Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶେଷରେ ମୁଣ୍ଡ ନଇଁଲା ପ୍ରଶାସନ, ବେନିୟମ ଭାବେ ସିଲ୍ କରାଯାଇଥିବା ଦିବ୍ୟାଙ୍ଗଙ୍କ ଘରକୁ ଆଜି ପ୍ରଶାସନ ପକ୍ଷରୁ ତାଲା ଖୋଲାଗଲା

ଜମନକିରା : ଜମନକିରା ତହସିଲ ଅନ୍ତର୍ଗତ କୁକୁଣ୍ଡି ପଞ୍ଚାୟତ ଗୌତମଟିକିରା ଗାଁର ଦିବ୍ୟାଙ୍ଗ ଧନଞ୍ଜୟ ପ୍ରଧାନ (୬୩)ଙ୍କ ଗୃହକୁ ସମ୍ବଲପୁର ସ୍ଥିତ ଡିସିବି ବ୍ୟାଙ୍କ ର କର୍ତ୍ତୃପକ୍ଷ, ଜମନକିରା ତହସିଲ ର ଅତିରିକ୍ତ ତହସିଲଦାର ଏବଂ ପୋଲିସ ପକ୍ଷରୁ ଗତ ୫ ତାରିଖ ଦିନ ଋଣ ଖିଲାପି ନାଁରେ ସିଲ୍ କରାଯାଇଥିଲା। ତେବେ ବିଭିନ୍ନ ଗଣମାଧ୍ୟମରେ ଏହି ଦୁଃଖଦ ଖବର ପ୍ରସାରଣ ପରେ ଆଜି ପ୍ରଶାସନ ପକ୍ଷରୁ ଅପରାହ୍ନ ସାଢେ଼ ୧୨ ଟା ସମୟରେ ତାଲା ଖୋଲାଯାଇ ପରିବାର ଲୋକଙ୍କୁ ଘରେ ରହିବା ଅନୁମତି ପ୍ରଦାନ କରାଯାଇଛି। ତେବେ ଡିବ୍ୟାଙ୍ଗ ଧନୁଞ୍ଜୟ ଋଣ ନନେଇ ତାଙ୍କ ଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ଅନ୍ଧ ପ୍ରଶାସନ କିପରି ସିଲ୍ କରିଥିଲେ ଏନେଇ ଉକ୍ତ ସ୍ଥାନରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ରାଜସ୍ୱ ବିଭାଗ ଅଧିକାରୀ ଯୋଉ ମାନେ ସଠିକ୍ ତଦନ୍ତ ନକରି ନିର୍ଦ୍ଦୋଷଙ୍କୁ ଗତ ୨୧ ଦିନ ହେଲେ ଘରୁ ତଡ଼ି ଦେଇଥିଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବାର ଲୋକେ ଦାବି କରିଛନ୍ତି। ଆଜିର ଏହି ତାଲା ଖୋଲା ସମୟରେ ଜମନକିରା ତହସିଲଦାର ପ୍ରବୀଣା ବିଲୁଙ୍ଗ, ଆରଆଇ ଦୀପକ ପଶାୟତ, ଆଇଆଇସି ରଞ୍ଜନ ନାଗ, ଏସଆଇ ମନୋରଞ୍ଜନ ଦାଶଙ୍କ ସହ ରାଜସ୍ୱ ବିଭାଗ କର୍ମଚାରୀ, ପୋଲିସ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ମୁତାବକ, ଜମନକିରା ବ୍ଲକ୍ ଗୌଡ଼ପାଲି ରାଜସ୍ୱ ସର୍କଲ ଗୌତମଟିକ୍ରା ଗାଁର ଦିବ୍ୟାଙ୍ଗ ବୃଦ୍ଧ ଧନଞ୍ଜୟ ପ୍ରଧାନ (୬୩) କୌଣସି ଋଣ କରିନଥିଲେ କିମ୍ବା କାହାର ଗ୍ୟାରେଣ୍ଟର ମଧ୍ୟ ହୋଇ ନଥିଲେ। ମାତ୍ର ଗତ ୫ ତାରିଖ ଦିନ ଡିସିବି ବ୍ୟାଙ୍କ କର୍ତ୍ତୃପକ୍ଷ ଓ ବ୍ଲକ ପ୍ରଶାସନ ଆସି ତାଙ୍କ ଘରକୁ ସିଲ୍ କରିଦେଇଥିଲେ। ସ୍ଥିତି ଏଭଳି ହୋଇଛି ଯେ, ବିନା ଅପରାଧରେ ଧନଞ୍ଜୟ ତାଙ୍କ ସ୍ତ୍ରୀ (୫୭), ବିଧବା ବୋହୂ (୩୫) ୧୪ ଓ ୯ ବର୍ଷୀୟ ଦୁଇ ନାତୁଣୀଙ୍କ ସହିତ ଗୋଟିଏ କୋଠରୀରେ ଅତି ଦୟନୀୟ ଅବସ୍ଥାରେ ରହୁଥିଲେ।ଏମିତିକି ସିଲ୍ ହୋଇଥିବା ଘରେ ଦୁଇ ନାତୁଣୀଙ୍କ ବହି ଓ ସ୍କୁଲ ୟୁନିଫର୍ମ ଥିବାରୁ ସେମାନେ ପାଠ ପଢ଼ିବା ପାଇଁ ମଧ୍ୟ ଯାଇ ପାରୁନଥିଲେ। ସେହି ଗାଁର ସୁଦାପ୍ତ ପ୍ରଧାନ ନାମକ ଜଣେ ବ୍ୟକ୍ତି ଡିସିବି ବ୍ୟାଙ୍କରୁ ୧୭ ଲକ୍ଷ ଟଙ୍କାର ଋଣ କରିଥିଲେ। ଯାହାକି ମୂଳ ସୁଧ ମିଶାଇ ପ୍ରାୟ ୨୮ ଲକ୍ଷ ଟଙ୍କା ଋଣ ଖିଲାପି ଥିବା ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ପୂର୍ବରୁ ଋଣ ଗ୍ରହୀତାଙ୍କୁ ପରିଶୋଧ ପାଇଁ ନୋଟିସ କରି ଆସୁଥିଲେ। ଶେଷରେ ବ୍ୟାଙ୍କ କର୍ତ୍ତୃପକ୍ଷ ଜିଲ୍ଲା କଲେକ୍ଟର ଙ୍କୁ ଏବିଷୟରେ ଅବଗତ କଲାପରେ କଲେକ୍ଟର ଋଣ ଖିଲାପିଙ୍କ ବିରୋଧରେ ଗୃହ ସିଲ୍ ଓ ଜମି ଜବତ କରିବା ପାଇଁ ନୋଟିସ କରିଥିଲେ। ମାତ୍ର ପରିତାପର ବିଷୟ ଏହା ଯେ, ଧନୁଞ୍ଜୟ ନାଁ ଋଣ ନେଇଥିଲେ ନାଁ ଗ୍ୟାରେଣ୍ଟର ହୋଇଥିଲେ। କିନ୍ତୁ ପ୍ରଶାସନର ଭୁଲ ତଦଣ୍ଡ ଯୋଗୁଁ ଏହି ନିରୀହ ଦିବ୍ୟାଙ୍ଗ ଧାନୁଞ୍ଜୟ ଓ ତାଙ୍କ ପରିବାର ଲୋକ ଆଜକୁ ୨୧ ଦିନ ହେଲା ପ୍ରଚଣ୍ଡ ଖରା ଓ ଗରମରେ ଏକ ଛୋଟ କୋଠରୀରେ ଦିନ ବିତେଇ ଛନ୍ତି। ବିଡ଼ମ୍ବନାର ବିଷୟ, ଋଣ ଖିଲାପି ବ୍ୟକ୍ତିଙ୍କର ଘର ଜମି କୁ ସିଲ୍ ନକରି ନିରୀହ, ବିକଳାଙ୍ଗ ବ୍ୟକ୍ତିର ଘର କୁ ସିଲ୍ କରିବା ଟା, ଅତି ନିନ୍ଦନୀୟ ବୋଲି ଗ୍ରାମବାସୀ ଖୋଭ ପ୍ରକାଶ କରିଛନ୍ତି।
ଋଣ ଖିଲାପ କରିଥିବା ସୁଦାପ୍ତଙ୍କ ଘର ସିଲ୍ ନକରି ଧନଞ୍ଜୟଙ୍କ ଘର ସିଲ୍ କରାଯାଇଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଉକ୍ତ ଜମି ଓ ଘର ଧନଞ୍ଜୟ ଓ ତାଙ୍କ ଦୁଇ ଭାଇଙ୍କ ନାଁରେ ରହିଛି। ୧୯୯୭ ମସିହାରୁ ଏହି ଘର ଓ ଜମିର ପଟ୍ଟା ମଧ୍ୟ ତାଙ୍କ ପାଖରେ ରହିଛି। ଉକ୍ତ ଘର ସହିତ ଋଣ କରିଥିବା ସୁଦାପ୍ତ ଓ ତାଙ୍କ ପରିବାରର କୌଣସି ସମ୍ପର୍କ ନାହିଁ। ତଥାପି ତହସିଲଦାର ଓ ବ୍ୟାଙ୍କ କର୍ତ୍ତୃପକ୍ଷ ଧନଞ୍ଜୟଙ୍କ ଘର ସିଲ୍ କରିଦେଇ ଚାଲିଗଲେ। ପୁଣି ତାଙ୍କ ଭାଇମାନଙ୍କ ଘର ମଧ୍ୟ ସିଲ୍ କରିଦେବେ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଧମକ ଦେଇଥିବା ନେଇ ଆଜି ପରିବାର ଲୋକ ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି। ଏନେଇ ଜମନକିରା ତହସିଲଦାର ତାଙ୍କ ପ୍ରତିକ୍ରିୟାରେ ସେ କହିଛନ୍ତି କି, ବ୍ୟାଙ୍କ ପକ୍ଷରୁ ଋଣ ଖିଲାପି ନେଇ କଲେକ୍ଟରଙ୍କ ନିର୍ଦ୍ଦେଶ ଥିଲା ଗୃହ ସିଲ୍ କରିବା ପାଇଁ, ଉକ୍ତ ଘରଟି ପ୍ରସନ୍ନ ପଧାନଙ୍କ ନାଁରେ ରହିଛି। ତାଙ୍କ ପୁଅ ସୁଦୀପ୍ତ ଋଣ ନେବା ବେଳେ ଉକ୍ତ ରେକର୍ଡ ଥିବା ଜମି କୁ ବ୍ୟାଙ୍କରେ ବନ୍ଧକ ରଖିଥିଲେ। ସେଇ ଅନୁଯାଇ କଲେକ୍ଟରଙ୍କ ନିର୍ଦ୍ଦେଶରେ ଘର ସିଲ୍ କରାଯାଇଥିଲା। ତେବେ ପରିବାର ର ଅସୁବିଧାକୁ ଦେଖି ତାଲା ଖୋଲା ଯାଇଛି ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ