ଟିଟଲାଗଡ଼ କ୍ରାଇମ ସିଣ୍ଡିକେଟର ପର୍ଦ୍ଦାଫାଶ: ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣାରେ ମାଷ୍ଟରମାଇଣ୍ଡ ଆଲୋକ ଦାସ ଗିରଫ ।
ବଲାଙ୍ଗୀର,୧୬।୬: ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ ସହରରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଟିଟଲାଗଡ଼ର ଚର୍ଚ୍ଚିତ କ୍ରାଇମ ସିଣ୍ଡିକେଟର ମାଷ୍ଟରମାଇଣ୍ଡ ଆଲୋକ ଦାସଙ୍କୁ ବଲାଙ୍ଗୀର ପୋଲିସ ଗିରଫ କରିଛି। ଏହା ପୂର୍ବରୁ ଏହି ମାମଲାରେ ସହଯୋଗୀ ସନ୍ତୋଷ ରଣା ଏବଂ ଶୁଭମ ରଣାଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିସାରିଛି।
ଗିରଫ ହୋଇଥିବା ଆଲୋକ ଦାସ ଏବଂ ସନ୍ତୋଷ ରଣାଙ୍କର ଏକ ଦୀର୍ଘ ଅପରାଧିକ ଇତିହାସ ରହିଛି। ସେମାନେ ୨୦୧୩ ମସିହାର ବହୁଚର୍ଚ୍ଚିତ ବିଜେଡି ନେତା ଅଭିମନ୍ୟୁ ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ଏବଂ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ପ୍ରାୟ ୧୨ ବର୍ଷ ଜେଲରେ ରହିବା ପରେ, ମାନ୍ୟବର ହାଇକୋର୍ଟଙ୍କ ଠାରୁ ସର୍ତ୍ତମୂଳକ ଜାମିନ ପାଇ ସେମାନେ ନିକଟରେ ଜେଲରୁ ବାହାରିଥିଲେ।
କୋର୍ଟଙ୍କ ସର୍ତ୍ତ ଅନୁଯାୟୀ, ଜାମିନ ଅବଧି ମଧ୍ୟରେ ସେମାନେ ଟିଟିଲାଗଡ଼ ସହରକୁ ପ୍ରବେଶ କରିପାରିବେ ନାହିଁ କିମ୍ବା କୌଣସି ଅପରାଧିକ କାର୍ଯ୍ୟକଳାପରେ ନିଜକୁ ସାମିଲ କରିପାରିବେ ନାହିଁ। ମାତ୍ର କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଅବମାନନା କରି ସେମାନେ ଟିଟଲାଗଡ଼ରେ ରହି ଏକ ସକ୍ରିୟ କ୍ରାଇମ ସିଣ୍ଡିକେଟ୍ ବା ଅପରାଧିକ ଗୋଷ୍ଠୀ ଚଲାଉଥିଲେ।
ବଲାଙ୍ଗୀର ଏସପି ଅଭିଲାଷ ଜି. ଙ୍କ ସୂଚନା ଅନୁଯାୟୀ, ଏହି ସିଣ୍ଡିକେଟ୍ ମୁଖ୍ୟତଃ ଜମି କାରବାର, ଦାଦାବଟି ଆଦାୟ ଏବଂ ଜୋରଜବରଦସ୍ତି ଧମକଚମକ ଦେବା କାମ କରୁଥିଲା। ସ୍ଥାନୀୟ ବ୍ୟବସାୟୀ ଶମ୍ଭୁ ଅଗ୍ରୱାଲ ଏକ ଜମି କ୍ରୟ କରିଥିବା ଯୋଗୁଁ ଏହି ଅପରାଧୀମାନେ ତାଙ୍କୁ ୩୦,୦୦୦ ଟଙ୍କାର ଦାଦାବଟି (Extortion) ମାଗିଥିଲେ। ବ୍ୟବସାୟୀ ଜଣକ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ତାଙ୍କୁ ପୂର୍ବରୁ ମଧ୍ୟ ପ୍ରାଣନାଶର ଧମକ ଦିଆଯାଇଥିଲା। ଗତକାଲି ଶମ୍ଭୁ ଅଗ୍ରୱାଲ ନିଜ ଗାଡ଼ିରେ ଯାଉଥିବା ସମୟରେ ଅଭିଯୁକ୍ତମାନେ ତାଙ୍କୁ ପିଛା କରି ଅଟକାଇଥିଲେ ଏବଂ ନିର୍ମମ ଭାବେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଅପରାଧୀଙ୍କ ଭୟରେ ବ୍ୟବସାୟୀ ଶମ୍ଭୁ ଅଗ୍ରୱାଲ ଥାନାରେ କୌଣସି ଅଭିଯୋଗ କରିବାକୁ ସାହସ କରୁନଥିଲେ। ମାତ୍ର ଗଣମାଧ୍ୟମରେ ଏହି ସାଂଘାତିକ ଆକ୍ରମଣର ଖବର ପ୍ରସାରିତ ହେବା ପରେ ବଲାଙ୍ଗୀର ଏସପି ନିଜେ ଏହି ଘଟଣାରେ ସିଧାସଳଖ ହସ୍ତକ୍ଷେପ କରିଥିଲେ।
ପୋଲିସ ଟିଟଲାଗଡ଼ ଥାନା କେସ୍ ନମ୍ବର ୨୧୨/୨୬ ରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୧୦୯ (ହତ୍ୟା ଉଦ୍ୟମ) ଏବଂ ଅନ୍ୟାନ୍ୟ ସଙ୍ଗୀନ ଧାରା ଅଧୀନରେ ମାମଲା ରୁଜୁ କରିଛି। ତଦନ୍ତ ବେଳେ ପୋଲିସ ହାତରେ ଅଭିଯୁକ୍ତମାନଙ୍କ ଅନଲାଇନ୍ ଟଙ୍କା ନେଣଦେଣ, ବ୍ୟାଙ୍କିଙ୍ଗ୍ କାରବାର ଏବଂ କଲ୍ ରେକର୍ଡ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଲାଗିଛି। ବର୍ତ୍ତମାନ ଅଭିଯୁକ୍ତମାନଙ୍କ ଜାମିନ ଖାରଜ କରି ସେମାନଙ୍କୁ ପୁନର୍ବାର ଜେଲ୍ ପଠାଇବା ପାଇଁ ପୋଲିସ ଉଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହେବାକୁ ଆଇନଗତ ପ୍ରକ୍ରିୟା ଜାରି ରଖିଛି।

