Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବାହ ବେଦୀରେ ଦେବ ଦମ୍ପତୀ: ଶୀତଳ ଷଷ୍ଠୀ ପାଇଁ ଉତ୍ସବମୁଖର ବଲାଙ୍ଗୀର ।

ବଲାଙ୍ଗୀର,୧୯।୬: ଆଧ୍ୟାତ୍ମିକ ପରିବେଶ ଓ ଅପୂର୍ବ ଉତ୍ସାହ ଉଦ୍ଦୀପନା ମଧ୍ୟରେ ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ପବିତ୍ର ଶୀତଳଷଷ୍ଠୀ ମହୋତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ପବିତ୍ର ଅକ୍ଷୟ ତୃତୀୟା ତିଥିଠାରୁ ଆରମ୍ଭ ହୋଇଥିବା ଦେବଦମ୍ପତି ଶିବ-ପାର୍ବତୀଙ୍କ ବିବାହ ଉତ୍ସବର ସମସ୍ତ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଳମ୍ବିତ ରାତିରେ ମନ୍ତ୍ରଧ୍ୱନି, ହୁଳହୁଳି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ବିଭିନ୍ନ ପୀଠରେ ମହାଦେବଙ୍କ ଶୁଭ ବିବାହ ସମ୍ପନ୍ନ ହୋଇଛି।
ଶୀତଳଷଷ୍ଠୀ ଅବସରରେ ଗତକାଲି ସନ୍ଧ୍ୟାରେ ବିଭିନ୍ନ ପଡ଼ାରୁ ବାଜଗଜା, ପାରମ୍ପରିକ ବାଦ୍ୟ ଏବଂ ଆକାଶଛୁଆଁ ଆତସବାଜିର ରୋଷଣୀ ସହ ପ୍ରଭୁ ଶିବଶଙ୍କରଙ୍କ ଭବ୍ୟ ବରଯାତ୍ରୀ (ବରାନୁଗମନ) ଶୋଭାଯାତ୍ରା ବାହାରିଥିଲା। ପ୍ରଭୁଙ୍କ ଏହି ଦିବ୍ୟ ରୂପ ଦର୍ଶନ ପାଇଁ ସହରର ବିଭିନ୍ନ ରାସ୍ତାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ଦେବଦମ୍ପତିଙ୍କ ନଗର ପରିକ୍ରମା ପରେ ବିଳମ୍ବିତ ରାତିରେ ବୈଦିକ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ସମାପ୍ତ ହୋଇଛି।
ସାଗରପଡ଼ାଠାରେ ଶ୍ରୀ ବାଲୁଙ୍କେଶ୍ୱର ବାବାଙ୍କ ବିବାହ ସମସ୍ତ ନୀତିକାନ୍ତି ଅନୁଯାୟୀ ସମ୍ପନ୍ନ ହୋଇଛି। ଏଥିରେ କନ୍ୟା ପିତାମାତା ଭାବେ ଅକ୍ଷୟ ବାଗ ଓ ଲକ୍ଷ୍ମୀ ବାଗ ଏବଂ ବର ପିତାମାତା ଭାବେ ଦୀପକ ଠାକୁର ଓ ରଞ୍ଜିତା ଠାକୁର ଉପସ୍ଥିତ ରହି ସମସ୍ତ ବିବାହ ବିଧି ତୁଲାଇଥିଲେ।
ଏଭିଏସ୍‌ଏସ୍ କ୍ଲବ ଆନୁକୁଲ୍ୟରେ ଆୟୋଜିତ ଏହି ଯାତ୍ରା ଧୂମଧାମରେ ଆରମ୍ଭ ହୋଇଥିବା ବେଳେ ସିଦ୍ଧେଶ୍ଵର ବାବା ଓ ମାତା ପାର୍ବତୀଙ୍କ ବାହାଘର ଅନୁଷ୍ଠିତ ହୋଇଥିଲା। ଟିକ୍ରାପଡ଼ାର ରାଜକୁମାର ଖଟୁଆ ଓ ନମିତା ଖଟୁଆ ମହାଦେବଙ୍କ ପିତାମାତା ଏବଂ ତେଲିଗୋଠପଡ଼ାର ଜୟପ୍ରକାଶ ନାରାୟଣ ପୁରୋହିତ ଓ ରୁନୁ ପୁରୋହିତ କନ୍ୟାପିତା-ମାତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। କ୍ଲବ ସଭାପତି ସମୀର ସାହାନୀ, ଉପସଭାପତି ଅନାଦି ପଟ୍ଟନାୟକ, ସମ୍ପାଦକ ବଣ୍ଟି ମିଶ୍ର, ସହ ସମ୍ପାଦକ ବିଭୁପ୍ରସାଦ ଷଢ଼ଙ୍ଗୀ, କୋଷାଧ୍ୟକ୍ଷ ମାନସ ବହିଦାରଙ୍କ ସମେତ ଶୁଭମ ସାହୁ, ନୀରଜ ବକ୍ସି ଓ ନିଖିଳ ବହିଦାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ବିବିଏସ୍‌ଏସ୍ ଆନୁକୁଲ୍ୟରେ ଆୟୋଜିତ ଶୀତଳଷଷ୍ଠୀ ମହୋତ୍ସବ ଚଳିତ ବର୍ଷ ୩୮ ବର୍ଷରେ ପଦାର୍ପଣ କରିଛି। ଏଠାରେ ବାବା ଗୋପେଶ୍ୱର ଏବଂ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। କମିଟି ଉପଦେଷ୍ଟା ଯତୀନ୍ଦ୍ର ସାହୁ, ସୁଜ୍ଞାନୀବନ୍ତ ବାରିକ୍, ସଭାପତି କମଳ ନନ୍ଦ, ଉପସଭାପତି ରାଜୁ ସାହୁ, ସମ୍ପାଦକ ସଞ୍ଜୀବ ସାହୁ, ସହ ସମ୍ପାଦକ ସିଲୁ ପଟ୍ଟନାୟକ, କୋଷାଧ୍ୟକ୍ଷ ସରୋଜ ସାହୁ, ସଂସ୍କୃତି ସମ୍ପାଦକ ରାଜେଶ ପାଣିଗ୍ରାହୀଙ୍କ ସମେତ ବାବୁ ମହାଲିଙ୍ଗ, ଆଶିଷ ସାହୁ, ଅଲେଖ ମହାଲିଙ୍ଗ, ରାଜା ନାଏକ, ପ୍ରତୀକ ପାତ୍ର, ସଞ୍ଜୟ ବେହେରା ଓ ପୁରନ୍ଦର ପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ବରାନୁଗମନ ଓ ବିବାହ ସମ୍ପନ୍ନ ହୋଇଥିଲା।
ସୁଦପଡ଼ା ଏବଂ ରୁଗୁଡ଼ିପଡ଼ା କମିଟି ପକ୍ଷରୁ ଚଳିତ ବର୍ଷ ୪୫ ତମ ଶୀତଳ ଷଷ୍ଠୀ ମହୋତ୍ସବ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜନ କରାଯାଇଛି। ସୁଦପଡ଼ାରେ ଦେବୋତ୍ତର ବେହେରାଙ୍କ ସମେତ କମିଟିର ଉପସଭାପତି ରାଜେଶ୍ ଦୋରା, ରାଜା ସାମନ୍ତରାୟ, ସମ୍ପାଦକ ସନ୍ତୋଷ ପଣ୍ଡା, ସହ ସମ୍ପାଦକ ଅନନ୍ତ ମଛଖଣ୍ଡ, କୋଷାଧ୍ୟକ୍ଷ ଉମେଶ କବାଟ, ସଭାପତି କମଳ ନନ୍ଦ, ଉପସଭାପତି ଗାନ୍ଧୁ ସାହୁ, ସମ୍ପାଦକ ସଞ୍ଜୀବ ସାହୁ, ସହସମ୍ପାଦକ ଚିନ୍ମୁ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ସରୋଜ ସାହୁ ପ୍ରମୁଖ ଯାତ୍ରା ଦାୟିତ୍ୱରେ ଥିଲେ।
ସେହିପରି ରୁଗୁଡ଼ିପଡ଼ାରେ ବାବା ବୈଦ୍ୟନାଥଙ୍କ ଭବ୍ୟ ବରଯାତ୍ରା ବାହାରିଥିଲା। ଏହି କାର୍ଯ୍ୟକ୍ରମରେ ଦେବରାଜ ବେହେରା, ସଭାପତି ରାଜେଶ ବୋରା, ଉପସଭାପତି ଗୀତା ସାମନ୍ତରାୟ, ସମ୍ପାଦକ ମହେନ୍ଦ୍ର ପଣ୍ଡା, ସହସମ୍ପାଦକ ଅନନ୍ତ ମଞ୍ଜରୀ, କୋଷାଧ୍ୟକ୍ଷ ଉମେଶ କବାଟଙ୍କ ସହ ବୁଲୁ ପ୍ରଧାନ, ଦୁର୍ଗା ଚରଣ ବେହେରା, ପୂର୍ବତନ ନଗରପାଲ ସତ୍ୟ ନାରାୟଣ ଭୋଇ, କମଳଜିତ୍ ସିଂ, ବିପିନ ପାଢ଼ୀ ଏବଂ ବୁଲୁ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ।
ଟିକ୍ରାପଡ଼ାଠାରେ ମଧ୍ୟ ଶୀତଳ ଷଷ୍ଠୀ ମହୋତ୍ସବର ଭବ୍ୟ ଆୟୋଜନ ଦେଖିବାକୁ ମିଳିଛି। ଯାତ୍ରା ପାଇଁ ପଡ଼ାର ପ୍ରାୟ ସବୁ ଘରକୁ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା। ବିଳମ୍ବିତ ମଧ୍ୟାହ୍ନରେ ବରଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ରାତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। କମିଟି ସଭାପତି ତଥା ପୂର୍ବତନ ନଗରପାଳ ପ୍ରଦୀପ ସାହୁ, ସମ୍ପାଦକ ବିକାଶ ସା, କୋଷାଧ୍ୟକ୍ଷ ରାଜେଶ ସାହୁ, ବାବୁ ସା, ସଞ୍ଜୟ ଶତପଥୀ, ତୋଫାନ ସାହୁ, ଆଶୁତୋଷ ସାହୁ, ଅଭିଷେକ ପୁଝାରୀ, ସଞ୍ଜିବ ସାହୁ, ଜ୍ୟୋତିଷ କର ଏବଂ ସ୍ଵସ୍ତିକ ମିଶ୍ର ପ୍ରମୁଖ ଯାତ୍ରା ପରିଚାଳନା କରିଥିଲେ।
ଏହା ବ୍ୟତୀତ ଗାନ୍ଧୀନଗରପଡ଼ା, ରାଧାରାଣୀପଡ଼ା, ପେଲେସ୍ ଲାଇନ୍, କଂସାରୀପଡ଼ା ଏବଂ ସ୍ଵାଧୀନନଗର ଯାତ୍ରା କମିଟି ପକ୍ଷରୁ ମଧ୍ୟ ମହୋତ୍ସବ ବେଶ୍‌ ଧୂମଧାମରେ ଆରମ୍ଭ ହୋଇଛି।
ଶୀତଳଷଷ୍ଠୀ ଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସହରରେ ୫ ପ୍ଲାଟୁନ ଫୋର୍ସ (ଏପିଆର ଓ ହୋମଗାର୍ଡ) ମୁତୟନ କରାଯାଇଛି। ଏହା ସହିତ ୩୦ ଜଣ ବରିଷ୍ଠ ଅଧିକାରୀ ଏବଂ ୩୦ ଜଣ ଟ୍ରାଫିକ୍ ପୁଲିସ୍ କର୍ମୀ ସହରର ବିଭିନ୍ନ ପ୍ରମୁଖ ଛକମାନଙ୍କରେ ସତର୍କ ନଜର ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories