ମୁରିବାହାଲ ପଂଚାୟତି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ବଲାଙ୍ଗୀର ଜିଲ୍ଲାପାଳ; ରାଜ୍ୟ ମୁକ୍ତ ବିଦ୍ୟାଳୟ କେନ୍ଦ୍ରର ସମୀକ୍ଷା ।
ବଲାଙ୍ଗୀର,୨୨।୬: ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ମୁରିବାହାଲ ବ୍ଲକ ଗସ୍ତ ସମୟରେ ସ୍ଥାନୀୟ ପଂଚାୟତି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଭିନ୍ନ ଶିକ୍ଷାଗତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ବିଶେଷ କରି ସମାଜର ସବୁ ବର୍ଗଙ୍କ ପାଖରେ ଶିକ୍ଷାର ସୁଯୋଗ ପହଞ୍ଚାଇବା ଲକ୍ଷ୍ୟରେ ବିଦ୍ୟାଳୟ ପରିସରରେ ଚାଲୁଥିବା ‘ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ’ (OSOS) କେନ୍ଦ୍ର ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି।
ପରିଦର୍ଶନ ସମୟରେ ଜିଲ୍ଲାପାଳ ଶ୍ରୀ ଇସଲୱାର ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷା କର୍ମଚାରୀଙ୍କ ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ କେନ୍ଦ୍ରର କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିଥିଲେ। ଗ୍ରାମାଞ୍ଚଳର କେତେଜଣ ବିଦ୍ୟାର୍ଥୀ ଏହି କେନ୍ଦ୍ର ଦ୍ୱାରା ଉପକୃତ ହେଉଛନ୍ତି, ସେ ନେଇ ସେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ସମାଜର ନିମ୍ନଲିଖିତ ବର୍ଗଙ୍କୁ ସୁଗମ ଶିକ୍ଷା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେଉଁ ପିଲାମାନେ କୌଣସି କାରଣବଶତଃ ପ୍ରାଥମିକ କିମ୍ବା ମାଧ୍ୟମିକ ଶିକ୍ଷା ଅଧାରୁ ଛାଡ଼ିଛନ୍ତି, ସେମାନଙ୍କୁ ପୁଣି ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା।
କାର୍ଯ୍ୟବ୍ୟସ୍ତତା ଯୋଗୁଁ ନିୟମିତ ବିଦ୍ୟାଳୟ ଯାଇପାରୁ ନଥିବା ବୟସ୍କ ବ୍ୟକ୍ତିବିଶେଷଙ୍କ ପାଇଁ ଶିକ୍ଷାର ସୁଯୋଗ ସୃଷ୍ଟି କରିବା।ଗ୍ରାମାଞ୍ଚଳର ଯେଉଁ ଯୁବକମାନେ ନିଜର ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଉତ୍ସାହିତ କରିବା।ସ୍ୱେଚ୍ଛାକୃତ ଭାବେ ଶିକ୍ଷା ଗ୍ରହଣ କରିବାକୁ ଚାହୁଁଥିବା ଭିନ୍ନକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର ଓ ସୁଗମ ଶିକ୍ଷା ପରିବେଶ ପ୍ରସ୍ତୁତ କରିବା। ଶିକ୍ଷାରୁ ବଞ୍ଚିତ ହେଉଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହି ମୁକ୍ତ ବିଦ୍ୟାଳୟ କେନ୍ଦ୍ର ଏକ ଆଶାର କିରଣ ସଦୃଶ ବୋଲି ପ୍ରକାଶ କରିବା ସହ, ଏହାର ଭିତ୍ତିଭୂମି ଓ ପ୍ରଚାର ପ୍ରସାର ଦିଗରେ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ସ୍ଥାନୀୟ ଶିକ୍ଷା ବିଭାଗର ଅଧିକାରୀ ଓ ବ୍ଲକ ପ୍ରଶାସନର ପ୍ରମୁଖ କର୍ମଚାରୀମାନେ ଉପସ୍ଥିତ ଥିଲେ।

