ବାଙ୍କେଲ ଜଳ ପ୍ରକଳ୍ପ ନାଁରେ ମହାଦୁର୍ନୀତି ଘଟଣା ! ଭଙ୍ଗାହେଲା ନିମ୍ନ ମାନର ନିର୍ମାଣଧୀନ ପ୍ରକଳ୍ପ , ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଓ ଠିକାଦାରଙ୍କୁ ସୁରକ୍ଷା କାହିଁକି ?
ବଲାଙ୍ଗୀର,୧୯।୬: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ଗ୍ରାମପଞ୍ଚାୟତ ବାଙ୍କେଲ ଗାଁରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଜଳ ଯୋଗାଣ ଯୋଜନାରେ ଚାଲିଥିବା ସାଂଘାତିକ ବାଟମାରଣା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବିଭାଗୀୟ ସ୍ତରରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବଲାଙ୍ଗୀର ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଗଗନ କୁମାର କିଶାନଙ୍କ ନିର୍ଦ୍ଦେଶକ୍ରମେ ସଂପୃକ୍ତ ନିମ୍ନମାନର କୂଅ ନିର୍ମାଣକୁ ଠିକାଦାରଙ୍କ ଦ୍ୱାରା ଭାଙ୍ଗି ଦିଆଯାଇଛି। ହେଲେ ପ୍ରଶ୍ନ ଉଠୁଛି, କେବଳ ପ୍ରକଳ୍ପ ଭାଙ୍ଗିଦେଲେ କଣ ଦୁର୍ନୀତିର ଚେର ଉପୁଡ଼ିଯିବ? ସଂପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କୌଣସି ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବା ଏବେ ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷର ନିଆଁକୁ ଆହୁରି ଜଳାଇ ଦେଇଛି।
ପାନୀୟ ଜଳ ଭଳି ଅତ୍ୟାବଶ୍ୟକ ପ୍ରକଳ୍ପରେ ସାଧାରଣ ଲୋକଙ୍କ ଜୀବନ ସହ ସିଧାସଳଖ ଖେଳ ଖେଳାଯାଇଥିଲା। କୂଅ କାନ୍ଥ ଭିତରୁ ସିମେଣ୍ଟ ବଦଳରେ ପୁରୁଣା ସିମେଣ୍ଟ ବସ୍ତା ଏବଂ କୁଟା ବାହାରିବା ସହ କାଠିରେ ଘଷିଲେ କଂକ୍ରିଟ୍ ଝଡ଼ିବା ଭଳି ସଙ୍ଗୀନ ଚିତ୍ର ସାମ୍ନାକୁ ଆସିଥିଲା।
ସରକାରୀ ନିୟମକୁ ବଳି ଚଢ଼ାଇ ପ୍ରକଳ୍ପ ସ୍ଥଳରେ କୌଣସି ସୂଚନା ଫଳକ (Information Board) ଲଗାଯାଇନଥିଲା, ଯାହାଫଳରେ ବ୍ୟୟ ଅଟକଳ ଓ ପାଣ୍ଠି ସମ୍ପର୍କରେ ଗ୍ରାମବାସୀ ଅନ୍ଧାରରେ ରହିଥିଲେ।
ଖବର ପ୍ରସାରଣ ପରେ ନିଜ ଦୁର୍ନୀତିର ଗୁମର ଖୋଲିଯିବା ଭୟରେ ମୁରିବାହାଲ ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଏସଡିଓ ପ୍ରଶାନ୍ତ ବାଗେ ଏବଂ କନିଷ୍ଠ ଯନ୍ତ୍ରୀ (JE) ବିଶ୍ୱଜିତ୍ ଜେନା ଏବେ ଗଣମାଧ୍ୟମ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିଥିଲେ ।
ପୂର୍ବରୁ ପ୍ରକଳ୍ପର ବଜେଟ୍ ବିଷୟରେ ପଚାରିବାରୁ “ମନେ ନାହିଁ” କହି ଦାୟିତ୍ୱହୀନତାର ପରିଚୟ ଦେଇଥିବା ଏହି ବାବୁମାନେ ଏବେ ସମ୍ପୂର୍ଣ୍ଣ ଭାବେ ଫୋନ୍ ଉଠାଇବା ବନ୍ଦ କରିଦେଇଛନ୍ତି।
ଅଧିକାରୀ ଦ୍ୱୟଙ୍କର ଏହି ମୁହଁ ଲୁଚାଇବା ଏବଂ ଭୟ ହିଁ ପ୍ରମାଣ କରୁଛି ଯେ, ଠିକାଦାର ସୁକଦେବ ତାଣ୍ଡିଙ୍କ ସହ ସେମାନଙ୍କର ମଧୁଚନ୍ଦ୍ରିକା କେତେ ଗଭୀର ଏବଂ ଏଠାରେ କେତେ ବଡ଼ ଧରଣର ପିସି (PC) କାରବାର ଚାଲିଥିଲା।
ବଲାଙ୍ଗୀର ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଗଗନ କୁମାର କିଶାନ କାମକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇ ନିଜ ଦାୟିତ୍ୱ ସାରିଦେଇଥିବା ଭଳି ମନେହେଉଛି। ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନ ଉଠୁଛି: “ଯଦି କାମ ନିମ୍ନମାନର ଥିଲା ଏବଂ ସେଥିପାଇଁ ତାହା ଭଙ୍ଗାଗଲା, ତେବେ ଏଭଳି ଅପରାଧିକ କାର୍ଯ୍ୟ ପାଇଁ ଦାୟୀ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉ ନାହିଁ? କାଲି ସକାଳେ ଯଦି ଏହି କୂଅ ଭୁଶୁଡ଼ି କୌଣସି ଗ୍ରାମବାସୀଙ୍କ ଜୀବନ ଯାଇଥାନ୍ତା, ତେବେ ତାର ଦାୟିତ୍ୱ କିଏ ନେଇଥାନ୍ତା?”
ଠିକାଦାରଙ୍କ ଦାଦାଗିରି ଓ ଗ୍ରାମବାସୀଙ୍କୁ ଓଲଟା ଅପମାନିତ କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆକ୍ରୋଶ ଦେଖାଦେଇଛି। ଜନସାଧାରଣଙ୍କ ଟ୍ୟାକ୍ସ ପଇସାରେ ନିଜ ପକେଟ ଗରମ କରୁଥିବା ଏହି ଭ୍ରଷ୍ଟାଚାରୀମାନଙ୍କ ବିରୋଧରେ ବାଙ୍କେଲବାସୀ ଏବେ କୋମର ବାନ୍ଧିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ନିରପେକ୍ଷ ତଦନ୍ତ କରିବା ସହ ଭ୍ରଷ୍ଟ ଠିକାଦାର ସୁକଦେବ ତାଣ୍ଡିଙ୍କୁ ବ୍ଲାକଲିଷ୍ଟ (Blacklist) କରାଯିବାକୁ ଦାବୀ ଗ୍ରାମବାସୀ କରିଛନ୍ତି । ଏଥିସହ ଦାୟିତ୍ୱହୀନ JE ବିଶ୍ୱଜିତ୍ ଜେନା ଏବଂ ଏସଡିଓ ପ୍ରଶାନ୍ତ ବାଗେଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।
ଯଦି ପ୍ରଶାସନ ତୁରନ୍ତ ଏହି ଦାବି ପୂରଣ ନକରେ, ତେବେ ଆଗାମୀ ଦିନରେ ବାଙ୍କେଲ ଗ୍ରାମବାସୀ ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜରାସ୍ତାକୁ ଓହ୍ଲାଇବେ। ଏବେ ଦେଖିବାକୁ ବାକି ରହିଲା, ବଲାଙ୍ଗୀର ଜିଲ୍ଲାପାଳ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ମୁଖ୍ୟ ଯନ୍ତ୍ରୀ ଏହି ଭ୍ରଷ୍ଟ ଅଧିକାରୀ ଓ ଠିକାଦାରଙ୍କୁ ସୁରକ୍ଷା ଦେଉଛନ୍ତି ନା ଗ୍ରାମବାସୀଙ୍କୁ ନ୍ୟାୟ ପ୍ରଦାନ କରୁଛନ୍ତି।

