ଫୁଲଝରଣ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କଲେ ବଲାଙ୍ଗିର ଜିଲ୍ଲାପାଳ: ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା ।
ବଲାଙ୍ଗିର,୨୪।୬: ବଲାଙ୍ଗିର ଜିଲ୍ଲାର ଅନ୍ୟତମ ଆକର୍ଷଣୀୟ ପ୍ରକୃତି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି । ଖରସେଲ ବନାଞ୍ଚଳ ଅନ୍ତର୍ଗତ ପ୍ରସିଦ୍ଧ ‘ଫୁଲଝରଣ’ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର। ଏହି ଗସ୍ତ ସମୟରେ ସେ ସ୍ଥାନୀୟ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁଭୂତି ନେବା ସହ ଏହାର ସାମଗ୍ରୀକ ବିକାଶ ପାଇଁ ଚାଲିଥିବା ଏବଂ ଆଗାମୀ ଦିନରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି ।
ଜିଲ୍ଲାପାଳ ଫୁଲଝରଣ ପର୍ଯ୍ୟଟନ ସ୍ଥଳୀର କୋଣ-ଅନୁକୋଣ ବୁଲି ଦେଖିବା ସହ ବର୍ତ୍ତମାନର ଭିତ୍ତିଭୂମି ଓ ପର୍ଯ୍ୟଟକମାନଙ୍କ ପାଇଁ ଥିବା ସୁବିଧା ସୁଯୋଗର ଅନୁଧ୍ୟାନ କରିଥିଲେ ।
ଖରସେଲ ବନାଞ୍ଚଳ ଅନ୍ତର୍ଗତ ଏହି ସ୍ଥାନର ବିକାଶ ପାଇଁ ଜଙ୍ଗଲ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ କେଉଁ ସବୁ ଯୋଜନା ପ୍ରସ୍ତୁତ କରାଯାଇଛି, ସେ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ ।
ପର୍ଯ୍ୟଟକମାନଙ୍କ ଆକର୍ଷଣ ବୃଦ୍ଧି ନିମନ୍ତେ ପରିବେଶର ସୁରକ୍ଷା, ପାନୀୟ ଜଳ, ଗମନାଗମନ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଫୁଲଝରଣକୁ ଏକ ଆଦର୍ଶ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ି ତୋଳିବା ସହ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ଜିଲ୍ଲା ପ୍ରଶାସନ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛି ବୋଲି ଜଣାପଡ଼ିଛି । ଜିଲ୍ଲାପାଳଙ୍କ ଏହି ଗସ୍ତ ପରେ ଫୁଲଝରଣର ରୂପରେଖ ବଦଳିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଓ ପର୍ଯ୍ୟଟନ ପ୍ରେମୀମାନେ ଆଶା ପ୍ରକଟ କରିଛନ୍ତି ।

