Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ଧ୍ର ବି.ଇଡି (B.Ed) ଡିଗ୍ରୀ ନାଁରେ ଲକ୍ଷ ଲକ୍ଷ ଟଙ୍କାର ହଡ଼ପ: କଣ୍ଟାବାଞ୍ଜିରେ ବଡ଼ ଶିକ୍ଷା ଠକେଇ ।

ବଲାଙ୍ଗୀର,୧୬।୬: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ଏକ ବଡ଼ ଧରଣର ଶିକ୍ଷା ପ୍ରତାରଣା ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶରୁ ବି.ଇଡି ଡିଗ୍ରୀ କରାଇଦେବା ଏବଂ ଚାକିରିର ପ୍ରଲୋଭନ ଦେଖାଇ ଜଣେ ଦଲାଲ୍ ୫୫ରୁ ଅଧିକ ଆଶାୟୀ ଛାତ୍ରଛାତ୍ରୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଶେଷରେ ନ୍ୟାୟ ଆଶାରେ ପ୍ରତାରିତ ଛାତ୍ରଛାତ୍ରୀମାନେ କଣ୍ଟାବାଞ୍ଜି ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଅଭିଯୋଗ ଅନୁଯାୟୀ, କଣ୍ଟାବାଞ୍ଜିର ଏକ ଶିକ୍ଷାନୁଷ୍ଠାନର ମାଲିକ ତଥା ଦଲାଲ ପତିତପାବନ ହେର୍ଣ୍ଣା ୨୦୨୩-୨୫ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କୁ ବି.ଇଡି ଡିଗ୍ରୀ କରାଇଦେବାକୁ କହି ମୋଟା ଅଙ୍କର ଅର୍ଥ ଆଦାୟ କରିଥିଲେ। ଛାତ୍ରଛାତ୍ରୀମାନଙ୍କ କହିବା ମୁତାବକ, ସେମାନଙ୍କର ପରୀକ୍ଷା ଶେଷ ହେବାର ପ୍ରାୟ ବର୍ଷେ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ସାର୍ଟିଫିକେଟ୍ ମିଳିନାହିଁ। ସାର୍ଟିଫିକେଟ୍ ମାଗିବା ପରେ ସମ୍ପୃକ୍ତ ଦଲାଲ ଜଣକ ବିଭିନ୍ନ ବାହାନା କରି ସେମାନଙ୍କୁ ଦୀର୍ଘ ଦିନ ଧରି ଭୂଆଁ ବୁଲାଉଥିବା ଅଭିଯୋଗ ହୋଇଛି।
ପ୍ରତାରିତ ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ସେମାନେ ଦୀର୍ଘ ଦିନ ହେବ ସାର୍ଟିଫିକେଟ୍ ପାଇଁ ଅନୁରୋଧ କରିବା ପରେ କେବଳ ପରବର୍ତ୍ତୀ ତାରିଖ ହିଁ ମିଳୁଛି। ଆସନ୍ତା ୩-୪ ଦିନ ମଧ୍ୟରେ ସେମାନଙ୍କୁ ସାର୍ଟିଫିକେଟ୍‌ ଆବଶ୍ୟକ ଥିବାରୁ ସେମାନେ ଥାନାରେ ଏଫ୍‌ଆଇଆର୍ (FIR) ଦେଇଛନ୍ତି।
ଅନ୍ୟପଟେ ଅନୁଷ୍ଠାନର ମାଲିକ ପତିତପାବନ ହେର୍ଣ୍ଣା କହିଛନ୍ତି ଯେ, ୨୦୨୩-୨୫ ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କ ପେମେଣ୍ଟ୍ କଲେଜରେ କ୍ଲିୟର ଅଛି। ମାତ୍ର ୨୦୨୪-୨୬ ବ୍ୟାଚ୍‌ର ପ୍ରାୟ ୨୨୦ ଜଣ ଛାତ୍ରଛାତ୍ରୀଙ୍କର ପ୍ରାୟ ୨୫ ଲକ୍ଷ ଟଙ୍କାର ପେମେଣ୍ଟ୍ ବାକି ରହିଛି। ଆନ୍ଧ୍ରର ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ବାକି ଥିବା ଅର୍ଥ ମଧ୍ୟରୁ ଅତିକମରେ ୯ ଲକ୍ଷ ଟଙ୍କା ପୈଠ କଲେ ଯାଇ ସାର୍ଟିଫିକେଟ୍ ପ୍ରଦାନ କରିବେ ବୋଲି କହୁଛନ୍ତି, ଯାହାଫଳରେ ଏହି ସମସ୍ୟା ସୃଷ୍ଟି ହୋଇଛି।
ଏହି ବଡ଼ ଧରଣର ର‍୍ୟାକେଟ୍‌ରେ କେବଳ ବଲାଙ୍ଗୀର ନୁହେଁ, ବରଂ କଳାହାଣ୍ଡି, ନୂଆପଡ଼ା ଏବଂ ବରଗଡ଼ ଜିଲ୍ଲାର ଅନେକ ଆଶାୟୀ ଛାତ୍ରଛାତ୍ରୀ ମଧ୍ୟ ଫସି ରହିଥିବା ଜଣାପଡ଼ିଛି। କଣ୍ଟାବାଞ୍ଜି ପୋଲିସ ଏହି ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ବ୍ୟାପକ ତଦନ୍ତ ଆରମ୍ଭ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories