ବଲାଙ୍ଗୀର ବନ ବିଭାଗର ବଡ଼ ସଫଳତା: ବିପୁଳ ପରିମାଣର ଖଇର କାଠ ସହ ଟ୍ରକ୍ ଓ ପିକ୍ଅପ୍ ଭ୍ୟାନ୍ ଜବତ ।
ବଲାଙ୍ଗୀର,୨୩।୬: ବଲାଙ୍ଗୀର ବନଖଣ୍ଡ ଓ ଡିଭିଜନ ମୋବାଇଲ୍ ଟିମ୍କୁ ମିଳିଛି ଏକ ବଡ଼ ସଫଳତା। ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ ସମୟରେ ବଲାଙ୍ଗୀର-ଲୋଇସିଂହା ଅଞ୍ଚଳରୁ ବେଆଇନ ଭାବେ ଚାଲାଣ ହେଉଥିବା ବିପୁଳ ପରିମାଣର ଖଇର କାଠ ଜବତ କରାଯାଇଛି।
ବନ ବିଭାଗର ମୋବାଇଲ୍ ସ୍କ୍ୱାଡ୍ ଚଢ଼ାଉ କରି କାଠ ବୋଝେଇ ହୋଇଥିବା ଏକ ବଡ଼ ଟ୍ରକ୍, ୨ଟି ପିକ୍ଅପ୍ ଭ୍ୟାନ୍ ଏବଂ ଏକ ମୋଟର ସାଇକେଲ୍କୁ ଜବତ କରିବାରେ ସକ୍ଷମ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରହରାରେ ଥିବା ବେଳେ ବନ ବିଭାଗ କର୍ମଚାରୀମାନେ ଏହି ଗାଡ଼ି ଗୁଡ଼ିକୁ ସନ୍ଦେହଜନକ ଭାବେ ଗତି କରୁଥିବା ଦେଖିବାକୁ ପାଇଥିଲେ। ପିଛା କରି ଗାଡ଼ିଗୁଡ଼ିକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ବହୁ ମୂଲ୍ୟବାନ ଖଇର କାଠ ଗଣ୍ଡି ଉଦ୍ଧାର କରାଯାଇଥିଲା। ବନ ବିଭାଗ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିବା ସହ ଏହି ବେଆଇନ କାରବାର ପଛରେ କେଉଁ ମାଫିଆଙ୍କ ହାତ ରହିଛି, ତାହାର ଖୋଳତାଡ଼ କରୁଛି।

