Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରମେୟ-ନ୍ୟୁଜ୍ ୭ର କଣ୍ଟାବାଞ୍ଜି ପ୍ରତିନିଧି ଅଶୋକ ଭୋଇଙ୍କ ଅକାଳ ବିୟୋଗ: ଜନ୍ମମାଟି ଗୋଇମୁଣ୍ଡରେ ଶେଷକୃତ୍ୟ ସମ୍ପନ୍ନ, ସରକାରୀ ସହାୟତା ପାଇଁ ଦାବି ।

ବଲାଙ୍ଗୀର,୨୨।୬: ପ୍ରମେୟ-ନ୍ୟୁଜ୍ ୭ର କଣ୍ଟାବାଞ୍ଜି ପ୍ରତିନିଧି ତଥା ଜଣେ ମେଳାପୀ ଓ ଜନପ୍ରିୟ ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କର ୪୦ ବର୍ଷ ବୟସରେ ଅକାଳ ଦେହାନ୍ତ ହୋଇଯାଇଛି। ସୂଚନା ଅନୁଯାୟୀ, ଅତ୍ୟଧିକ ରକ୍ତଚାପ ଯୋଗୁଁ ଗତ ୨୦ ତାରିଖରେ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ଖଡ଼ିଆଳ ସରକାରୀ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଖଡ଼ିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଚେତା ନ ଫେରିବାରୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ୨୧ ତାରିଖରେ ତାଙ୍କୁ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ରବିବାର ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ସୋମବାର ତାଙ୍କ ପାର୍ଥିବ ଶରୀର ନିଜ ଗ୍ରାମରେ ପହଞ୍ଚିବା ପରେ ସ୍ଥାନୀୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବୃଦ୍ଧ ପିତା ଜଳଧର ଭୋଇ ପୁତ୍ରର ମୁଖାଗ୍ନି ଦେଇଥିବା ବେଳେ ଶ୍ମଶାନରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରୀ ଭୋଇଙ୍କ ଉତ୍ତମ ବ୍ୟବହାର, ସମାଜସେବା ଓ ମେଳାପୀ ସ୍ୱଭାବ ହିଁ ତାଙ୍କ ଜୀବନର ମୂଳପୁଞ୍ଜି ଥିଲା। ସେ ଜଳଧର ଓ ପଦ୍ମାବତୀଙ୍କ ଏକମାତ୍ର ପୁତ୍ର ଥିଲେ। ତାଙ୍କ ବିୟୋଗରେ ସ୍ତ୍ରୀ ଦେବକୀ, ଦୁଇ ନାବାଳିକା ଝିଅ ଲିପ୍ସାରାଣୀ (୧୫) ଓ ଲିଲିମା (୧୨) ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି। ଶୋକସନ୍ତପ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଜୋରଦାର ଦାବି ହେଉଛି।
ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ଉପାନ୍ତ ଗୋଇମୁଣ୍ଡ ଗ୍ରାମର ବାସିନ୍ଦା ଅଶୋକ ଭୋଇ ୨୦୦୯ ମସିହାରୁ ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ଥିଲେ। ବିଭିନ୍ନ ସମ୍ପ୍ରତିକ ଗଣମାଧ୍ୟମ ସଂସ୍ଥାରେ ସଫଳତାର ସହ କାର୍ଯ୍ୟ କରିବା ପରେ ସେ ପ୍ରମେୟ-ନ୍ୟୁଜ୍ ୭ ସହ ଜଡ଼ିତ ହୋଇ କଣ୍ଟାବାଞ୍ଜି ପ୍ରତିନିଧି ଭାବେ ଦାୟିତ୍ୱ ତୁଲାଉଥିଲେ। କେବଳ ସାମ୍ବାଦିକତା ନୁହେଁ, ବରଂ ଜଣେ ସଂଗଠକ ଭାବେ ସେ ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି, ବଲାଙ୍ଗୀର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ଉପ-ସଭାପତି ଏବଂ ଗୋଇମୁଣ୍ଡ ସ୍କୁଲ ପରିଚାଳନା କମିଟିର ସଭାପତି ଭାବେ ସେବା ପ୍ରଦାନ କରିଥିଲେ।
ତାଙ୍କର ନେତୃତ୍ୱ ନେବାର ଦକ୍ଷତା ଛାତ୍ର ଜୀବନରୁ ହିଁ ପ୍ରତିଫଳିତ ହୋଇଥିଲା, ଯେତେବେଳେ ସେ ଟିଟିଲାଗଡ଼ ଡିଏଭି କଲେଜରେ ଛାତ୍ରସଂସଦ ନିର୍ବାଚନରେ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୦୭ ପଞ୍ଚାୟତ ନିର୍ବାଚନରେ ସେ ଗୋଇମୁଣ୍ଡ ଗ୍ରାପରୁ ସମିତିସଭ୍ୟ ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦିତା କରିଥିଲେ। ଏହାସହ ଉତ୍କଳ କନ୍ଧ ସମାଜ ବୁଢ଼ୁକା ପ୍ରଗଣାର ସମ୍ପାଦକ ଭାବେ ଦୀର୍ଘ ଦିନ ଧରି ସେ ଆଦିବାସୀଙ୍କ ହକ ଓ ସାମାଜିକ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିଥିଲେ।
ତାଙ୍କର ଏହି ଆକସ୍ମିକ ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଅଜିତ କୁମାର ଯୋଶୀ, ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ଉପସଭାପତି ସୁରେଶ ଭୋଇ, ଆଦିବାସୀ ନେତା ଗିରିରାଜ ସିଂ ମାଝୀ, କଣ୍ଟାବାଞ୍ଜି ବିଧାୟକଙ୍କ ପ୍ରତିନିଧି ମୁକେଶ ବାଗ ଏବଂ କନ୍ଧ ସମାଜ ଯୁବ ସଂଗଠନର ସମ୍ପାଦକ ଡିଙ୍ଗର ଭୋଇଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଗୋଇମୁଣ୍ଡ ଗ୍ରାମରେ ପହଞ୍ଚି ସ୍ୱର୍ଗତ ଭୋଇଙ୍କ ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories