Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାତାଳୀ ଶ୍ରୀକ୍ଷେତ୍ର ପାହାଡ ଉପରକୁ ଚଢି ପର୍ଯ୍ୟଟକଙ୍କ ମୃତ୍ୟୁ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲେଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ରରେ ଅଘଟଣ। ଜଗନ୍ନାଥଙ୍କ ଦର୍ଶନ ପାଇଁ ପାହାଡ଼ ଚଢ଼ିଥିବା ଜଣେ ଯୁବକଙ୍କର ରହସ୍ୟଜନକ ମୃତ୍ୟୁ ଘଟିଛି। ଭାଇ, ଭାଉଜ ଓ ବନ୍ଧୁମାନଙ୍କ ସହ ଖୁସିରେ ଦର୍ଶନ କରିବାକୁ ଆସିଥିବା ଯୁବକ ଘରକୁ ଫେରିଲେନି। ଦୀର୍ଘ ସମୟ ଖୋଜାଖୋଜି ପରେ ଏକ ଖାଲ ଭିତରୁ ତାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ସେତେବେଳକୁ ସବୁକିଛି ଶେଷ ହୋଇସାରିଥିଲା। ମୃତ ଯୁବକ ହେଲେ କଟକ ଚାଉଳିଆଗଞ୍ଜ ଅଞ୍ଚଳର ୨୩ ବର୍ଷୀୟ ଚିରଞ୍ଜିବ ଦାଶ।
ଭଗବାନଙ୍କ ଦର୍ଶନ ପାଇଁ ଆସିଥିଲେ, କିନ୍ତୁ ଭାଗ୍ୟରେ ଥିଲା ମୃତ୍ୟୁର ଡାକ। କଟକର ଚିରଞ୍ଜିବ ଦାଶ ତାଙ୍କ ବଡ଼ ଭାଇଙ୍କ ପାଖକୁ ଅତାବିରା ଆସିଥିଲେ। ଆଜି ସକାଳେ ଭାଇ, ଭାଉଜ ଓ ଦୁଇ ବନ୍ଧୁଙ୍କ ସହ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲେଇ ପହଞ୍ଚି ପାହାଡ଼ ଉପରକୁ ଚଢ଼ି ଗୁମ୍ଫାରେ ବିରାଜମାନ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଦର୍ଶନ ସାରି ଅପରାହ୍ନ ପ୍ରାୟ ସାଢ଼େ ବାରଟା ବେଳେ ସମସ୍ତେ ପାହାଡ଼ରୁ ତଳକୁ ଓହ୍ଲାଇଥିଲେ।
ଦୁଇ ବନ୍ଧୁ ଆଗରେ ଥିବାବେଳେ ଭାଇ ଓ ଭାଉଜ ସେମାନଙ୍କ ପଛରେ ଆସୁଥିଲେ। ସବୁଠାରୁ ପଛରେ ଏକା ଏକା ଆସୁଥିଲେ ଚିରଞ୍ଜିବ। କିନ୍ତୁ କିଛି ସମୟ ପରେ ସେ ଆଉ କାହାରି ଆଖିରେ ପଡ଼ିନଥିଲେ। ସମସ୍ତେ ତାଙ୍କୁ ଫୋନ କରିଥିଲେ, ଫୋନ ରିଙ୍ଗ ହେଉଥିଲା, ହେଲେ ସେ ଆଉ କଲ୍ ରିସିଭ୍ କରିନଥିଲେ। ଏହାପରେ ଆରମ୍ଭ ହୋଇଥିଲା ଖୋଜାଖୋଜି l
ଚିରଞ୍ଜିବଙ୍କୁ ନପାଇବା ପରେ ଗାଁ ଲୋକଙ୍କ ସହାୟତା ନିଆଯାଇଥିଲା। ପରେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଫୋନ ଟ୍ରାକିଂ ଆଧାରରେ ତାଙ୍କ ଅବସ୍ଥିତି ଠାବ କରାଯାଇଥିଲା। ଦୀର୍ଘ ସମୟର ଅପରେସନ ପରେ ଏକ ଗଭୀର ଖାଲ ଭିତରୁ ଚିରଞ୍ଜିବଙ୍କୁ ଉଦ୍ଧାର କରାଯାଇଥିଲା। ହେଲେ ସେତେବେଳକୁ ଜୀବନର ଲଢ଼େଇରେ ସେ ହାରି ସାରିଥିଲେ।
। ସକାଳେ ହସଖୁସିରେ ଘରୁ ବାହାରିଥିବା ଚିରଞ୍ଜିବଙ୍କ ନିର୍ଜୀବ ଦେହ ସନ୍ଧ୍ୟାରେ ପରିବାର ଲୋକଙ୍କ ପାଖକୁ ଫେରିଥିଲା। ଏହି ଅକାଳ ମୃତ୍ୟୁ ପରିବାରକୁ ଭାଙ୍ଗି ଦେଇଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରାଥମିକ ଭାବେ ଅଂଶୁଘାତ ଜନିତ ମୃତ୍ୟୁ ସନ୍ଦେହ କରାଯାଉଥିଲେ ମଧ୍ୟ ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ବର୍ତ୍ତମାନ ମୃତଦେହକୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ