ୍ଥାନୀୟ ବଜାରରେ ଆମ୍ବ କିଲୋ ପ୍ରତି ସର୍ବାଧିକ ୪୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ଦଲାଲମାନେ ଅଧିକ ଲାଭ ନେଉଥିବାରୁ ଚାଷୀମାନେ ଯଥେଷ୍ଟ ମୂଲ୍ୟ ପାଇପାରୁନଥିବା ସେ ଅଭିଯୋଗ କରିଛନ୍ତି। ସରକାରୀ ଭାବେ ଆମ୍ବ କ୍ରୟ ବିକ୍ରୟର ବ୍ୟବସ୍ଥା କିମ୍ବା ଅଞ୍ଚଳରେ ଏକ ଶୀତଳ ଭଣ୍ଡାର ସ୍ଥାପନ କରାଗଲେ ଆମ୍ବ ଚାଷୀମାନେ ବହୁତ ଉପକୃତ ହେବେ ବୋଲି ସେ ପ୍ରକାଶ କରିଛନ୍ତି।
ଆମ୍ବ ଚାଷ ମାଧ୍ୟମରେ କର୍ମୁ ଧଳ ବର୍ଷକୁ ପ୍ରାୟ ୭ରୁ ୮ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ତାଙ୍କ ବଗିଚାରେ ଅନ୍ୟ ୪ରୁ ୫ ଜଣ ଲୋକ ନିୟମିତ କାମ ମଧ୍ୟ ପାଉଛନ୍ତି। ଏହି ଚାଷ ରେ ତାଙ୍କ ବଡ଼ ଭାଇ ଧର୍ମୁ ଧଳ ତାଙ୍କୁ ସହଯୋଗ କରିବା ସହିତ ବିଭିନ୍ନ ପରାମର୍ଶ ଦେଇଥାନ୍ତି। ସେ ଓ ତାଙ୍କ ବଡ଼ ଭାଇ ଙ୍କ ପରିବାର ଏକାଠି ରହୁଥିବା ବେଳେ ଏହି ଚାଷ ରୁ ଅର୍ଥ ରୋଜଗାର କରି ଉଭୟଙ୍କ ପିଲାଙ୍କ ପାଠପଢ଼ା ସହିତ ଭଲ ରେ ପାରିବାର ଚଳାଇଥାନ୍ତି। ତାଙ୍କ ସଫଳତା ଦେଖି ଅଞ୍ଚଳର ଅନେକ ଯୁବକ ମଧ୍ୟ ବର୍ତ୍ତମାନ ଉଦ୍ୟାନ କୃଷି ପ୍ରତି ଆକର୍ଷିତ ହେଉଥିବା ଦେଖାଯାଉଛି।
କୃଷି ପ୍ରତି ଆଗ୍ରହ, ଧୈର୍ଯ୍ୟ ଓ ନିଷ୍ଠା ଥିଲେ ଚାଷ ମାଧ୍ୟମରେ ମଧ୍ୟ ସ୍ୱାବଳମ୍ବୀ ହୋଇପାରିବ ବୋଲି କର୍ମୁ ଧଳ ପ୍ରମାଣ କରିଦେଇଛନ୍ତି। ତାଙ୍କ ଏହି ସଫଳତା କାହାଣୀ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ