ମୁରିବାହାଲରେ ଜାତିଗତ ବିବାଦ: ଦଳିତ ପାଚିକାଙ୍କୁ ବିରୋଧ କରି ଅଙ୍ଗନୱାଡିରେ ତାଲା, ବୁଝାସୁଝା କରି ହାରିଲା ପ୍ରଶାସନ ।
ବଲାଙ୍ଗୀର,୨୭।୬: ସାମାଜିକ ସଂସ୍କାର ଓ ସମାନତାର ପୋଷ୍ଟର ତଳେ ଏବେ ବି ଜଳଜଳ ହୋଇ ଦିଶୁଛି ଜାତିଗତ ଭେଦଭାବର ଚିତ୍ର। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଘୁଷୁରାମୁଣ୍ଡା ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଜଣେ ଦଳିତ ମହିଳାଙ୍କ ନିଯୁକ୍ତିକୁ ନେଇ ଜାତିଗତ ବିବାଦ ତୀବ୍ର ରୂପ ଧାରଣ କରିଛି। ଜଣେ ଦଳିତ ପାଚିକାଙ୍କ ହାତରୁ ଖାଦ୍ୟ ଖାଇବେନି ବୋଲି ଜିଦ୍ ଧରି ଗ୍ରାମର ଆଦିବାସୀ ସଂପ୍ରଦାୟର ଲୋକେ ତଥା ସେହି ଗାଁର କିଛି ଲୋକ ଗତ ତିନି ଦିନ ହେଲା କେନ୍ଦ୍ରରେ ତାଲା ଠୁଙ୍କି ପ୍ରତିବାଦ ଚଳାଇଛନ୍ତି।
ସୂଚନା ଅନୁଯାୟୀ, ଘୁଷୁରାମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରରେ ପୁଣ୍ୟ ହରିପାଲ ନାମକ ଜଣେ ଦଳିତ ମହିଳାଙ୍କୁ ନୂତନ ପାଚିକା ଭାବେ ନିଯୁକ୍ତ କରାଯାଇଛି। ତେବେ ଏହି ନିଯୁକ୍ତିକୁ ସେହି ଗ୍ରାମର ଆଦିବାସୀ ସଂପ୍ରଦାୟର ଲୋକେ ତୀବ୍ର ବିରୋଧ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି ଯେ, ଦଳିତ ଜାତିର ପାଚିକା ଜଣକ ରୋଷେଇ କଲେ ସେମାନଙ୍କ ପିଲାଛୁଆ ସେଠାକାର ଖାଦ୍ୟ ଗ୍ରହଣ କରିବେ ନାହିଁ। ଏଭଳି ଜାତିଗତ ମାନସିକତା ରଖି ଗ୍ରାମବାସୀ ଏକତ୍ରିତ ହୋଇ କେନ୍ଦ୍ରରେ ସମ୍ପୂର୍ଣ୍ଣ ଭାବେ ତାଲା ପକାଇ ଦେଇଛନ୍ତି।
ଗତ ତିନି ଦିନ ହେଲା ଅଙ୍ଗନୱାଡି କେନ୍ଦ୍ରରେ ତାଲା ଝୁଲୁଥିବାରୁ କୋମଳମତି ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାମାନେ ସରକାରୀ ପୋଷଣଯୁକ୍ତ ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସେବା ପାଇବାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି। ସରକାର ସମାଜରୁ ଜାତିପ୍ରଥା ଦୂର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସଚେତନତା କାର୍ଯ୍ୟକ୍ରମ କରୁଥିବା ବେଳେ, ମୁରିବାହାଲ ବ୍ଲକର ଏହି ଦୁର୍ଗମ ଅଞ୍ଚଳରେ ଏବେ ବି ଜାତିଗତ ପ୍ରାଚୀର କେତେ ଶକ୍ତ ରହିଛି, ତାହା ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇପଡୁଛି।
ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ସିଡିପିଓ (CDPO) ପୂର୍ଣ୍ଣିମା ବୈଠାରୁ, ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମୀ ଏବଂ ଥାନା ଅଧିକାରୀ ବୁଲୁ ମୁଣ୍ଡା ପ୍ରମୁଖ ସଦଳବଳେ ଘୁଷୁରାମୁଣ୍ଡା ଗ୍ରାମରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ଆଦିବାସୀ ସଂପ୍ରଦାୟର ଲୋକେ ନିଜ ଜିଦ୍ରେ ଅଟଳ ରହିଥିବାରୁ ପ୍ରଶାସନର ସମସ୍ତ ପ୍ରୟାସ ବିଫଳ ହୋଇଛି ଏବଂ ସମସ୍ୟାର କୌଣସି ସମାଧାନ ବାହାରି ପାରିନାହିଁ।
ଆଇନ ଶୃଙ୍ଖଳା ରକ୍ଷାକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତି ସତ୍ତ୍ୱେ ଗ୍ରାମବାସୀ ତାଲା ଖୋଲିବାକୁ ରାଜି ନହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ତେବେ ଏହି ଘଟଣାରେ ପାଚିକା ଭାବେ ନିଯୁକ୍ତି ପାଇଥିବା ସଂପୃକ୍ତ ଦଳିତ ମହିଳାଙ୍କୁ ତାଙ୍କର ସାମ୍ବିଧାନିକ ଓ ନ୍ୟାଯ୍ୟ ଅଧିକାର ମିଳିବ ନା ଗ୍ରାମବାସୀଙ୍କ ଜିଦ୍ ଆଗରେ ପ୍ରଶାସନ ମୁଣ୍ଡ ନୁଆଁଇବ, ସେ ଉପରେ ଏବେ ସମଗ୍ର ଜିଲ୍ଲାର ନଜର ରହିଛି।

